ଘୁ.ଉଦୟଗିରି:  ହିନ୍ଦୁ ସମ୍ପ୍ରଦାୟର ପବିତ୍ର ପର୍ବ ମକର ସଂକ୍ରାନ୍ତି ଉତ୍ସବ ନିମନ୍ତେ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିିରି ବ୍ଲକ ଅଧୀନ କତିଙ୍ଗିଆ ଗ୍ରାମର କମଳବନ ମଠ ଏବଂ ସ୍ଥାନୀୟ ଏନଏସି ନିକଟରେ ଥିବା ବାଉଡ଼ି ଗ୍ରାମର ଶିବ ମନ୍ଦିର ପ୍ରାଙ୍ଗଣ ଶହଶହ ଭକ୍ତଙ୍କ ସମାଗମରେ ଚଳଚଞ୍ଚଳ ହୋଇଉଠିଛି। ପବିତ୍ର ମକରସଂକ୍ରାନ୍ତି ମେଳା ନିମନ୍ତେ ସମଗ୍ର ଅଞ୍ଚଳ ହୋମ, ଯଜ୍ଞ, ପୂଜା, ପାଠ, ମନ୍ତ୍ର ଉଚ୍ଚାରଣ ଏବଂ ହରେ କୃଷ୍ଣ ହରେ ରାମ ଧ୍ୱନୀରେ ମଠ, ମନ୍ଦିରରେ ଭକ୍ତଙ୍କ ଦ୍ୱାରା ଭକ୍ତିମୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି।

Advertisment

କତିଙ୍ଗିଆ କମଳବନ ମଠ ଠାରେ ସୁଦୟ ଆବାଙ୍କ ପୌରାହିତ୍ୟ ଅନୁଷ୍ଠିତ ମକର ମେଳାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବନବାସୀ କଲ୍ୟାଣ ଆଶ୍ରମର ଅଖିଳ ଭାରତୀୟ ଶ୍ରଦ୍ଧା ଜାଗରଣ ପ୍ରମୁଖ ରାଜେନ୍ଦ୍ର ମାଦଳ ଯୋଗ ଦେଇ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଆଧ୍ୟାତ୍ମିକତାର ମାର୍ଗ ଦର୍ଶନ କରିବା ସହ ପ୍ରବଚନ ପ୍ରଦାନ କରିଥିଲେ। ମକର ମେଳା ଏବଂ ଯଜ୍ଞ ନିମନ୍ତେ ରବିବାର ଦିନ ସହସ୍ରାଧିକ ମହିଳା ପୁରୁଷ ଭକ୍ତଙ୍କ ଦ୍ଵାରା ବିରାଟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା ନିକଟସ୍ଥ ଝରଣାରୁ ଶତାଧିକ ମହିଳା ପୁରୁଷ କଳସରେ ଜଳ ସଂଗ୍ରହ କରି ଯଜ୍ଞ ସ୍ଥଳକୁ ନେବା ପରେ ସମସ୍ତ ନୀତିକାନ୍ତି ସହ ମକର ସଂକ୍ରାନ୍ତି ଉତ୍ସବ ପାଳନ ସମ୍ପନ୍ନ ହୋଇଥିଲା। ଏହି ମେଳାକୁ ଅବନେଶ୍ୱର ପ୍ରଧାନ, ଗୋବିନ୍ଦ ପ୍ରଧାନ, ନବରାଜପ୍ରଧାନ, ସନାତନ ପ୍ରଧାନ, କୃଷ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।