ଝରିଗାଁରେ ମ୍ୟାଲେରିଆ ଜ୍ଵରର ଆତଙ୍କ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଗୁରୁସିଙ୍ଗା ପଞ୍ଚାୟତର ଡାବାଗୁଡ଼ା ଗ୍ରାମରେ ଏକ ସପ୍ତାହ ହେବ ଅର୍ଦ୍ଧାଧିକ ଗ୍ରାମବାସୀ ଜ୍ଵରରେ ଆକ୍ରାନ୍ତ ହୋଇଥିବାର ଅଭିଯୋଗ ହୋଇଛି। ସଂପ୍ରତି କରୋନାର ପ୍ରକୋପ କାହାରି ମନରେ ଲିଭିନଥିବା ବେଳେ ଅନେକ ଏବେ ଦ୍ଵନ୍ଦମଧ୍ୟରେ ଅଛନ୍ତି ଯେ ସେମାନଙ୍କୁ କେଉଁ ରୋଗ ହୋଇଛି।

ତେବେ ସ୍ଥାନୀୟ ଯୁବ ସମାଜସେବୀ ବଳରାମ ମାଝି ପ୍ରଥମେ ଗାଁ ରେ ଦୀର୍ଘ ଦିନ ଧରି ଜ୍ୱରରେ ଆକ୍ରାନ୍ତଥିବା ଘାସିରାମ ଜାନୀ(୧୭)ଙ୍କୁ ଆଣି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ସେ ବ୍ରେନ ମ୍ୟାଲେରିଆରେ ଆକ୍ରାନ୍ତ ଥିବାର ଜଣା ଯାଇଥିଲା। ଏହାପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଥିଲା ଏବଂ ଆଜିଏକ ସ୍ୱତନ୍ତ୍ର ଟିମ ଡାବାଗୁଡ଼ା ଗ୍ରାମ ଗସ୍ତ କରି ଗ୍ରାମର ମୋଟ ୨୭ ଗୋଟି ପରିବାର ର ୧୦୩ ଜଣ ସଦସ୍ୟ ଙ୍କ ରକ୍ତ ସଂଗୃହୀତ କରିଥିଲେ ଏବଂ ଏଥିମଧ୍ୟରୁ ୧୧ଜଣ ଯଥାକ୍ରମେ  ଚୈତନ ମୁଦୁଲି (୧୭), ସମନାଥ ମୁଦୁଲି(୧୭), ବିନୋଦ ମୁଦୁଲି (୮), ବିମଳା ମୁଦୁଲି (୩୦) ପ୍ରହଲ୍ଲାଦ ମୁଦୁଲି(୪୫), ଘନ ମୁଦୁଲି(୪୫), ଯୁଜେଷ୍ଟି ମୁଦୁଲି(୮), କୃଷ୍ଣ ମୁଦୁଲି(୧୭), ମାଲନି ମାଝୀ(୪୫), ଚନ୍ଦ୍ର ଜାନୀ(୩୫), ଘାସିରାମ ଯାନୀ(୧୭) ପ୍ରମୁଖ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ଥିବାର ଜଣାଯାଇଥିଲା।

ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗାଁରେ ମାଗଣା ଔଷଧ ବିତରଣ ସହିତ ସେବନ ଵିଧି ନେଇ ବୁଝିଥିଲେ। ଛଅ ମାସ ପୁର୍ବେ ବଣ୍ଟନ ହୋଇଥିବା ଔଷଧୀୟ ମଶାରୀ ବ୍ୟବହାର କରିବା ପାଇଁ ସଚେତନ କରାଯାଇଥିଲା।ଗାଁ ଗୁଡିକରେ ସମସ୍ତିଙ୍କ ପାଖରେ ଔଷଧୀୟ ମଶାରୀ ଅଛି ସତ କିନ୍ତୁ ସଚେତନତାର ଅଭାବ ହେତୁ ଅନେକ ମଶାରୀ ମାଛ ଧରିବାରେ, କ୍ଷେତ ସୁରକ୍ଷା ଭଳି କାର୍ଯ୍ୟ ରେ ଲାଗିଥିବାର ଅଭିଯୋଗ ହେଉଛି। ଡାବାଗୁଡ଼ା ପରେ ନିକଟ ବର୍ତୀ ଗ୍ରାମ ଛତାଆମ, ପୁରୁଣା ଡାବାଗୁଡ଼ା, ବାଇଙ୍କାଧୋଡି, ବିମାନଖୋଜ ପ୍ରଭୁତି ଗାଁ ରେ ମଧ୍ୟ ସମସ୍ତଙ୍କୁ ମ୍ୟାଲେରିଆ ପରୀକ୍ଷାର ଆବଶ୍ୟକ ରହିଥିବା ସମାଜସେବୀ ବଳରାମ ମାଝୀ ଦୃଷ୍ଟି ଆକର୍ଷଣ କରିଅଛନ୍ତି।

ଘଟଣା ନେଇ ଝରିଗାଁ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରକାଶ ଚନ୍ଦ୍ର ନାୟକଙ୍କୁ ଯୋଗାଯୋଗ କରିବାରୁ କାଲି ଜଣେ ମ୍ୟାଲେରିଆ ରୋଗୀ ଚିହ୍ନଟ ପରେ ତୁରନ୍ତ ଘଟଣା ସ୍ଥଳକୁ ସ୍ବାସ୍ଥ୍ୟ ବିଭାଗ ଟିମ ପଠାଇ ଗ୍ରାମବାସୀଙ୍କୁ ଚିକିତ୍ସା ପ୍ରଦାନ କରାଇଥିବା ବେଳେ ଗ୍ରାମରେ ୧୧ ଜଣଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି।

ସମ୍ବନ୍ଧିତ ଖବର