ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ବୃଦ୍ଧା

ମାଲକାନଗିରି: ସାଲିମି ଖିଲ। ବୟସ ପାଖାପାଖି ୬୫ ହେବ। ମାଲକାନଗିରି ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତ ଅନ୍ତର୍ଗତ କୋଙ୍ଗଡି ଗ୍ରାମରେ ଘର। ଜୀବନର ଅପରାହ୍ନରେ ସାଲିମି ପହଞ୍ଚିଥିବା ବେଳେ ଏବେ ସେ ଅସହାୟ ହୋଇ ପଡିଛନ୍ତି। ଆଖିକୁ ଦିଶୁନଥିବା ବେଳେ ଭିନ୍ନକ୍ଷମ ପାଲିଟିଛନ୍ତି। ଦୀର୍ଘ ବର୍ଷ ହେଲା ସ୍ୱାମୀ ରାଜୁ ଅଜଣା ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଛନ୍ତି। ଏହାପରେ ସାଲିମି ଭିନ୍ନକ୍ଷମ ପାଲଟିଥିବାରୁ ଗୋଟିଏ ସ୍ଥାନରେ ବସି ରହୁଛନ୍ତି। ତେବେ ନିଜର ବୋଲି କେହି ନଥିବାରୁ ସଂପର୍କୀୟ ବୁଦ୍ରି ଖିଲ ନାମକ ଜଣେ ମହିଳାଙ୍କ ଘରେ ଆଶ୍ରୟ ନେଇଛନ୍ତି। ନିଜର ଘର ନଥିବା ବେଳେ ତାଙ୍କୁ ପ୍ରଶାସନ ତରଫରୁ ଭତ୍ତା, ଇନ୍ଦିରା ଆବାସ କିମ୍ବା ରାସନ କାର୍ଡ ମିଳିନାହିଁ। ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁନଥିବା ସେ କହିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ସେ ପୂର୍ବରୁ ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳ ଗାଲିକୋଣ୍ଡା ଗ୍ରାମରେ ରହୁଥିଲେ। ସ୍ୱାମୀର ଅକାଳ ମୃତ୍ୟୁ ପରେ ସେ ଏକାକି ହୋଇଯାଇଥିଲେ। ନିଜର କୌଣସି ପିଲା ନଥିବାରୁ ସେ ବାଧ୍ୟ ହୋଇ କୋଙ୍ଗଡି ଗ୍ରାମକୁ ଚାଲି ଆସିଥିଲେ। ଦୀର୍ଘ ବର୍ଷ ଏଠାରେ ରହିଲେ ମଧ୍ୟ କେହି ତାଙ୍କୁ ସହଯୋଗ କରୁନଥିବା ସେ କହିଥିଲେ। ସଂପର୍କୀୟ ବୁଦ୍ରି ଯାହା ଦିଅନ୍ତି ସେତିକିରେ ସେ ଚଳିଯାଉଥିବା କହିଛନ୍ତି। ଆଖିକୁ ଦିଶୁନଥିବାରୁ ଆଗ ଭଳି ଆଉ କାମ କରିପାରୁନଥିବା କହିଥିଲେ। ତେଣୁ ସାଲିମିକୁ ଚିହ୍ନଟକରି ଭତ୍ତା ସହ ରାସନ କାର୍ଡ ଏବଂ ଇନ୍ଦିରା ଆବାସ ଯୋଗାଇଦେବାକୁ ସେ ପ୍ରଶାସନ ନିକଟରେ ନେହୁରା ହୋଇଛନ୍ତି। ଏନେଇ ବିଡିଓ ବିରଞ୍ଚି ନାରାୟଣ ଦରୱାନଙ୍କୁ ପଚାରିବାରୁ ସେ ଏନେଇ ପଦକ୍ଷେପ ନେବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର