ବିଜେଡିରେ ମିଶିବେ ମକରନ୍ଦ ମୁଦୁଲି! 

ରାୟଗଡ଼ା: ବିଜେଡ଼ିରେ ମିଶିବେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି! ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ, ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଅତୁନ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଆଜି ରାଜଧାନୀରେ ଏ ନେଇ ଦଳର ରଣନୀତି ପ୍ରସ୍ତୁତି ହୋଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ମକରନ୍ଦଙ୍କୁ ଦଳକୁ ଆଣିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଦଳୀୟ ନିଷ୍ପତ୍ତିକୁ ସବୁଜ ସଙ୍କେତ ଦେଇଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ।

୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରୁ ଏକ ମାତ୍ର ସ୍ବାଧୀନ ବିଧାୟକ ଭାବେ ମକରନ୍ଦ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଅର୍ଥ ବଳ ନୁହେଁ, ଲୋକ ସଂପର୍କ ଯୋଗୁ ମାତ୍ର ୧୫ ହଜାର ଟଙ୍କା ସଂପତ୍ତିରେ ନିର୍ବାଚନ ଜିଣିବା ସହିତ ବିଜେଡ଼ିର ହେଭିୱେଟ୍ ନେତା ତଥା ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକାଙ୍କୁ ପରାଜିତ କରିଥିବାରୁ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ ମକରନ୍ଦ। ରାୟଗଡ଼ା ଜିଲ୍ଲାର ୩ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବିଷମକଟକ, ଗୁଣପୁରରେ ବିଜେଡ଼ି ବିଜୟ ବାନା ଉଡ଼ାଇଥିବା ବେଳେ ରାୟଗଡ଼ାରେ ପରାଜିତ ହୋଇଥିଲା। ବିଜେଡ଼ି ପରାଜୟର ମୁଖ୍ୟ କାରଣ ପାଲଟିଥିଲେ ମକରନ୍ଦ।

୨୦୧୪ ନିର୍ବାଚନରେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ି ହାରିଥିଲେ ମକରନ୍ଦ। କିନ୍ତୁ ୨୦୧୯ରେ ଜାତିଗତ ପ୍ରମାଣପତ୍ର ପାଇଁ କଂଗ୍ରେସ ମକରନ୍ଦଙ୍କୁ ଟିକେଟ୍ ଦେଇନଥିଲା। ଫଳରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ୪୮୭୦ ଭୋଟରେ ବିଜୟୀ ହୋଇଥିଲେ ମକରନ୍ଦ। ବିଜେଡ଼ି ପ୍ରାର୍ଥୀ ଲାଲ୍ ବିହାରୀ ହିମିରିକା ୪୭୯୭୪ ଭୋଟ ପାଇଥିବା ବେଳେ ମକରନ୍ଦଙ୍କ ସପକ୍ଷରେ ୫୨୮୪୪ ଭୋଟ ପଡିଥିଲା। ମକରନ୍ଦ କାଶୀପୁର ବ୍ଲକରୁ ପ୍ରତିନିଧିତ୍ବ କରୁଥିବାରୁ ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା, କାଶୀପୁର ଅଞ୍ଚଳରୁ ଜଣେ ପ୍ରତିନିଧିଙ୍କୁ ବିଧାନସଭାକୁ ପଠାଇବା ପ୍ରସଙ୍ଗ ହିଁ ତାଙ୍କ ପାଇଁ ସଫଳତା ଆଣିଥିଲା।

ନିର୍ବାଚନର କିଛି ମାସ ପରେ ହିଁ ମକରନ୍ଦ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ନିର୍ବାଚନ ମଣ୍ଡଳୀର ବିକାଶରେ ସହଯୋଗ କରିବା ପାଇଁ ଆଲୋଚନା କରିଥିଲେ। ସେହିପରି ଗତ ଏପ୍ରିଲ୍ ମାସରେ କଂସାରୀଗୁଡାରେ ହିଣ୍ଡାଲକୋ ପକ୍ଷରୁ ରିଫାଇନେରୀ ୟୁନିଟ୍ ପ୍ରତିଷ୍ଠା ପାଇଁ ମକରନ୍ଦ ବିସ୍ଥାପିତଙ୍କୁ ନେଇ ବିଜେଡ଼ିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶଙ୍କୁ ସାକ୍ଷାତ କରିଥିଲେ। ବିଜେଡ଼ି ମୁଖିଆ ଓ ହେଭିୱେଟଙ୍କ ସହ ମକରନ୍ଦଙ୍କ ଏହି ଦୁଇଟି ସାକ୍ଷାତକାର ହିଁ ବିଜେଡ଼ିରେ ମିଶିବା ପଥକୁ ପରିଷ୍କାର କରି ଦେଇଥିଲା।

ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ଦଳୀୟ ସଂଗଠନକୁ ରାୟଗଡ଼ାରେ ସୁଦୃଢ଼ କରିବା ପାଇଁ ବିଜେଡ଼ି ପାଗଭିଡ଼ା ଆରମ୍ଭ କରିଛି। ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବରୁ ସଞ୍ଜୟ ଦାଶବର୍ମାଙ୍କୁ ହଟାଇ ଦଳ ବିଧାୟକ ଅତୁନ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ବ ପ୍ରଦାନ କରିଛି। ୨୦୧୭ ନିର୍ବାଚନରେ ଜିଲ୍ଲା ପରିଷଦ କଂଗ୍ରେସ ଦଖଲକୁ ଯାଇଥିବା ବେଳେ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ପୁରୁଷୋତ୍ତମ ଗମାଙ୍ଗଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପରେ ଉପନିର୍ବାଚନରେ ବିଜେଡ଼ି ଅଧ୍ୟକ୍ଷ ପଦକୁ ହାତେଇଛି। ୨୦୨୨ ପଞ୍ଚାୟତ ନିର୍ବାଚନ ସହ ଆଗକୁ ହେବା ପୌର ନିର୍ବାଚନ ପୂର୍ବରୁ ନୂତନ ରଣନୀତି ସହ ନିର୍ବାଚନକୁ ଓହ୍ଲାଇବା ପାଇଁ ବିଜେଡ଼ି ବିଚାର ବିମର୍ଶ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର