ଗରିବଙ୍କ ପାଇଁ ମାକ୍ସ ତିଆରି କରୁଛନ୍ତି ଆଦିବାସୀ ଯୁବତୀ, ତିଆରି କଲେଣି ୧୫ ହଜାର ମାକ୍ସ

ଡାକ୍ତରଙ୍କ ପାଇଁ ପିପିଇ ଡ୍ରେସ୍‌

ରାଉରକେଲା: ମହାମାରୀ କରୋନାରୁ ମୁକ୍ତି ପାଇଁ ବାହାରେ ବୁଲୁଥିବା ଲୋକେ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ। ଆସନ୍ତା ୯ରୁ ଏହି ନିୟମକୁ କଡାକଡି ଲାଗୁ କରିବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଲକ୍‌ଡାଉନ୍‌ରେ ପେଟକୁ ଦାନା ଯୋଗାଡ କରି ପାରୁ ନଥିବା ଗରିବ, ଖଟିଖିଆ ଲୋକଙ୍କ ପାଇଁ ମାକ୍ସ ତଆରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଜଣେ ଆଦିବାସୀ ଯୁବତୀ। ସେ ହେଲେ ରାଉରକେଲା ଝିରପାଣିର ହେମା ଏକ୍କା। ସାଇତି ରଖିଥିବା ନିଜ ରୋଜଗାର ଅର୍ଥକୁ ମାକ୍ସ ତିଆରିରେ ଖର୍ଚ୍ଚ କରିଛନ୍ତି।

ଗତ ପ୍ରାୟ ୧୫ ଦିନ ଧରି ସ୍ଥାନୀୟ ଅଞ୍ଚଳ କିଛି ଗୃହିଣୀଙ୍କୁ ନେଇ ଆରମ୍ଭ କରିଛନ୍ତି ଏହି ମହତ କାମ। କେବଳ ଝିରପାଣି ନୁହେଁ, ଜଗଦା, ଦରେଇକେଲାର ଉଡୁଷୁ, ବନ୍ଧମୁଣ୍ଡା ପମ୍ପ ହାଉସ ନିକଟସ୍ଥ ବସ୍ତିରେ ଆଦିବାସୀ ମହିଳାଙ୍କୁ ଏହି କାମରେ ନିୟୋଜିତ କରିଛନ୍ତି। ସେମାନଙ୍କୁ ମାକ୍ସ ତିଆରି ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି। କିଛି ମହିଳା ନିଜ ପାଖରେ ତ ଆଉ କିଛି ନିଜ ନିଜ ଘରେ ମାକ୍ସ ତିଆରି କାମରେ ଲାଗି ପଡିଛନ୍ତି। ଆଜି ପର୍ଯ୍ୟନ୍ତ ସେ ୧୫ ହଜାର ମାକ୍ସ ତିଆରି କରିଛନ୍ତି। ଏପ୍ରିଲ ତୃ୍ତୀୟ ସପ୍ତାହ ସୁଦ୍ଧା ୩୫ ହଜାର ମାକ୍ସ ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ମାକ୍ସ ସହ ଡାକ୍ତର ନର୍ସଙ୍କ ପାଇଁ ସେ ନିଜେ ପର୍ସନାଲ ପ୍ରୋଟେକ୍‌ଟିଭ୍‌ ଇକ୍ୟୁପମେଣ୍ଟ (ପିପିଇ) ପୋ‌‌ଷାକ ମଧ୍ୟ ତିଆରି କରୁଛନ୍ତି। ଏସବୁ ମାକ୍ସକୁ ବସ୍ତିରେ ରହୁଥିବା ଗରିବ ଲୋକ, ପେଟପାଟଣା ପାଇଁ ପରିବା ହାଟରେ ପୁରୁଷ ମହିଳା ପରିବା ବିକାଳିଙ୍କୁ ମାଗଣାରେ ବାଣ୍ଟିବେ। ଏଥିସହ ଜିଲ୍ଲାର ଉପାନ୍ତ ବ୍ଲକ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର, ନର୍ସଙ୍କ ସମେତ ମେଡିକାଲ କର୍ମଚାରୀ ସମେତ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ କରୋନା ମୁକାବିଲା ପାଇଁ ଡାକ୍ତର ଓ ନର୍ସମାନଙ୍କୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଆସନ୍ତା ୪/୫ ଦିନ ମଧ୍ୟରେ କିଛି ମହିଳା ଓ ଯୁବ କର୍ମୀଙ୍କ ସହାୟତାରେ ବଣ୍ଟନ କରିବ ବୋଲି ହେମା କହିଛନ୍ତି। ସେ କହିଛନ୍ତି କରୋନା ମୁକାବିଲା ପାଇଁ ସମଗ୍ର ବିଶ୍ବ ଲଢ଼ୁଛି। ବଢ଼ି ଚାଲିଥିବା ସଂକ୍ରମଣକୁ ରୋକିବାକୁ ଆମ ଦେଶକୁ ଆସନ୍ତା ଏପ୍ରିଲ ୧୪ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରାଯାଇଛି। ସାମାଜିକ ଦୂରତା, ମୁହଁରେ ମାକ୍ସ ପିନ୍ଧିବାକୁ ସରକାର ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଏଭଳି ଦୁର୍ଦ୍ଦିନରେ ଗରିବ ଲୋକଙ୍କ ପାଇଁ ଖାଇିବାକୁ ନାହିଁ ମାକ୍ସ କିଣିବାକୁ କେଉଁଠି ପଇସା ଆଣିବେ। ଅନେକ ସ୍ବେଚ୍ଛାସେବୀ ସଙ୍ଗଠନ ମାକ୍ସ ବଣ୍ଟନ କରୁଛନ୍ତି। ତଥାପି ଗରିବ ଲୋକଙ୍କ ପାଖରେ ପହଁଚୁ ନାହିଁ। ସାଧାରଣ ଗରିବ ଲୋକଙ୍କ ପାଇଁ ସେବା କରିବାର ଳକ୍ଷ୍ୟ ରଖି ସେ ମାକ୍ସ ତିଆରି ଆରମ୍ଭ କରିଥିଲେ। ତାଙ୍କୁ ଏହି କାମରେ ପ୍ରଥମେ ୩/୪ ଜଣ ମହିଳା ସହାୟତା କରିଥିଲେ। ପରବର୍ତ୍ତୀ ସମୟରେ ସହାୟତା କରିବାକୁ ୧୨ରୁ ୧୫ ଜଣ ମହିଳା ଆଗେଇ ଆସିଥିଲେ।

ଦିନକୁ ପ୍ରାୟ ୧୨ଶହରୁ ୧୫ଶହ ମାକ୍ସ ତିଆରି ହେଉଛି। ମହିଳାମାନଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛି। ସେମାନେ ନିଜ ନିଜ ଘରେ ଆଗ୍ରହର ସହ ତିଆରି କରୁଛନ୍ତି। ଏଥିସହ କିଛି ପିପିଇ ‌ପୋଷାକ ତିଆରି କରିଛନ୍ତି। କରୋନା ହସ୍ପିଟାଲରେ କାମ କରୁଥିବା ଡାକ୍ତର ଓ ନର୍ସଙ୍କୁ ମାଗଣାରେ ଯୋଗାଇ ଦେବି ବୋଲି କହିଛନ୍ତି ହେମା।

ସମ୍ବନ୍ଧିତ ଖବର