ପୁଣି କନ୍ଧମାଳରେ କାୟା ମେଲାଇଲାଣି ମ୍ୟାଲେରିଆ

ଫିରିଙ୍ଗିଆ, ତୁମୁଡ଼ିବନ୍ଧ ଓ କୋଟଗଡ଼ ଅଧିକ ମ୍ୟାଲେରିଆପ୍ରବଣ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ମ୍ୟାଲେରିଆ ସଂକ୍ରମଣ ଏବେ ଚିନ୍ତା ବଢ଼ାଇଛି। ବିଗତ ପାଞ୍ଚ ବର୍ଷ ତୁଳନାରେ ଚଳିତ ବର୍ଷ ସର୍ବାଧିକ ମ୍ୟାଲେରିଆ ପଜିଟିଭ୍‌ ଜଣାପଡ଼ିଛି। ତେବେ ଜିଲ୍ଲାର ଫିରିଙ୍ଗିଆ, ତୁମୁଡ଼ିବନ୍ଧ ଏବଂ କୋଟଗଡ଼ ସର୍ବାଧିକ ମ୍ୟାଲେରିଆପ୍ରବଣ ବ୍ଲକ୍‌ ଭାବେ ପ୍ରଶାସନର ମୁଣ୍ଡବିନ୍ଧା ବଢ଼ାଇଛି। ବର୍ଷକୁ ବର୍ଷ ମ୍ୟାଲେରିଆ ପରୀକ୍ଷା ବଢୁଥିବାବେଳେ ପଜିଟିଭ୍‌ ମଧ୍ୟ ବଢୁଛି।

୨୦୧୩ ମସିହାରେ କନ୍ଧମାଳ ଜିଲ୍ଲାରେ ୧,୯୯,୦୨୫ ଜଣଙ୍କର ମ୍ୟାଲେରିଆ ଟେଷ୍ଟ ହୋଇଥିବାବେଳେ ୧୮,୩୯୫ ଜଣଙ୍କ କ୍ଷେତ୍ରରେ ପଜିଟିଭ୍‌ ଦେଖା ଦେଇଥିଲା। ସେହିଭଳି ୨୦୧୪ ମସିହାରେ ଜିଲ୍ଲାରେ ୨,୩୦,୮୦୯ ଜଣଙ୍କର ମ୍ୟାଲେରିଆ ପରୀକ୍ଷା ହୋଇଥିବା ବେଳେ ୩୦,୮୨୦ ପଜିଟିଭ୍‌, ୨୦୧୫ ମସିହାରେ ୨,୪୫,୭୬୦ ପରୀକ୍ଷା ହୋଇଥିବାବେଳେ ୩୭,୩୬୮ ପଜିଟିଭ୍‌, ୨୦୧୬ ମସିହ‌ାରେ ୨,୮୩,୯୯୭ ପରୀକ୍ଷା ହୋଇଥିବା ବେଳେ ୩୧,୫୮୯ ପଜିଟିଭ୍‌, ୨୦୧୭ ମସିହାରେ ୩,୦୨,୨୯୧ ପରୀକ୍ଷା ହୋଇଥିବା ବେଳେ ୩୫,୬୫୪ ପଜିଟିଭ୍‌, ୨୦୧୮ ମସିହାରେ ୨,୪୧,୯୯୬ ପରୀକ୍ଷା ହୋଇଥିବା ବେଳେ ୪,୬୯୮ ପଜିଟିଭ୍‌, ୨୦୧୯ ମସିହାରେ ୨,୬୨,୧୭୭ ପରୀକ୍ଷା ‌ହୋଇଥିବାବେଳେ ୨,୯୭୮ ପଜିଟିଭ୍‌, ୨୦୨୦ ମସିହାରେ ୨,୩୪,୫୫୮ ପରୀକ୍ଷା ହୋଇଥିବା ବେଳେ ୩,୮୦୦ ଜଣ ପଜିଟିଭ୍‌ ଜଣାପଡ଼ିଛନ୍ତି। ତେବେ ବିଗତ ବର୍ଷମାନଙ୍କରେ ମ୍ୟାଲେରିଆ ମୃତ କମ୍‌ ଥିଲାବେଳେ ୨୦୨୦ରେ ଅଧିକ ମୃତ୍ୟୁ ହୋଇଛି। ୨୦୧୩ ମସିହ‌ାରେ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମ୍ୟାଲେରିଆରେ ମୃତ୍ୟୁ ହୋଇଥିବାବେଳେ ୨୦୧୪ରେ ୭ ଜଣ, ୨୦୧୫ରେ ୬ ଜଣ, ୨୦୧୬ରେ ୧୦ ଜଣ, ୨୦୧୭ରେ ୩ ଜଣ, ୨୦୧୮ରେ ଆଦୌ ମୃତ୍ୟୁ ହୋଇନାହି, ୨୦୧୯ରେ ଜଣେ ଏବଂ ୨୦୨୦ରେ ୩ ଜଣଙ୍କର ମୃତ୍ୟୁ ହୋଇଛି।

ଜିଲ୍ଲାର ଫିରିଙ୍ଗିଆ, ତୁମୁଡ଼ିବନ୍ଧ, କୋଟଗଡ଼ ଓ ବାଲିଗୁଡ଼ା ବ୍ଲକ୍‌ ସର୍ବାଧିକ ମ୍ୟାଲେରିଆପ୍ରବଣ ଅଞ୍ଚଳ ବୋଲି ସୂଚନା ମିଳିଛି। ଜିଲ୍ଲା ମ୍ୟାଲେରିଆ କାର୍ଯ୍ୟାଳୟର ତଥ୍ୟ ଅନୁସାରେ, କୋଟଗଡ଼ ବ୍ଲକ୍‌ (ସୁବର୍ଣ୍ଣଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର)ରେ ମ୍ୟାଲେରିଆ ପଜିଟିଭ୍‌ ହାର ସର୍ବାଧିକ ୨୭.୧ ପ୍ରତିଶତ ଥିଲା ବେଳେ ତୁମୁଡ଼ିବନ୍ଧ ବ୍ଲକ୍‌ରେ ୨୪.୬ ପ୍ରତିଶତ, ଫିରିଙ୍ଗିଆ ବ୍ଲକ୍‌ରେ ୧୮.୯ ପ୍ରତିଶତ ଏବଂ ବାଲିଗୁଡ଼ା (ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର)ରେ ୧୫.୩ ପ୍ରତିଶତ ରହିଛି। ଏଣୁ ଏହି ୪ଟି ବ୍ଲକ୍‌ରେ ମ୍ୟାଲେରିଆ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଉଛି। ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ ପକ୍ଷରୁ ଟେଷ୍ଟିଂ ଏବଂ ଦୁର୍ଗମ ଅଞ୍ଚଳ ମ୍ୟାଲେରିଆ ନିରାକରଣ ଅଭିଯାନ ଉପରେ ସର୍ବାଧିକ ଗୁରୁତ୍ବାରୋପ କରାଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରାଜଶ୍ରୀ ପଟ୍ଟନାୟକ କହିଛନ୍ତି। ଏହା ଛଡ଼ା ମ୍ୟାଲେରିଆ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଆଇଆର୍‌ଏସ୍‌ (ଡିଡିଟି) ସିଞ୍ଚନ କରାଯାଉଛି। ୨୦୨୦-୨୧ ବର୍ଷରେ ୪,୮୧,୧୫୮ଟି ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରି ସମଗ୍ର ଜିଲ୍ଲାରେ ବଣ୍ଟନ କରାଯାଇଛି।

ଅପରପକ୍ଷେ, ସହରାଞ୍ଚଳରେ ମଶାବଂଶକୁ ରୋକିବା ଉଦ୍ଦେଶ୍ୟରେ ନାଳନର୍ଦ୍ଦମାରେ ଗାମ୍ବୋସିଆ ମାଛ ଛଡ଼ାଯିବାର ବ୍ୟବସ୍ଥା ଥିଲେ ମଧ୍ୟ ଜିଲ୍ଲାର କୌଣସି ସହରାଞ୍ଚଳ ନାଳନର୍ଦ୍ଦମାରେ ଗାମ୍ବୋସିଆ ମାଛ ଛଡ଼ା ଯାଉ ନଥିବା ଅଭିଯୋଗ ହୋଇଛି। ଅଧିକାଂଶ ପରିବାର ଔଷଧବୋଳା ମଶାରି ପାଇବାରୁ ବଞ୍ଚିତ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

ମ୍ୟାଲେରିଆକୁ ସମୂଳେ ବିନାଶ କରିବାକୁ ହେଲେ ଜିଲ୍ଲାର ‘ଏପିଆଇ’ (ଆନୁଆଲ ପାରାସାଇଟ୍‌ ଇଣ୍ଡେକ୍ସ)କୁ କୌଣସି ପ୍ରକାରେ ୧ ତଳକୁ ଅଣାଯିବା ଜରୁରୀ। ମାତ୍ର କନ୍ଧମାଳ ଜିଲ୍ଲାର ଏପିଆଇ ବର୍ତ୍ତମାନ ୪.୫ ରହିଛି। ୨୦୧୬ରେ କନ୍ଧମାଳ ଜିଲ୍ଲାର ଏପିଆଇ ୩୮ ରହିଥିଲା। କିନ୍ତୁ ୨୦୨୦ ମସିହାରେ କେତେକ ବ୍ଲକର ଏପିଆଇ ଖୁବ୍‌ ଚିନ୍ତାଜନକ। ୨୦୨୦ ମସିହାରେ ତୁମୁଡ଼ିବନ୍ଧ ବ୍ଲକର ‘ଏପିଆଇ’ ୧୭.୮ ଥିଲାବେଳେ କୋଟଗଡ଼ ବ୍ଲକ୍ର‌ ଏପିଆଇ ୧୭.୧, ବାଲିଗୁଡ଼ା ବ୍ଲକ୍ର‌ ଏପିଆଇ ୯ ରହିଛି। ଏସବୁ ଅଞ୍ଚଳର ଏପିଆଇକୁ ୧ ତଳକୁ ଅଣାଯାଇ ପାରିଲେ କନ୍ଧମାଳ ଜିଲ୍ଲା ମ୍ୟାଲେରିଆମୁକ୍ତ ହୋଇପାରିବ।

ସମ୍ବନ୍ଧିତ ଖବର