ସାମ୍ବାଦିକଙ୍କୁ ବେଡି ପକାଇବା ଘଟଣା : ମାଲକାନଗିରି ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳ ଏବଂ ଏସପିଙ୍କୁ ଦାବିପତ୍ର ପ୍ରଦାନ

ମାଲକାନଗିରି : ବାଲେଶ୍ବର ଜିଲ୍ଲାର ନୀଳଗିରି ପୁଲିସର ସାମ୍ବାଦିକଙ୍କ ପ୍ରତି ବର୍ବରତା ଏବଂ କ୍ରିମିନାଲ ଭଳି ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଗୋଡରେ ବେଡି ପକାଇବାକୁ ନେଇ ସାରା ରାଜ୍ୟରେ ନିନ୍ଦା କରାଯାଇଥିବା ବେଳେ ମାଲକାନଗିରି ସାମ୍ବାଦିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଏବଂ ପୁଲିସ ଡିଜିଙ୍କୁ ଜିଲ୍ଲାପାଳ ଏବଂ ଏସପିଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ମାଲକାନଗିରି ସାମ୍ବାଦିକ ସଂଘରର ସଭାପତି ଦେବ ପ୍ରସାଦ ଦାସଙ୍କ ନେତୃତ୍ବରେ ଏକ ଟିମ ଜିଲ୍ଲାପାଳ ବିଶାଲ ସିଂ ଏବଂ ଏସପି ନିତିଶ ଵାଧଵାନିଙ୍କୁ ଭେଟି ସମ୍ବାଦର ସାମ୍ବାଦିକଙ୍କ ପ୍ରତି ହୋଇଥିବା ଅନ୍ୟାୟ ସଂପର୍କରେ ଅଭିଯୋଗ କରିବା ସହ ନୀଳଗିରି ପୁଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

ପ୍ରକାଶ ଥାଉକି, ନୀଳଗିରି ସମ୍ବାଦର ସାମ୍ବାଦିକ ଲୋକନାଥ ଦଳେଇଙ୍କ ସହ ଜଣେ ହୋମଗାର୍ଡଙ୍କ ମଧ୍ୟରେ ଦୁର୍ଘଟଣା ହୋଇଥିଲା।ଏହି ଦୁର୍ଘଟଣା ଘଟଣାସ୍ଥଳରେ ହିଁ ସମାଧାନ ହୋଇଯାଇଥିଲା।କିନ୍ତୁ ନୀଳଗିରି ପୁଲିସ ଜାଣିଶୁଣି ସାମ୍ବାଦିକଙ୍କୁ ହଇରାଣ କରିବା ପାଇଁ ତାଂକୁ ଜବରଦସ୍ତ ଘରୁ ଉଠାଇ ଆଣିବା ସହ ଥାନାରେ ନିର୍ଯାତନା ଦେବା ଏବଂ ନକ୍ସଲ କିମ୍ବା ସନ୍ତ୍ରାସବାଦୀଙ୍କ ଭଳି ଗୋଡରେ ବେଡି ପକାଇ ଡାକ୍ତରଖାନାରେ ରଖିବା କେତେଦୁର ଯୁକ୍ତିଯୁକ୍ତ ବୋଲି ସାରା ରାଜ୍ୟର ସାମ୍ବାଦିକ ଏବେ ପୁଲିସକୁ ପ୍ରଶ୍ନ କରିଛି।ଏହି ଘଟଣାରେ ଯେଉଁ ପୁଲିସ ଅଧିକାରୀମାନେ ସାମିଲ ରହିଛନ୍ତି ସମସ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

ସାମ୍ବାଦିକ ଶ୍ରୀ ଦଳେଇ ଜିଲ୍ଲାରେ ହେଉଥିବା ଡ୍ରଗସ୍,ବାଲି ଚୋରାଚାଲାଣ ଏବଂ ପଥର ଚୋରା ଚାଲାଣ ଉପରେ ଖବର ପ୍ରକାଶ କରିଥିବାରୁ ପୁଲିସର ନିନ୍ଦା ହୋଇଥିଲା।ଯାହାଫଳରେ ପୁଲିସ ଏନେଇ ସାମ୍ବାଦିକଙ୍କ ଉପରେ ରାଗ ରଖିଥିଲା।ତେବେ ମାଲକାନଗିରି ସାମ୍ବାଦିକ ସଂଘ ପକ୍ଷରୁ ଦାବି କରାଯାଇଛି ଯେ ଯଦି ପୁଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ସମ୍ବନ୍ଧିତ ଖବର