ପୋଲାଭରମ ପ୍ରକଳ୍ପ ବଢ଼ାଉଛି ମାଲକାନଗିରିବାସୀଙ୍କ ଚିନ୍ତା

ମାଲକାନଗିରି: ଚିତ୍ରକୋଣ୍ଡା ଜଳଭଣ୍ଡାରରେ ବିସ୍ଥାପିତ ଶହ ଶହ ପରିବାରଙ୍କ କ୍ଷତ ଆଜି ବି ଭରଣ ହୋଇ ପାରିନାହିଁ। ଅନ୍ୟପଟେ ପୋଲାଭରମ ପ୍ରକଳ୍ପକୁ ନେଇ ମାଲକାନଗିରି ଜିଲ୍ଲାବାସୀ ଏବେ ଆତଙ୍କିତ ହୋଇପଡିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମାଲକାନଗିରି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଥିବା ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ସହ ଶତାଧିକ ପରିବାର ଭିଟାମାଟି ଛାଡିବାର ଆଶଂକା ପୂର୍ବାନୁମାନ କରାଯାଇଛି। ଏହି ବିବାଦୀୟ ପ୍ରକଳ୍ପକୁ ଓଡିଶା ସମେତ ପଡୋଶୀ ତେଲେଙ୍ଗାନା, ଛତିଶଗଡ ସମେତ ଆନ୍ଧ୍ରର କିଛି ଅଞ୍ଚଳ ମଧ୍ୟ ବିରୋଧ କରି ଆସୁଥିବା ବେଳେ କିନ୍ତୁ ଆନ୍ଧ୍ର ସରକାର ଏକତରଫା ଭାବେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିଛନ୍ତି। ଯାହାଫଳରେ ମାଲକାନଗିରି ଅଞ୍ଚଳର ସୀମାନ୍ତ ଗ୍ରାମ ଗୁଡିକ ଜଳମଗ୍ନ ହେବା ଜଳ ଜଳ ଦିଶୁଛି। ଏହାର ଜ୍ବଳନ୍ତ ଉଦାହରଣ ଗତ ଚାରିଦିନର ବର୍ଷାରେ ଦେଖିବାକୁ ମିଳିଛି। ମଡିଆ ଏବଂ ମୋଟୁ ତହସିଲ ଅଧିନରେ ରହିଥିବା ବହୁ ଗ୍ରାମ ଜଳମଗ୍ନ ହେବା ସହ ଏବେ ମୋଟୁକୁ ସମ୍ପୂର୍ଣ୍ଣ ରୂପେ ଜଳମଗ୍ନ କରିବାକୁ ବସିଛି।

ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ରାଜମହେନ୍ଦ୍ରିର ଗୋଦାବରୀ ଉପରମୁଣ୍ଡରେ ୪୨ କିଲୋମିଟର ଏବଂ ତଳ ମୁଣ୍ଡରେ ୫୫ କିଲୋମିଟର ସ୍ଥାନରେ ଏହି ବହୁମୁଖୀ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି ବହୁମୁଖୀ ପ୍ରକଳ୍ପ ଗୋଟିଏ ରାଜ୍ୟ ପାଇଁ ଉପକାରରେ ଆସୁଥିବା ବେଳେ ତିନୋଟି ରାଜ୍ୟ ଓଡିଶା, ଛତିଶଗଡ ଏବଂ ତେଲେଙ୍ଗାନା କ୍ଷତି ସହୁଛି। ଏହି ପ୍ରକଳ୍ପକୁ ନେଇ ତିନୋଟି ରାଜ୍ୟ ବିରୋଧ କରିବା ସତ୍ବେ କେନ୍ଦ୍ର ସରକାର ଏବଂ ଆନ୍ଧ୍ର ସରକାର ଏକତରଫା ଭାବେ ଏହାକୁ କାର୍ଯ୍ୟକାରୀ କରାଇବାକୁ ଉଦ୍ୟମ କରିଥିବାରୁ ସବୁ ମହଲରେ ନିନ୍ଦା କରାଯାଇଛି। ମାଲକାନଗିରି ଜିଲ୍ଲାର ମୋଟୁ ନିକଟସ୍ଥ ସାବେରୀ ନଦୀ କୂଳରୂ ପ୍ରାୟ ୨୫୦ କିଲୋମିଟର ଦୂରରେ ଏହି ବିବାଦୀୟ ପ୍ରକଳ୍ପଟି ନିର୍ମାଣ କରାଯାଉଛି। ୧୯୭୮ ମସିହାରେ ଏହି ପ୍ରକଳ୍ପର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଜଳଭଣ୍ଡାରର ଜଳସ୍ତର ୧୫୦ ଫୁଟରୁ ଉପରକୁ ଯିବ ନାହିଁ ବୋଲି ଘୋଷଣା କରାଯାଇଥିଲା। ୧୯୯୭ ମସିହାରେ ପୂନଃର୍ବାର ଜଳସ୍ତର ୧୮୨ ଫୁଟ ଉପକକୁ ଅଟକଳ କରାଯାଇଥିଲା।

ଏହା କାର୍ଯ୍ୟକାରୀ ହେଲେ ୭ଟି ଗ୍ରାମ ସମେତ ୧୦୨୬ ହେକ୍ଟର ଜମି ଜଳମଗ୍ନ ହେବାର ଆକଳନ କରାଯାଇଥିଲା। ୧୯୯୯ ମସିହାର ସର୍ଭେ ଅନୁଯାୟୀ ଜଳସ୍ତର ୧୭୯ ଫୁଟ ଉପରକୁ ଉଠିବ ଏବଂ ଏହା ଦ୍ବାରା ୧୦ଟି ଗ୍ରାମ ସହ ୨୧୨୦ ହେକ୍ଟର ଜମି କ୍ଷତିଗ୍ରସ୍ତ ହେବ ବୋଲି ଆକଳନ କରାଯାଇଥିଲା। ତେବେ ପୋଲାଭରମ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ କେତୋଟି ଗ୍ରାମ ଏବଂ କେତେ ହେକ୍ଟର ଜମି ଜଳମଗ୍ନ ହେବ ତାହା ସରକାରଙ୍କ ନିକଟରେ ସଠିକ ରିପୋର୍ଟ ଆଜି ପର୍ଯ୍ୟନ୍ତ ନାହିଁ ବୋଲି ବିଭିନ୍ନ ରାଜନୈତି ଦଳର ନେତାମାନେ ଅଭିଯୋଗ କରି ଆସୁଛନ୍ତି।

ପୋଲାଭରମ ପ୍ରକଲ୍ପର କର୍ତ୍ତୃପକ୍ଷଙ୍କ ହିସାବ ଅନୁଯାୟୀ ଓଡିଶା, ତେଲେଙ୍ଗାନା ଏବଂ ଛତିଶଗଡ ରାଜ୍ୟର ୨୫୦ଟି ଗ୍ରାମ ସମେତ ୩୨୨୩ ହେକ୍ଟର ଜମି ଏବଂ ୪୭,୦୪୩ ହେକ୍ଟର ଅଣ ଜଙ୍ଗଲ ଜମି ଜଳମଗ୍ନ ହେବ। ତତ୍କାଳୀନ ଜଳ ସମ୍ପଦ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ୧୫ଟି ରାଜସ୍ବ ଗ୍ରାମ ସହ ୧୦ଟି ପଡା ଗ୍ରାମ ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହେବ ଆକଳନ କରାଯାଇଥିଲା। ପ୍ରାୟ ୭ ହଜାର ଲୋକ ବିସ୍ଥାପିତ ହେବେ ବୋଲି କୁହାଯାଇଥିଲା। ସେଥିମଧ୍ୟରୁ ୫,୯୧୭ ଜଣ ଆଦିବାସୀ ସମ୍ପ୍ରଦାୟର ଲୋକ। ପୁଣି ୭,୬୫୬ ହେକ୍ଟର ଜମି ପାଣିରେ ବୁଡିବା ସହ ୫,୫୩୮ ହେକ୍ଟର ଜଙ୍ଗଲ ଜମି ବି ଜଳମଗ୍ନ ହେବ ବୋଲି ଆଶଂକା କରାଯାଇଥିଲା। ଉଭୟ ତଥ୍ୟରେ ଫରକ ରହୁଥିବାରୁ ଏବେ ବି ସରକାର ଠିକ ରୂପେ କେତେ ଗ୍ରାମ ଏବଂ କେତେ ଜମି ଜଳମଗ୍ନ ହେବ କେହି ଜାଣିନାହାଁନ୍ତି।

ସମ୍ବନ୍ଧିତ ଖବର