ବ୍ରହ୍ମଗିରି: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଚିଲିକାର ରାଜହଂସ ନିକଟ ସମୁଦ୍ରକୂଳରେ ଗତ ଅଗଷ୍ଟ ୯ ତାରିଖରୁ ଅଟକି ରହିଥିବା ମାଲେସିଆ ପଣ୍ୟବାହୀ ଜାହାଜ ‘ଜିନ ହ୍ଵା’ର କଣ୍ଟେନର ମଙ୍ଗଳବାର ବୁଡ଼ିଯାଇଛି। ମାତ୍ର ଇଞ୍ଜିନ ସୁରକ୍ଷିତ ଥିବାରୁ ତୈଳ ନିର୍ଗତ ହେଉନଥିବା ସୂଚନା ମିଳିଛି। ଏ ନେଇ ପୁରୀ ଜିଲ୍ଲାପାଳ ବଳଓ୍ଵନ୍ତ ସିଂହ କହିଛନ୍ତି, ଜାହାଜରୁ ତେଲ ନିଷ୍କାସନ ପାଇଁ ଏକ ଟିମ ଆସିବ। ଦୁଇ ରୁ ତିନି ଦିନ ମଧ୍ୟରେ ଜାହାଜରୁ ତେଲ ନିଷ୍କାସନ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏ ପର୍ଯ୍ୟନ୍ତ ଜାହାଜକୁ ମରାମତି କରାଯାଇ ପାରି ନାହିଁ। ଜାହାଜ କଣ୍ଟେନରରେ ଫାଟ ହେବା ପରେ ଏହା ମଧ୍ୟରେ ପାଣି ପଶି ରହିଛି। କଣ୍ଟେନରରୁ ପାଣି ବାହାର କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସଫଳତା ମିଳି ନାହିଁ। ସେହିପରି କଣ୍ଟେନରକୁ ଭିଡ଼ି ରଖିଥିବା ଦଉଡ଼ି ମଧ୍ୟରୁ ଦୁଇଟି ଦଉଡ଼ି ଛିଣ୍ଡି ଯାଇଛି। ଏବେ କଣ୍ଟେନରଟି କୂଳରୁ କିଛି ଦୂରକୁ ଢେଉରେ ଭାସି ଯାଇ ପାଣିରେ ବୁଡ଼ିବା ଆରମ୍ଭ କରିଛି। ଏହା ଧୀରେ ଧୀରେ ବାଲିରେ ପୋତି ହେବା ସହ ସମୁଦ୍ର ଭିତରକୁ ଢଳି ବୁଡ଼ିବାରେ ଲାଗିଛି।
ଅନ୍ୟପଟେ ଜାହାଜରେ ଫାଟ ହୋଇ ପାଣି ପଶିଛି। ଏହା ସହିତ ଜାହାଜ ଗୋଟିଏ ପଟକୁ ଢଳି ରହିଛି। ଏହାକୁ ଗୋଟିଏ ମାତ୍ର ଦଉଡ଼ି ଅଟକାଇ ରଖିଛି। ଦଉଡ଼ିଟି ବେଳାଭୂମିରେ ଥିବା ଏକ ଗଛରେ ବନ୍ଧା ହୋଇ ରହିଛି। ଯଦି ଜାହାଜଟି ଏପରି ଅବସ୍ଥାରେ ରୁହେ ତେବେ ତେଲ ଲିକ୍ ହେବାର ଆଶଙ୍କା ବିଯିବ ବୋଲି କୁହାଯାଉଛି।