ଜୟପୁର(ନବୀନ ଚନ୍ଦ୍ର ସାହୁ): ଚଳଚ୍ଚିତ୍ରରେ ସଫଳ। ବାସ୍ତବରେ ମ୍ୟାଲେରିଆ ରୋକିବାରେ ଫେଲ୍ ମାରିଛି ‘ଦମନ’। ୨୦୨୨ରେ ଦେଶର ସର୍ବାଧିକ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ତାଲିକାରେ ରହିଛି ରାୟଗଡ଼ା, ମାଲକାନଗିରି, କୋରାପୁଟ ଜିଲ୍ଲା। ବର୍ଷକରେ ଏହି ୩ ଜିଲ୍ଲାରୁ ସର୍ବାଧିକ ୧୨ ହଜାର ୬୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଗତ ୫ ବର୍ଷରେ ମ୍ୟାଲେରିଆ ମୃତ୍ୟୁ ସଂଖ୍ୟା ଶୁନ୍ ଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ୨୦୨୨ରେ ରାୟଗଡ଼ାରୁ ସର୍ବାଧିକ ୪୯୯୮, ମାଲକାନଗିରିରୁ ୪୮୧୬, କୋରାପୁଟରୁ ୨୮୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରତି ହଜାରରେ ମାଲକାନଗିରିରେ ୬ ଜଣ, ରାୟଗଡ଼ାରେ ୪.୫ ଜଣ, କୋରାପୁଟରେ ୨.୫ ଜଣ ଆକ୍ରାନ୍ତ ହେଉଥିବା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ କହୁଛି। ୨୦୨୩ ଜାନୁଆରିରେ ରାୟଗଡ଼ାରୁ ୩୭୭, ମାଲକାନଗିରିରୁ ୩୭୯, କୋରାପୁଟରୁ ୨୫୬ ମୋଟ ୧୦୧୨ ଆକ୍ରାନ୍ତ ଚିହ୍ନଟ ହେଲେଣି। ୨୦୨୦ରେ ଶେଷ ଥର ପାଇଁ ଏହି ୩ ଜିଲ୍ଲାରେ ମଶାରୀ ବଣ୍ଟନ କରାଯାଇଥିଲା। ରାୟଗଡ଼ା ଜିଲ୍ଲାର ୬ ଲକ୍ଷ ୩୦ ହଜାର ଏବଂ କୋରାପୁଟ ଜିଲ୍ଲାରେ ୮ ଲକ୍ଷ ୭୯ ହଜାର ୨୦୯ ଲୋକଙ୍କୁ ମଶାରୀ ମିଳିଥିଲା। ୨୦୨୦ରେ ରାୟଗଡ଼ାରେ ପ୍ରତି ହଜାରରେ ୪.୯ ଲୋକ ଆକ୍ରାନ୍ତ ହେଉଥିଲେ। ମଶାରି ବଣ୍ଟନ ପରେ ୨୦୨୧ରେ ତାହା ୨.୫କୁ ଖସି ଆସିଥିଲା। ୨୦୧୬ରେ ଏହି ସଂଖ୍ୟା ହଜାରେ ପିଛା ୬୫ ଏବଂ ୨୦୧୭ରେ ୪୮.୮୬ ଥିଲା। ବିଗତ ୨ ବର୍ଷ ହେଲା ମଶାରୀ ବଣ୍ଟନ ହୋଇନଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଥିବାରୁ ମଶାରି ବଣ୍ଟନ ଅଭିଯାନକୁ ଆରମ୍ଭ କରିବାକୁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ।
କେବଳ ରାୟଗଡ଼ା ଜିଲ୍ଲାରେ ୭ ଲକ୍ଷ ମଶାରୀ ବାଣ୍ଟିବାକୁ ରାଜ୍ୟକୁ ଅବଗତ କରିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ମ୍ୟାଲେରିଆ ରୋକିବାକୁ ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ୨୦୧୭ରୁ ଦମନ ଅଭିଯାନ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଏହି ପାଇଲଟ୍ ପ୍ରକଳ୍ପରେ ରାୟଗଡ଼ା ଜିଲ୍ଲାର ୧୧ ବ୍ଲକ୍, କୋରାପୁଟ ଜିଲ୍ଲାର ୭ ବ୍ଲକ୍, ମାଲକାନଗିରି ଜିଲ୍ଲାର ୭ ବ୍ଲକକୁ ସାମିଲ୍ କରାଯାଇଛି। ୨୦୨୨ରେ ରାୟଗଡ଼ା ଜିଲ୍ଲାରେ ଦମନ ଅଭିଯାନରେ ୧୧ ବ୍ଲକରେ ୧୫୦ଟି ସଚେତନତା ଶିବିର ଆୟୋଜନ କରାଯାଇ ଟେଷ୍ଟିଂକୁ ଗୁରୁତ୍ବ ଦିଆଯାଇଥିଲା। ରେକର୍ଡ ୪ ଲକ୍ଷ ୯୫ ହଜାର ୫୪୭ ନମୁନା ପରୀକ୍ଷା କରାଯାଇଥିବାରୁ ଅଧିକ ସଂଖ୍ୟକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଜିଲ୍ଲାର ୩୫ ସବ୍ ସେଣ୍ଟର ସମେତ ୩୫୦ ଗାଁ ଅତି ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି।
ପୂର୍ବରୁ କେବେ ଏତେ ପରିମାଣର ନମୁନା ପରୀକ୍ଷା କରାଯାଇନଥିଲା ବୋଲି କହିଛନ୍ତି ରାୟଗଡ଼ା ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ଭେକ୍ଟର ବାହିତ ରୋଗ) ଡା. ବି. ଏଲ୍. ଏନ୍. ପୃଷ୍ଟି। ୨୦୧୫ରୁ ୨୦୧୯ ମଧ୍ୟରେ ସ୍ବାସ୍ଥ୍ୟ ବିଭାଗ ୧୫ ଲକ୍ଷ ୯୭ ହଜାର ୭୯ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରିଥିଲା। ସେଥି ମଧ୍ୟରୁ ୨ ଲକ୍ଷ ୨ ହଜାର ୪୯୫ ଲୋକଙ୍କ ରକ୍ତ ନମୁନା ପଜିଟିଭ୍ ଆସିଥିଲା। ପଜିଟିଭ୍ ଚିହ୍ନଟ ୨ ଲକ୍ଷ ୨ ହଜାର ୪୯୫ ନମୁନା ଭିତରୁ ୧ ଲକ୍ଷ ୯୦ ହଜାର ୬୧୧ ନମୁନାରେ ବ୍ରେନ୍ ମ୍ୟାଲେରିଆ (ପ୍ଲାସମୋଡ଼ି୍ୟମ୍ ଫଲସିଫୋରମ୍) ଭୂତାଣୁ ଚିହ୍ନଟ ହୋଇଛି। ପାଖାପାଖି ୯୬ ପ୍ରତିଶତ ଆକ୍ରାନ୍ତଙ୍କ ନିକଟରେ ଏହି ବିପଦଜନକ ଭୂତାଣୁ ରହୁଥିବା ଜଣା ପଡିଛି। ସେହିପରି କୋରାପୁଟ ଜିଲ୍ଲାରେ ୨୦୨୨ରେ ୪ ଲକ୍ଷ ୬୨ ହଜାର ୭୩୪ ନମୁନା ପରୀକ୍ଷା କରାଯାଇଥିଲା। ଜିଲ୍ଲାର ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର ବ୍ଲକ୍ ସର୍ବାଧିକ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି।