ଠିକାଦାରଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ମାଲକାନଗିରିରେ ସୀମାନ୍ତ ଛତିଶଗଡରେ ପିଏଲଜିଏସ ସପ୍ତାହରେ ହିଂସା ଘଟାଇଛନ୍ତି ନକ୍ସଲ। ଆଜି ସକାଳ ପ୍ରାୟ ୯ଟାରେ ଦନ୍ତେଵାଡା ଜିଲ୍ଲାର ଜଣେ ଠିକାଦାରକୁ ହତ୍ୟା କରିବା ସହ ତାଂକ ବଲେରୋ ଗାଡିଟିକୁ ମଧ୍ୟ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।
ସୂଚନା ଅନୁଯାୟୀ, ଭାଂସି ଥାନା ଅନ୍ତର୍ଗତ କାମଲୁର ଷ୍ଟେସନ ନିକଟରେ ଠିକାଦାର ଗଣେଶ ନାଇଡୁ ଜିନ୍ଦଲ କମ୍ପାନିର ଠିକା କାମ କରୁଥିଲା। ଏହି କାମକୁ ବନ୍ଦ କରିବା ନେଇ ନକ୍ସଲ ପୂର୍ବରୁ ଅନେକ ଥର ଚେତାବନୀ ଦେଇଥିଲେ। ତେବେ ଠିକାଦାର ଗଣେଶ ଏହାକୁ ଖାତିର କରି ନଥିଲେ। ତେଣୁ ଆଜି ସକାଳେ ମାଓବାଦୀ ଫୋନ କରି ଠିକାଦାରଙ୍କୁ ନିକଟସ୍ଥ ‌େଷ୍ସସନକୁ ଡାକିଥିଲେ। କିନ୍ତୁ ଠିକାଦାର ସେଠାକୁ ନଯାଇ ଶ୍ରମିକଙ୍କୁ ମଜୁରି ଦେବାକୁ ଅନ୍ୟତ୍ର ଯାଉଥିଲେ। ଏହି ସୂଚନା ନକ୍ସଲଙ୍କ ନିକଟରେ ପହଞ୍ଚି ଯାଇଥିଲା। ଜଙ୍ଗଲରେ ସଶସ୍ତ୍ର ନକ୍ସଲ ଠିକାଦାରଙ୍କୁ ଅଟକାଇଥିଲେ। ବଲେରୋ ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଇ ଠିକାଦାରଙ୍କୁ ପ୍ରଜାକୋର୍ଟକୁ ନିଆଯାଇଥିଲା। ସେଠାରେ ଗଳାକାଟି ଅତି ନିର୍ମମ ଭାବେ ଠିକାଦାରଙ୍କୁ ହତ୍ୟା କରିଥିଲେ ନକ୍ସଲ। ଘଟଣାସ୍ଥଳରେ ନକ୍ସଲ ପୋଷ୍ଟର ଛାଡ଼ିବା ସହ ଗୋଟିଏ ଗଛରେ ମଧ୍ୟ ପୋଷ୍ଟର ମାରିଥିଲେ। ପୋଷ୍ଟରରେ ପୁଞ୍ଜିବାଦୀ ଏବଂ ସାମ୍ରାଜ୍ୟବାଦୀଙ୍କୁ ଛାଡ଼ ନାହିଁ ବୋଲି ଆହ୍ବାନ ଦିଆଯାଇଛି। ଖବର ପାଇ ଅପରାହ୍ନରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛି। ମୃତ ଠିକାଦାର ଗଣେଶଙ୍କ ଘର ଜଗଦଲପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେହିପରି କାଂକେର ଜିଲ୍ଲା ମହକୁମା ଠାରୁ ମାତ୍ର ଦଶ କିଲୋମିଟର ଦୂରରେ ମଧ୍ୟ ଆଜି ନକ୍ସଲ ବ୍ୟାନର ଓ ପୋଷ୍ଟର ମାରିଛନ୍ତି।

ସମ୍ବନ୍ଧିତ ଖବର