ସୀମା ବିବାଦ ପ୍ରଶାସନର ନିଦ ଭାଙ୍ଗୁନି; ଜୁମଡାଙ୍ଗ ବଦଳରେ ଜୁମଡାଙ୍ଗି ହେଲାଣି ଭାଷା ଗଲା ମାନଚିତ୍ରରୁ ବି ଯିବ

ମାଲକାନଗିରି: ଆନ୍ଧ୍ର ଗତ କିଛି ବର୍ଷ ହେଲା ଓଡିଶାର ସୀମାବର୍ତ୍ତୀ ଗ୍ରାମ ଗୁଡିକକୁ ଧସେଇ ପଶି ନିଜର ପାରିବା ପଣିଆ ଦେଖାଉଛି। ଆନ୍ଧ୍ର ସରକାର ଏହୀ ସୀମାନ୍ତ ଗ୍ରାମ ଗୁଡିକକୁ ନିଜ ଅକ୍ତିଆରକୁ ଆଣିବା ପାଇଁ ସୁବିଧା ସୁଯୋଗ ଅଜାଡି ଦେଉଛନ୍ତି। ଧିରେଧିରେ ଲୋକେ ଆମେ ଓଡିଶା ନୁହଁ କହି ଆନ୍ଧ୍ରର ବୋଲି କହୁଛନ୍ତି। ସୀମାନ୍ତ ଗ୍ରାମ ଗୁଡିକରେ ଲୋକେ ଓଡିଆରେ କଥା ହେବା ଭୁଲିଗଲେଣି। ସେମାନଙ୍କ ସହ କଥାବାର୍ତ୍ତା ହେବାକୁ ହେଲେ ତେଲୁଗୁ ଭାଷାରେ ହିଁ କଥା ହେବାକୁ ପଡୁଛି। ଏଭଳି ଘଟଣା ମାଲକାନଗିରି ଜିଲ୍ଲାରେ ମଧ୍ୟ ଘଟୁଥିବା ବେଳେ ପ୍ରଶାସନ ନିଘୋଡ ନିଦରେ ଶୋଇଛି। ସମ୍ବାଦରେ ପ୍ରଥମେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗ ଗ୍ରାମକୁ ଆନ୍ଧ୍ର ନିଜର କରିସାରିଲାଣି ବୋଲି ଖବର ପ୍ରକାଶ କରିଥିଲେ ମଧ୍ୟ ନା ପ୍ରଶାସନ ଏନେଇ ତତ୍ପରତା ଦେଖାଇଛି ନା ସରକାର ବେଳ ଥାଉ ଥାଉ ଏନେଇ କୌଣସି ପଦକ୍ଷେପ ନଗଲେ କୋରାପୁଟ ଜିଲ୍ଲାର କୋଟିଆରେ ଯେଭଳି ଘଟଣା ଘଟୁଛି ତାହା ଘଟିବ। ଓଡିଶାର ଜୁମଡାଙ୍ଗ ଗ୍ରାମକୁ ଆନ୍ଧ୍ର ସରକାର ଜୁମଡାଙ୍ଗି ବୋଲି କରିସାରିଲେଣି। ଲୋକଙ୍କୁ ଭୋଟର ପରିଚୟ ପତ୍ର ଦେବା ସହ ପଞ୍ଚାୟତ ନିର୍ବାଚନରେ ଭୋଟ ଦେବା ପାଇଁ ଆକର୍ଷିତ ମଧ୍ୟ କଲେଣି। ଜୁମଡାଙ୍ଗ ଗ୍ରାମକୁ ଆନ୍ଧ୍ର ନିଜ କବଜାକୁ ନେଉଥିବା ନେଇ ଗତ ଦୁଇ ବର୍ଷ ତଳେ ପ୍ରଥମେ ସମ୍ବାଦ ଖବର ପ୍ରସାରଣ କରିଥିଲା।

ଏହାପରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ବାସ୍ଥ୍ୟ ବିଭାଗର ଏକ ଟିମ ସେଠାରେ ପହଞ୍ଚି ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ସହ ଏକ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଥିଲା। ଯେଉଁ ଟିମ ସେଠାରେ ତଦନ୍ତ କରିଥିଲେ, ସେମାନେ ଗ୍ରାମରେ ଆନ୍ଧ୍ରର ସୁବିଧା ସୁଯୋଗ ଦେଖି ଛାନିଆ ହୋଇ ଯାଇଥିଲେ। ଏତେସବୁ ଘଟିବା ପରେ ମଧ୍ୟ ପ୍ରଶାସନ ଚୁପ ରହିବା କେତେ ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଆଲୋଚନା ଜୋରଧରିଛି।ଓଡିଶା ମାନଚିତ୍ରରେ ଜୁମଡାଙ୍ଗ ଗ୍ରାମ ରହିଛି। ତେବେ ଆଉ କିଛି ଦିନ ପରେ ଏହି ଗ୍ରାମ ମାନଚିତ୍ରରୁ ହଟି ଆନ୍ଧ୍ର ପ୍ରଦେଶର ମାନଚିତ୍ରରେ ସ୍ଥାନ ପାଇବ ବୋଲି କୁହାଯାଇଛି। ଆନ୍ଧ୍ର ସରକାର ଏହି ଗ୍ରାମକୁ ଜୁମଡାଙ୍ଗି କରି ସମସ୍ତ ସୁବିଧା ଯୋଗାଉଛି।

Sambad

ଚିତ୍ରକୋଣ୍ଡାରୁ ପ୍ରାୟ ୭୦ କିଲୋମିଟର ଦୁରରେ ରହିଥିବା ଜୁମଡାଙ୍ଗ ଗ୍ରାମକୁ ନା ପ୍ରଶାସନର କେବେ ପାଦ ପଡିଛି ନା ସରକାର ଏହାର ବିକାଶ ନେଇ କେବେ ଚିନ୍ତା କରିଛନ୍ତି। ଆନ୍ଧ୍ର ଓଡିଶା ସୀମା ବିବାଦ ଲାଗି ରହିଥିବା ବେଳେ ଏବେ ମାଲକାନଗିରି ଜିଲ୍ଲାର ସୀମାନ୍ତରେ ରହିଥିବା ଗ୍ରାମକୁ ନେଇ ମଧ୍ୟ ଆଗାମୀ ଦିନରେ ବିବାଦ ଘନେଇବ ବୋଲି କୁହାଯାଇଛି। ଜୁମଡାଙ୍ଗ ଗ୍ରାମର ଲୋକେ ଚାଉଳ ପାଇଁ ୧୦ କିଲୋମିଟର ନିଜର ପଞ୍ଚାୟତ ଧୂଳିପୁଟ ଗ୍ରାମକୁ କାଁ ଭାଁ ଆସୁଥିଲେ ମଧ୍ୟ ଆନ୍ଧ୍ରକୁ ଲଗାତାର ଯିବା ଆସିବା କରୁଛନ୍ତି।

ଗତ ଦୁଇ ବର୍ଷ ତଳେ ଗ୍ରାମରେ ପ୍ରାୟ ୨୫ ଘର ରହିଥିଲା। ଏବେ ଏହା ହ୍ରାସ ପାଇ ୨୦ ଘର ହେଲାଣି। ଏହି ଗ୍ରାମ ଛାଡି ୫ ପରିବାର ଆନ୍ଧ୍ର ପ୍ରଦେଶକୁ ଚାଲିଯାଇଛନ୍ତି। ଗ୍ରାମରେ ଆନ୍ଧ୍ର ସରକାର ସ୍କୁଲ ନିର୍ମାଣ କରି ପିଲାଙ୍କୁ ତେଲୁଗୁ ଭାଷାରେ ପାଠ ପଢାଇବା ସହ ସେମାନଙ୍କର ମାତୃଭାଷା ତେଲୁଗୁ ବୋଲି ବୁଝାଉଛନ୍ତି। ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ତେଲୁଗୁ ଭାଷାରେ ହିଁ କଥାବାର୍ତ୍ତା ହେଉଛନ୍ତି। ଏପରିକି ନିର୍ବାଚନ ପ୍ରଚାରରେ ସରପଞ୍ଚ ସହ ଅନ୍ୟ ନିର୍ବାଚନ ଲଡୁଥିବା ପ୍ରାର୍ଥୀଙ୍କର ଫଟୋ ଦେଖିବାକୁ ମିଳୁଛି। ଲୋକେ ମଧ୍ୟ ଭୋଟ ଦେବାକୁ ଆନ୍ଧ୍ରକୁ ଯିବାକୁ ମନସ୍ତ କଲେଣି।

ଓଡିଶା ସରକାରଙ୍କର କୌଣସି ସହଯୋଗ ନଥିବାରୁ ଲୋକେ ଆନ୍ଧ୍ର ମୁହାଁ ହେଉଥିବା ଯୁକ୍ତି ବାଢନ୍ତି। ମୁଖ୍ୟତଃ ଏହି ଗ୍ରାମକୁ ରାସ୍ତା ନଥିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଜଣେ ସରକାରୀ ବାବୁ ଆମକୁ ପ୍ରକାଶ କରିଥିଲେ। ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ କହିବା ଅନୁଯାୟୀ ସୀମାନ୍ତ ଗ୍ରାମରେ ଭାଷା ଗଲା ଏବଂ ମାନଚିତ୍ରରୁ ବି ଏହି ଗ୍ରାମଗୁଡିକ ଯିବ ଏଥିରେ ସଂଦେହ ନାହିଁ। ଭାଷା ପାଇଁ ଲଢେଇ କରୁଥିବା ସଂଗଠନ ଗୁଡିକ ଏନେଇ ପଦକ୍ଷେପ ନେବା ଦରକାର ବୋଲି ମଧ୍ୟ ଦାବି ହେଉଛି। ତେବେ ତୁରନ୍ତ ଏନେଇ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର