ନିୟମ ରାଜାଙ୍କୁ ପୂଜିଲେ ଡଙ୍ଗରିଆ

କଲ୍ୟାଣସି˚ହପୁର: ପରଂପରା, ସଂସ୍କୃତି ଓ ଜୀବନ ସହ ଜୀବିକାକୁ ଛାଡ଼ିପାରି ନାହାନ୍ତି ଡଙ୍ଗରିଆ କନ୍ଧ। ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ ବସବାସ କରୁଥିବା ଏହି ବିରଳ ଜନଜାତି ନିୟମଗିରି ପାହାଡ଼କୁ ଦେବତା ରୂପେ ପୂଜାର୍ଚ୍ଚନା କରନ୍ତି। ଏପରିକି ନିୟମରାଜା ଏବଂ ଧରଣୀପେନୁର ପୂଜା ପାଇଁ ସବୁ ମତଭେଦକୁ ଭୁଲି ଡଙ୍ଗରିଅା ଏବଂ ଝରଣିଆ ଏକାଠି ହୁଅନ୍ତି। ଗୋଟିଏ ସ୍ଥାନରେ ଏହି ପୂଜା ହେଉଥିବାରୁ ମାଇଲ ମାଇଲ ବାଟ ଅତିକ୍ରମ କରି ଚାଲି ଆସନ୍ତି ନିଜ ପ୍ରିୟର ନିୟମରାଜା ନିକଟକୁ। ଚଳିତ ବର୍ଷ ଗତ ୨୨ତାରିଖରୁ ଏହି ୩ଦିନିଆ ପୂଜା ଆରମ୍ଭ ହୋଇଥିଲା। ଏଥିନିମନ୍ତେ ସମସ୍ତ ଡଙ୍ଗରିଆ ପରିବାର ଚାଉଳ ସହ ଟଙ୍କା ଦେଇଥିଲେ। ନିୟମଗରି ସୁରକ୍ଷା ସମିତିର ସଭାପତି ଲଦ ଶିକକାଙ୍କ ନେତୃତ୍ବରେ ବିଭିନ୍ନ ଗାଁର ଶହ ଶହ ଡଙ୍ଗରିଆଙ୍କ ସମାବେଶ ହୋଇଥିଲା। ମାସକ ପୂର୍ବରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ପୂଜା ସଂପନ୍ନ ହୋଇଛି। ଡଙ୍ଗରିଆ ମହିଳା, ପୁରୁଷମାନେ ନାଚଗୀତ ସହ ସଲପ ରସ ପିଇ ପର୍ବରେ ମସଗୁଲ ହୋଇଥିଲେ।
ପ୍ରଥମ ଦିନରେ ଧରଣୀପେନୁର ସମୟ ଦେଖି ପୂଜା ଆରମ୍ଭ ହୋଇଥିଲା। ନିୟମରାଜାକୁ ଶାନ୍ତି କରିବା ପାଇଁ ସେଠାରୁ ପୂଜା ହୋଇଥିବା ସାମଗ୍ରୀକୁ ନେଇ ରାଜାଙ୍କ ଖୁଣ୍ଟରେ ପୂଜା କରିଥିଲେ। ପୂଜା ସମୟରେ ପଶୁପକ୍ଷୀଙ୍କୁ ବଳିଦେଇ ରାଜାଙ୍କୁ ବି ସନ୍ତୁଷ୍ଟ କରିଥିଲେ। ନିଜ ପରଂପରା ଓ ସାଂସ୍କୃତିକୁ ନେଇ ଆଲୋଚନା ବି କହିଥିଲେ। ନିୟମଗିରି ପାହାଡ ଆମ ବିଶ୍ବାସର ପ୍ରତୀକ। ସରକାର ବିଭିନ୍ନ କଂପାନି ହାତକୁ ନିୟମରାଜାକୁ ଟେକି ଦେବାକୁ ଯୋଜନା କରିଛନ୍ତି। ତାହା କରାଇ ଦେବୁ ନାହିଁ। ମରିବୁ ପଛେ ନିୟମଗିରି ଡଙ୍ଗର ଛାଡିବୁ ନାହିଁ ବୋଲି ସଭାପତି ଲଦ ଶିକକା ସମସ୍ତଙ୍କୁ ପ୍ରତିଜ୍ଞା କରାଇଥିଲେ। ଏହି ପର୍ବ ଦେଖିବା ପାଇଁ ରାଜ୍ୟ ବାହାରୁ ବିଭିନ୍ନ ସ˚ପ୍ରଦାୟର ଲୋକ ଏଠାକୁ ଆସିଥିଲେ। ସେହିପରି ପୂଜା ସମୟରେ ପାରଂପରିକ ଅସ୍ତ୍ରଶସ୍ତ୍ରକୁ ଡଙ୍ଗରିଆ ପ୍ରଦର୍ଶନ କରିବା ସହ ନାଚଗୀତରେ ଏକ ପ୍ରକାର ବିଭୋର ହୋଇଯାଇଥିଲେ। ତିନି ଦିନ ଧରି ନିୟମଗିରି ପାହାଡ ଉପର ବିସ୍ତୃତ ପଡିଆକୁ ରଙ୍ଗ ବେରଙ୍ଗ ଆଲକମାଳାରେ ସୁଜ୍ଜଜିତ କରାଯାଇଥିଲା। ବିଭିନ୍ନ ଗ୍ରାମରୁ ଆସିଥିବା ଡଙ୍ଗରିଆ ଯୁବକ, ଯୁବତୀମାନେ ନିଜ ଭାଷାରେ ସମ୍ମାନ ଜଣାଇବା ପରେ ଆୟୋଜକ କମିଟି ସେମାନଙ୍କୁ ସଂବର୍ଧିତ କରିଥିଲା। କାର୍ଯ୍ୟକ୍ରମରେ ନିୟମଗିରି ସୁରକ୍ଷା ସମତିର ଆବାହାକ ଲିଙ୍ଗରାଜ ଆଜାଦ, କାଶୀପୁର ବ୍ଲକ ପିଏସଏସପି ସଦସ୍ୟ ଶିବରାମ ନାଏକ, ନୟମଗିରି ସୁରକ୍ଷା ସମତି ଯୁବ ସଭାପତି ସାମ୍ବା ହୁଇକା, କଳାହାଣ୍ତି ଜିଲ୍ଲା ନିୟମଗିରି ସୁରକ୍ଷା ସମିତିର ସଭାପତି ଦିଦି ପୁଷିକା, ଖଣ୍ତୁଆଳମାଳି ସୁରକ୍ଷା ସମିତ ସଦସ୍ୟ ବ୍ରିଟିଶ, ଡ୍ରିଞ୍ଜୁ ପୁଷିକା, କୃଷ୍ଣ ଶିକକା, ଡ୍ରିକା କାଡ୍ରାକାଙ୍କ ସହ ବହୁ ଡଙ୍ଗରିଆ ନେତା ଯୋଗଦେଇ ସହଯୋଗ କରିଥିବା ବେଳେ ବଲାଙ୍ଗିର, ବରଗଡ ଜଙ୍ଗଲ ଜଳ ଜମିକୁ ରକ୍ଷା କରୁଥିବା ସ˚ଗ୍ରାମୀମାନେ ମଧୢ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର