ରାୟଗଡା: ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିୟମଠାରେ ଦଳର ମାଷ୍ଟର ଟ୍ରେନରମାନଙ୍କ ଦ୍ୱାରା ରାୟଗଡା ବ୍ଳକର ତିନୋଟି ଜୋନ ଓ ରାୟଗଡା ପୈାରାଂଚଳର ସକ୍ରିୟ କର୍ମୀ ଏବଂ ଜନ ପ୍ରତିନିଧିମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ପ୍ରଶିକ୍ଷଣ ଶିବିରର ଗୁରୁତ୍ୱକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଫଟୋ ଭିଡିଓ ଉତ୍ତୋଳନ କରି ଫେରି ଯିବାକୁ ଦଳୀୟ ନେତା ତଥା କାର୍ଯ୍ୟକର୍ତାମାନେ ସୂଚନା ଦେଇଥିବା ବେଳେ କେବଳ ଦଳୀୟ ସକ୍ରିୟ କର୍ମୀ ଓ ଜନ ପ୍ରତିନିଧିଙ୍କୁ ନେଇ ହୋଇଥିବା ପ୍ରଶିକ୍ଷଣ ଶିବିରରେ ରାୟଗଡା ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କ ଯୋଗଦାନ ସମସ୍ତଙ୍କୁ ଚକିତ କରିଛି।ଯାହାକି ସହରରେ ଚର୍ଚ୍ଚାର ବିଷୟ ପାଲିଟିଛି ଏବଂ ରାୟଗଡା ରାଜନୀତି ସରଗରମ ହୋଇଛି।
କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସ୍ଥାନୀୟ ବିଧାୟକ ଶ୍ରୀ ମୁଦୁଲିଙ୍କୁ ପ୍ର୍ରଶିକ୍ଷଣ ଶିବିର ମଂଚରେ ଦଳୀୟ କାର୍ଯ୍ୟକର୍ତାମାନେ ଦଳୀୟ ଉତ୍ତରୀୟ ଓ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ।ନିଜେ ବିଧାୟକ ଶ୍ରୀ ମୁଦୁଲି ମଧ୍ୟ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବା ଚର୍ଚ୍ଚା ହେଉଛି। ଆଗାମୀ ୨୦୨୪ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ବିଜେଡି ଦଳରୁ ଟିକେଟ ପାଇବା ନେଇ ଆଶାୟୀ ଥିବା ଚର୍ଚ୍ଚା ରାୟଗଡା ରାଜନୀତିକୁ ନେଇ ଆଲୋଚନାର ଖରାକ ଯୋଗାଇଛି।୨୦୧୯ ବର୍ଷ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ପଛରେ ପକାଇ ସ୍ୱାଧୀନ ବିଧାୟକ ଭାବେ ଶ୍ରୀ ମୁଦୁଲି ବିଜୟୀ ହେବା ପରେ ଧୀରେ ଧୀରେ ସେ ଶାସକ ବିଜେଡି ଦଳର ପ୍ରାଥମିକ ସଦସ୍ୟ ହୋଇ ନ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଯୋଜନାକୁ ନେଇ ପ୍ରଶଂସା କରିଆସୁଛନ୍ତି।ରାଜ୍ୟରେ ଶାସକ ବିଜେଡି ଦଳର ସରକାରଙ୍କ ବହୁ ଲୋକାଭିମୁଖୀ ଯୋଜନାରେ ଲୋକେ ଉପକୃତ ହେଉଥିବା ନେଇ ସେ ନିଜ ନିର୍ବାଚନ ମଣ୍ଡଳିରେ ଯୋଗ ଦେଉଥିବା ପ୍ରତିଟି ସଭାସମିତିରେ ନିଜ ବକ୍ତବ୍ୟ ରଖିଥାନ୍ତି।ତେବେ ଆନୁଷ୍ଠାନିକ ଭାବେ ସ୍ୱାଧୀନ ବିଧାୟକ ଶ୍ରୀ ମୁଦୁଲି ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରି ନ ଥିବା ବେଳେ ଆଗାମୀ ନିର୍ବାଚନ ପୂର୍ବରୁ ବିଜେଡିର ପ୍ରଶିକ୍ଷଣ ଶିବିରରେ ତାଙ୍କର ଉପସ୍ଥିତି ଏବଂ ବିଜେଡି ଦଳୀୟ ଉତରୀୟରେ ତାଙ୍କୁ ସ୍ୱାଗତ କରାଯିବା ଆଗାମୀ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟ ପାଇଁ ସେ ଆଶାୟୀ ପ୍ରାର୍ଥୀ ହେବା ସ୍ୱପ୍ନ ଯେ କେତେ ପୂରଣ ହେବ ତାହା ଆଗକୁ ଜଣାପଡିବ।
ତେବେ ରାୟଗଡା ନିର୍ବାଚନୀ ମଣ୍ଡଳୀରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ମଇଦାନରେ ବିଜେଡିର ପୂର୍ବତନ ବିଧାୟକ ପ୍ରାର୍ଥୀ ଲାଲବିହାରୀ ହିମିରିକା,ପୂର୍ବତନ ଜିଲ୍ଳା ପରିଷଦ ସଭ୍ୟ ଗଙ୍ଗାଧର ପୁଆଲା,ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝି ପ୍ରମୁଖ ଦଳୀୟ ଟିକେଟ ପାଇବା ରେସ୍ରେ ଥିବା ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ହାତରୁ ଖସିଥିବା ଏହି ଆସନକୁ ପୁଣି ଥରେ ଦଖଲ କରିବାକୁ ସ୍ଥାନୀୟ ବିଜେଡିର ବରିଷ୍ଠ ନେତାଙ୍କ ସୁପାରିଶ ତଥା ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତିରେ ଆଉ କେଉଁ ନୁଆ ମୁହଁକୁ ସୁଯୋଗ ଦିଆଯିବ ତାହା ମଧ୍ୟ ରାଜନୀତି ସମୀକ୍ଷକମାନେ ଚର୍ଚ୍ଚା କରୁଥିବା ଜଣାପଡୁଛି।ନିକଟରେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରି ଦଳରେ ସାମିଲ ହୋଇଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍।
ସରକାରୀ ଅଧିକାରୀ ଭାବେ ପୂର୍ବରୁ ସଚିବ ଭାବେ କାର୍ଯ୍ୟ କରି ରାଜ୍ୟ ସରକାରଙ୍କ ବିକାଶ ଧାରାକୁ ଆଗେଇ ନେବାରେ ତାଙ୍କ ଭୂମିକା ବିରୋଧୀଙ୍କ ନିଦ ହଜାଇ ଦେଇଥିଲା।ତେବେ ସରକାରୀ ଅଧିକାରୀ ଭାବେ ସେ ଲୋକଙ୍କ ପାଇଁ କାମ କରିବାରେ ତଥା ଲୋକଙ୍କ ନିକଟକୁ ସରକାରଙ୍କ ଯୋଜନାକୁ ତୃଣମୂଳ ସ୍ତରରେ ପଂହଚାଇବା ପାଇଁ ସରକାରୀ ନିୟମ ଭିତରେ ବାନ୍ଧି ହୋଇ ଯାଉଥିବାରୁ ଓଡିଶାବାସୀଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାରୀ ଚାକିରିରୁ ଅବସର ନେଇ ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି।ତେବେ ସ୍ୱାଧୀନ ଭାବେ ବିଜୟୀ ହୋଇଥିବା ବିଧାୟକ ବିଜେଡିର ପ୍ରାଥମିକତା ସଦସ୍ୟତା ଗ୍ରହଣ ନ କରି କିଭଳି ଭାବେ ଶାସକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ବିରୋଧୀ ଦଳ କାର୍ଯ୍ୟକର୍ତାମାନେ ପ୍ରଶ୍ନ କରିଥିବା ବେଳେ ଖୁବଶୀଘ୍ର ବିଧାୟକ ଶ୍ରୀ ମୁଦୁଲି ବିଜେଡିରେ ଯୋଗ ଦେବେ ବୋଲି ତାଙ୍କ ସମର୍ଥକମାନେ ଚର୍ଚ୍ଚା କରୁଥିବା ଶୁଣିବାକୁ ମିଳିଛି। ଏନେଇ ବିଧାୟକ ଶ୍ରୀ ମୁଦୁଲିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଂକ ପ୍ରତିକ୍ରିୟା ମିଳିନଥିବାରୁ ଏଠାରେ ଦିଆଯାଇପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/Rgda-BJD-trainning-programme-MLA-1.jpg)