ବାଲିମେଳା ଜଳଭଣ୍ଡାର ୪ଗେଟ୍‌ ଖୋଲିଲା

ମାଲକାନଗିରି/ଚିତ୍ରକୋଣ୍ଡା: ଗତକାଲି ରାତିରେ ପ୍ରବଳ ବର୍ଷା ହେବାପରେ ଆଜି ବାଲିମେଳା ଜଳଭଣ୍ଡାର ଗେଟ୍‌ ଖୋଲାଯାଇଛି। ଚଳିତ ବର୍ଷ ଆଜି ଦ୍ୱିତୀୟ ଥର ପାଇଁ ଗେଟ୍‌ ଖୋଲିଛି। ସକାଳ ପ୍ରାୟ ୧୧ଟାରେ ୪, ୫, ୬ ଏବଂ ୮ନମ୍ବର ଗେଟ ଖୋଲି ପ୍ରତି ସେକେଣ୍ଡରେ ୨୦କ୍ୱିସେକ ଜଳ ନିଷ୍କାସନ କରାଯାଉଛି। ତେବେ ଜିଲ୍ଲାର ପ୍ରମୁଖ ନଦୀନାଳ ସବୁ ଭର୍ତି ହୋଇଯାଇଥିବାରୁ ଜଳଭଣ୍ଡାରରେ ପ୍ରତି ସେକେଣ୍ଡରେ ୨୪ ହଜାର ୫ଶହ କ୍ୱିସେକ ଜଳ ପଶୁଛି। ଜଳପତନ କ୍ରମାଗତ ବଢି ଚାଲିଛି।
ଆଜି ସକାଳେ ସ୍ଥିତି ଏମିତି ହୋଇଥିଲା ଯେ ପ୍ରଶାସନ ତରବରିଆ ଭାବେ ନିଷ୍ପତ୍ତି ନେଇଥିଲା। କାରଣ ଜଳଭଣ୍ଡାରର ବିପଦ ସଂକେତ ପାଖାପାଖି ଜଳସ୍ତର ବଢ଼ି ଯାଇଥିଲା। ତେଣୁ ବିଳମ୍ବ ନକରି ଏବଂ ତଳି ଅଞ୍ଚଳରେ ରହୁଥିବା ଲୋକଙ୍କୁ ପୂର୍ବରୁ ସୂଚନା ନଦେଇ ଗେଟ୍‌ ଗୁଡ଼ିକ ଖୋଲାଯାଇଥିଲା। ଏନେଇ ଜଳଭଣ୍ଡାର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ବିଜୟ କୁମାର କାଲତାଙ୍କ କହିବା ହେଲା ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଥମେ ପ୍ରଚାର କରିବା ପରେ ଆଜି ୪ଟି ଗେଟ ଖୋଲାଯାଇଛି। ସେହିପରି ଡିପ୍ଲୋମା ଇଂଜିନିୟରମାନେ ଗତ ୧୦ ତାରିଖ ଠାରୁ ବିକ୍ଷୋଭ କରୁଥିବାରୁ ସେମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ ହେବା ପାଇଁ ଅନୁରୋଧ କରାଯାଇଥିଲା। ଗୁରୁପ୍ରିୟା ସେତୁକୁ କୌଣସି ବିପଦ ରହିଥିବା ନେଇ ପ୍ରଶ୍ନ କରାଯିବାରୁ କିଛି ବିପଦ ନଥିବା ସେ କହିଥିଲେ। ବର୍ଷା କମିବା ପରେ ଗେଟ୍‌ ବନ୍ଦ କରାଯିବ ବୋଲି ମୁଖ୍ୟ ଯନ୍ତ୍ରୀ ଶ୍ରୀ କାଲତା କହିଥିଲେ। ଅନ୍ୟପକ୍ଷରେ ସାବେରୀ ନଦୀର ଜଳସ୍ତର ବୃଦ୍ଧି ପାଇବା ପରେ ନିକଟରେ ଥିବା ଜାନବାଇ ହସପିଟାଲରେ ପାଣି ପଶିଯାଇଥିଲା। ଜାନବାଇ ମେଡିକାଲର ସମସ୍ତ କଠୋରୀରେ ପାଣି ଭର୍ତ୍ତି ହେବା ପରେ ରୋଗୀ ମଧ୍ୟ ହନ୍ତସନ୍ତ ହୋଇଥିଲେ। ଗତକାଲି ଠାରୁ ଚିତ୍ରକୋଣ୍ଡା ଏବଂ ବାଲିମେଳା ଅଂଚଳରେ ପ୍ରବଳ ବର୍ଷା ହେବା ଫଳରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଥିବା ଜଣାପଡିଛି। ପ୍ରଶାସନ ତରଫରୁ ଏହି ଅଂଚଳରେ ଲୋକଙ୍କୁ ସହଯୋଗ ଯୋଗାଇ ଦେବା ପାଇଁ ସବୁ ପ୍ରକାର ବନ୍ଦବସ୍ତ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର