ରାୟଗଡା: ରାୟଗଡା ଜିଲ୍ଲାରେ ମ୍ୟାଲେରିଆ ସ୍ଥିତି ସଙ୍ଗୀନ ହୋଇ ପଡିଛି। ଜିଲ୍ଲାରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ମୃତ୍ୟୁହାର କମିଥିଲେ ମଧ୍ୟ ପଜିଟିଭ କେସ କ୍ରମାଗତ ବଢୁଛି। କେବଳ ଔପଚାରିକତାରେ ବିଶ୍ବ ମ୍ୟାଲେରିଆ ଦିବସ ପାଳନ କରାଯାଉଛି। ଏହାକୁ ରୋକିବାରେ ସ୍ବାସ୍ଥ୍ୟ ବିଭାଗ ଏକ ପ୍ରକାର ଫେଲ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗତ ୨୦୨୧ ମସିହାରେ ୩,୯୮,୮୫୭ଟି ପଜିଟିଭ କେସ ରହିଥିବା ବେଳେ ୨୦୨୨ ବେଳକୁ ଏହା ୨୪ ପ୍ରତିଶତ ବଢି ୪,୯୫,୫୪୭ କେସରେ ପହଞ୍ଚିଥିଲା।
ସେହିପରି ୨୦୨୧ ମସିହାରେ ୨୭୯୦ ଜଣ ରୋଗୀ ମ୍ୟାଲେରିଆ ଚିହ୍ନଟ ହୋଇଥିବା ବେଳେ ଏହା ୭୯ ପ୍ରତିଶତ ବଢି ୪୯୯୮ଜଣ ରୋଗୀ ମ୍ୟାଲେରିଆରେ ପୀଡିତ ହୋଇଥିଲେ। ଯଦି ଜିଲ୍ଲାର ୧୧ଟି ବ୍ଲକର ରିପୋର୍ଟ ଦେଖିବା ତେବେ ଗତବର୍ଷ ବିଷମକଟକରେ ୧୦ ପ୍ରତିଶତ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଚନ୍ଦ୍ରପୁର ବ୍ଲକରେ ୨୨ ପ୍ରତିଶତ, ରାମନାଗୁଡାରେ ୪ ପ୍ରତିଶତ, ପଦ୍ମପୁର ବ୍ଲକରେ ୫ ପ୍ରତିଶତ, ମୁନିଗୁଡା ବ୍ଲକରେ ୧୪ ପ୍ରତିଶତ, କୋଲନରା ବ୍ଲକରେ ୪ ପ୍ରତିଶତ, କାଶୀପୁର ବ୍ଲକରେ ୭ ପ୍ରତିଶତ, କଲ୍ୟାଣସିଂହପୁର ବ୍ଲକରେ ୬ ପ୍ରତିଶତ, ଜେମାଦେଇପେଣ୍ଠ ବ୍ଲକରେ ୬ ପ୍ରତିଶତ, ଗୁଡାରି ବ୍ଲକରେ ୧୮ ପ୍ରତିଶତ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବଢିଛି।ଜିଲ୍ଲାର ଚନ୍ଦ୍ରପୁର, ମୁନିଗୁଡା ଏବଂ ଗୁଡାରି ବ୍ଲକରେ ସବୁଠାରୁ ବେଶୀ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବଢିଛି।
ଜିଲ୍ଲାରେ ଗତ ୫ ବର୍ଷରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବଢିଥିବା ବେଳେ ଜଣକର ବି ମୃତ୍ୟୁ ହୋଇନଥିବା କୁହାଯାଇଛି। କିନ୍ତୁ ଗତ ୧୦ ବର୍ଷରେ ମୃତ୍ୟୁ ସଂଖ୍ୟା ଦେଖିଲେ ୨୦୧୧ରେ ୧୧ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୦୧୨ରେ ୮ ଜଣ, ୨୦୧୩ରେ ୨ ଜଣ, ୨୦୧୪ରେ ୫ ଜଣ, ୨୦୧୫ରେ ୧୦ ଜଣ, ୨୦୧୬ରେ ୬ ଜଣ, ୨୦୧୭ରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଆଜିର ବିଶ୍ବ ମ୍ୟାଲେରିଆ ଦିବସରେ ଡଃ. ପି.ଲକ୍ଷ୍ମୀନାରାୟଣ ପୁଷ୍ଟି, ଡଃ. ବରଜାକାନ୍ତ ମିଶ୍ର, ଡଃ. ମମତା ସାହୁ, ଡଃ. ମମତା ଚୌଧୁରୀ, ଡିଏସଡବ୍ଲୁଓ ଜ୍ୟୋତ୍ସ୍ନାମୟୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ କର୍ମଚାରୀ, ଆଶା କର୍ମୀ ତଥା ଅନ୍ୟ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଶପଥ ମଧ୍ୟ ନେଇଥିଲେ। ତୃଣମୂଳସ୍ତରରେ କିପରି ମ୍ୟାଲେରିଆକୁ ରୋକାଯାଇ ପାରିବ ସେନେଇ ଏବେ ଠାରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଗଲେ ହିଁ ରାୟଗଡା ଜିଲ୍ଲାରେ ଆଗାମୀ ଏକ ବର୍ଷରେ ଏହାର ହାର କମିବ ବୋଲି କୁହାଯାଇଛି। ରାଜ୍ୟରେ ଏହା ଦ୍ବିତୀୟ ସ୍ଥାନକୁ ଚାଲିଯାଇଥବାରୁ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି। ଚଳଚିତ୍ର ଦମନ ହିଟ ହେଲା ସିନା ମ୍ୟାଲେରିଆ ନିରାକରଣ ପାଇଁ ହୋଇଥିବା ଦମନ କିନ୍ତୁ ଫେଲ ମାରୁଥିବା ମଧ୍ୟ ଆଲୋଚନା ହେଉଛି।