ମୋବାଇଲ ଟାୱାର ନାଁରେ ଦେଢ଼ ଲକ୍ଷ ଠକେଇ

ମାଲକାନଗିରି: ମାଲକାନଗିରିରେ ଏକ ଘରୋଇ ମୋବାଇଲ ନେଟୱର୍କର ଟାୱାର ସ୍ଥାପନ ଆଳରେ ଦେଢ଼ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ଠକ ମୋବାଇଲ କଂପାନି ନାଁରେ ଜାଲି ଚୁକ୍ତି କରି ଟଙ୍କା ଠକି ନେଇଥିବା ଏମଭି-୪୫ ଗ୍ରାମର ଜଣେ ବ୍ୟକ୍ତି କହିଛନ୍ତି। ଏନେଇ ସେ ସମସ୍ତ କାଗଜପତ୍ର ଧରି ମାଲକାନଗିରି ଥାନାକୁ ଯିବେ ଏବଂ ଏତଲା ଦେବେ ବୋଲି କହିଛନ୍ତି।
ଅଭିଯୋଗ ଅନୁଯାୟୀ, ଏମଭି-୪୫ ଗ୍ରାମର ରବିନ୍ଦ୍ରନାଥ ମଣ୍ଡଳଙ୍କୁ ଗୋଟିଏ ଅଜଣା ନମ୍ବରରୁ ଫୋନ ଆସିଥିଲା। ତାଙ୍କ ଜମିରେ ମୋବାଇଲ ଟାୱାର ସ୍ଥାପନ ହେବ। ଏଥିପାଇଁ କମ୍ପାନି ୨୨ ଲକ୍ଷ ଟଂକା ଦେବା ସହ ଟାଵାର ସୁରକ୍ଷା ପାଇଁ ମାସିକ ୧୫ ହଜାର ଟଂକା ଦେବ ବୋଳି କୁହାଯାଇଥିଲା। ବାରମ୍ବାର ଫେଶନ କରି ଶହେ ବର୍ଗଫୁଟଟ ଜମି ରଖିବା ପାଇଁ ଫୋନରେ କୁହାଗଲା। ଏଥିପାଇଁ ତାଂକୁ ଟିଡିଏସ ବାବଦକୁ ୭୫ ହଜାର ଟଂକା ଏବଂ ଏନଓସି ବାବଦକୁ ୧୨ ହଜାର ୫ ଶହ ଟଂକା ଓ ଜିଏସଟି ବାବଦକୁ ୫୫ ହଜାର ଟଂକା ଦେବାକୁ ପଡିବ। ଏହାକୁ ବ୍ୟାଙ୍କ ଦ୍ବାରା ଆରଟିଜିଏସ କରିବାକୁ ପଡିବ। ତେଣୁ ସମସ୍ତ କାଗଜପତ୍ର ଠିକ କରିବାକୁ ପ୍ରଥମେ କୁହାଯାଇଥିଲା।

ରବିନ୍ଦ୍ର ଏଭଳି ଲୋଭନୀୟ ସୁଯୋଗକୁ ହାତ ଛଡା କରିବାକୁ ଚାହିଁନଥିଲେ। ସେ ଧାର କରଜ କରି ଟଂକା ଯୋଗାଡ କରିଥିଲେ। ଗତ ମାସ ୧୧ତାରିଖ ସୁଦ୍ଧା ଟଙ୍କା ପୈଠ ସହ କାଗଜପତ୍ର କାମ ସାରି ରବିନ୍ଦ୍ର ଯେଉଁ ନମ୍ବରରୁ ଫୋନ ଆସିଥିଲା ସେଥିରେ ବାରମ୍ବାର ଯୋଗାଯୋଗ କରିଥିଲେ। ଏହାପରେ ସେହିମାସ ୨୦ ତାରିଖ ଦିନ ଏମଓୟୁ ଦସ୍ତଖତ ହୋଇଥିଲା। କିନ୍ତୁ ଏହାପରେ ଆରମ୍ଭ ହୋଇଥିଲା ଠକାମିର ଅସଲ ଖେଳ। ଟଙ୍କା ନେଇ ପାର ହୋଇଯାଇଥିବା ଠକ ଆଉ ଫୋନ କରି ନଥିଲେ। ଏପଟୁ ଫୋନ ଗଲେ ଅଳ୍ପ ଦିନ ମଧ୍ୟରେ କାମ ଆରମ୍ଭ ହୋଇଯିବ ବୋଳି କୁହାଗଲା। ଏମିତି ଦିନ ପରେ ଦିନ ବିତିବା ସ‌େତ୍ତ୍ବ କୌଣସି କାମ ହୋଇ ନଥିଲା। କିଛି ଦିନ ଅପେକ୍ଷା କରିବା ପରେ ବି କୌଣସି ଉତ୍ତର ନିମଳିବାରୁ ଠକାମିର ଶିକାର ହୋଇଥିବା ରବିନ୍ଦ୍ର ଜାଣିବାକୁ ପାଇଥିଲେ। ତେଣୁ କିଛି ବନ୍ଧୁଙ୍କ ସହ ଆଲୋଚନା କରି ଉକ୍ତ ନମ୍ବରରେ ଯୋଗାଯୋଗ କରିବାରୁ ଗୋଟିଏ ଠକ ଦଳ ଏହି କାମ କରିଥିବା ସ୍ପଷ୍ଟ ହୋଇଯାଇଥିଲେ। ରବିନ୍ଦ୍ର ଏନେଇ ମାଲକାନଗିରି ଥାନାରେ ଏତଲା ଦାୟର କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର