ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ବିରୋଧ ଓ ମାଲକାନଗିରି, ବାଲିମେଳା ରାସ୍ତା ଅବରୋଧ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ଠାରେ ଚାଷି ଗର୍ଜିଛନ୍ତି। ମଣ୍ଡିରେ ଲାଗି ରହିଥିବା ଅବ୍ୟବସ୍ଥାକୁ ନେଇ ଚାଷୀ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି। ସକାଳ ୭ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇ ରହିଥିଲା। ରାସ୍ତାର ଦୁଇ କଡରେ ଶହଶହ ଗାଡି ଅଟକି ରହିଥିଲା। ଶହଶହ ଚାଷୀ ଏକତ୍ରୀତ ହୋଇ ମାଲକାନଗିରି-ବାଲିମେଳା ରାସ୍ତାକୁ ଅବରୋଧ କରି ମଣ୍ଡିରେ ଧାନ କିଣିବାକୁ ଦାବି କରିଥିଲେ। ଗତ ଜାନୁଆରି ୧୫ ତାରିଖ ଠାରୁ ହଠାତ୍ ମଣ୍ଡି ବନ୍ଦ ହୋଇଯିବା ଫଳରେ ଶହଶହ ଚାଷୀ ନିଜର କେଜିଟିଏ ବି ଧାନ ବିକ୍ରି କରି ପାରି ନାହାଁନ୍ତି। ଟୋକନ୍‌ ପାଇଁ ମଧ୍ୟ ନିଜର ଧାନ ବିକ୍ରି କରି ପାରି ନାହାଁନ୍ତି। ବର୍ଷସାରା ଜମିରେ ଖଟି ଶେଷରେ ଧାନ ବିକ୍ରି ହୋଇ ପାରୁନଥିବାରୁ ଚାଷୀ ଏବେ କଣ କରିବେ ବୋଲି ମୁଣ୍ଡରେ ହାତ ଦେଇ ବସିଥିଲେ। ପ୍ରଶାସନ ନିକଟରେ ଯେତେ ଫେରାଦ ହେଲେ ମଧ୍ୟ ପ୍ରଶାସନ କୌଣସି କଥାକୁ ଗୁରୁତ୍ବ ଦେଉ ନଥିଲା।

ଏଠାରେ ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ଯୋଗାଣ ତରଫରୁ ତିନୋଟି ପର୍ଯ୍ୟାୟରେ ଧାନ ଖରିଦ କରାଯାଇଛି। ପ୍ରଥମେ ୭ ଲକ୍ଷ ୫୫ ହଜାର କ୍ବିଣ୍ଟାଲ ପରେ ୨ ଲକ୍ଷ ୪୩ ହଜାର କ୍ବିଣ୍ଟାଲ ଏବଂ ତୃତୀୟ ପର୍ଯ୍ୟାୟରେ ୭୪ କ୍ବିଣ୍ଟାଲ ଧାନ ଖରିଦ କରାଯାଇଥିଲା। ଏହି ଟାର୍ଗେଟ ସରିବା ପରେ ଧାନ କିଣା ବନ୍ଦ ହୋଇଯାଇଥିଲା।

Sambad

ତେବେ ଜିଲ୍ଲାରେ ଆହୁରି ୯ ଲକ୍ଷ କ୍ବିଣ୍ଟାଲ ଧାନ ମଣ୍ଡିରେ ପଡି ରହିଥିବା ନେଇ ବିଭିନ୍ନ ରାଜନୈତିକ ଦଳ ଦାବି କରିଥିଲେ। ତୁରନ୍ତ ଧାନ ନ ଉଠାଇଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ। ତେବେ ପ୍ରଶାସନ ତରଫରୁ ସରକାରଙ୍କୁ ପୁଣି ଧାନର ଟାର୍ଗେଟ ଦେବାକୁ ଅନୁରୋଧ କରାଯାଇଥିଲା। ଚତୁର୍ଥ ପର୍ଯ୍ୟାୟରେ ଦେଢ ଲକ୍ଷ କ୍ବିଣ୍ଟାଲ ଧାନ ଖରିଦ ପାଇଁ ଟାର୍ଗେଟ ଆସିଥିବା ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ ପ୍ରକାଶ କରିଥିଲେ। ଜିଲ୍ଲାରେ ଏଥର ଧାନ କିଣାରେ କୌଣସି ଅସୁବିଧା ହେବ ନାହିଁ ବୋଲି କୁହାଯାଇଥିଲା।

କୋରକୋଣ୍ଡା ମଣ୍ଡିରେ ମାତ୍ର ୯ ହଜାର କ୍ବିଣ୍ଟାଲ ଧାନ ଖରିଦ ପାଇଁ ନିର୍ଦେଶ ଦିଆଯାଇଥିବା କୁହାଯାଇଥିଲା। ଏଥିରେ ଚାଷୀ ରାଗି ଯାଇ ରାଜରାସ୍ତାକୁ ଅବରୋଧ କରି ରଖିଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଏବଂ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। କିନ୍ତୁ ଚାଷୀ ଏଥିରେ ରାଜି ହୋଇ ନଥିଲେ। ପରେ ଏସ୍‌ଡ଼ି‌ପିଓ ଅଂଶୁମାନ ଦ୍ବିବେଦୀ ଓ ଆଇଆଇସି ରାମ ପ୍ରସାଦ ନାଗ୍‌ ମଧ୍ୟ ପହଞ୍ଚି ବୁଝାସୁଝା କରିଥିଲେ। କିନ୍ତୁ ଯେତେବେ‌ଳ ପର୍ଯ୍ୟନ୍ତ ଚାଷୀଙ୍କ ଧାନ କିଣା ନଯାଇଛି। ସେତେବେଳ ପର୍ଯ୍ୟନ୍ତ ରାସ୍ତାରୁ ହଟିବେ ନାହିଁ ବୋଲି ସଫାସଫା କହି ଦେଇଥିଲେ। ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ ପହଞ୍ଚି ବୁଝାସୁଝା କରିଥିଲେ। ଚାଷୀ ଆସନ୍ତା ଶନିବାର ସୁଦ୍ଧା ଚାଷୀଙ୍କ ଧାନ ଉଠାଇବା ପାଇଁ ସମୟ ଦେଇଥିଲେ। ଯଦି ଚାଷୀଙ୍କ ଧାନ ନଉଠେ ତେବେ ଆସନ୍ତା ସୋମବାର ଦିନ ପୁଣି ରାସ୍ତା ଅବରୋଧ କରିବାକୁ ବାଧ୍ୟ ହେବୁ ବୋଲି ଧମକ ଦେଇଥିଲେ।

ସମ୍ବନ୍ଧିତ ଖବର