କେନ୍ଦ୍ର ସରକାରଙ୍କ କାୟାକଳ୍ପ ପୁରସ୍କାର ତାଲିକା ଶୀର୍ଷରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ମାଲକାନଗିରି: ରାଜ୍ୟର ଶ୍ରେଷ୍ଠ ଡାକ୍ତରଖାନା ଭାବେ ମନୋନୀତ ହୋଇଛି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । କେନ୍ଦ୍ର ସରକାରଙ୍କ ସମ୍ମାନଜନକ କାୟାକଳ୍ପ ପୁରସ୍କାର ଲାଗି ପ୍ରସ୍ତୁତ ତାଲିକାର ଶୀର୍ଷରେ ରହି ଚର୍ଚ୍ଚାକୁ ଆସିଛି ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସାଳୟ । ଏକ ସ୍ୱତନ୍ତ୍ର ମୁଲ୍ୟାଙ୍କନ ଦଳ ସମସ୍ତ ଡାକ୍ତରଖାନାକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି କାୟାକଳ୍ପ ପୁରସ୍କାର ପାଇଁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନାମ ଘୋଷଣା କରିବା ପରେ ଉତ୍ସବ ମନେଇଛି ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗ ।

ରଙ୍ଗିନ ଆଲୋକମାଳାରେ ସୁସଜ୍ଜିତ ହୋଇ ଡାକ୍ତରଖାନାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । କୌଣସି ଏକ କର୍ପୋରେଟ ହାଉସର ଭ୍ରମ ସୃଷ୍ଟି କରୁଥିବା ଏହି ଚିତ୍ର ହେଉଛି ମାଓ ପ୍ରବଣ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର । ୭ ମହଲା କୋଠା, ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା, ରୋଗୀ ସେବା, ସ୍ୱଚ୍ଛତା ସବୁଥିରେ ଏକ ନମ୍ବର ଏହି ଡାକ୍ତରଖାନା । ତେଣୁ ଏହି ଡାକ୍ତରଖାନାକୁ କେନ୍ଦ୍ରର କାୟାକଳ୍ପ ପୁରସ୍କାର ତାଲିକାର ଶୀର୍ଷରେ ରଖାଯାଇଛି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ଟିମ୍ ଡାକ୍ତରଖାନା ଭିତରେ ୩୭ଟି ବିଭାଗର ୬୩୫ଟି ପ୍ରସଙ୍ଗରେ ଅନୁଧ୍ୟାନ କରିଛନ୍ତି । ସବୁ ଦିଗରୁ ବିଚାର କରି ରାଜ୍ୟର ଏକ ନମ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସଳାୟ ଭାବେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବାଛିଛନ୍ତି । ଆଗକୁ ଆନୁଷ୍ଠାନିକ ଭାବେ ଏହି ଡାକ୍ତରଖାନା ସମ୍ମାନିତ ହେବା ସହ ୫୦ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପାଇବ ।ପୂର୍ବରୁ ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ବହୁ ବିକଳ ଚିତ୍ର ଆମେ ଦେଖିଛେ । ତେବେ ସମୟ ସହ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଚିତ୍ର ବଦଳୁଛି । ୭ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ୫ଟି କେନ୍ଦ୍ର କାୟାକଳ୍ପ ଯୋଜନାରେ ସ୍ଥାନ ପାଇଛି । ଏମ.ଭି.୫୫ ନୂତନ ପ୍ରାଥମିକ ସ୍ୱାସ୍ଥକେନ୍ଦ୍ର ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି।

ସମ୍ବନ୍ଧିତ ଖବର