୧୦ ନକ୍ସଲ ନିହତ ଘଟଣା:ଚିହ୍ନଟ ହେଲେ ୭ ଜଣ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଭେରମଗଡ଼ ଜଙ୍ଗଲରେ ଗତକାଲି ପୁଲିସ ଏନକାଉଣ୍ଟରରେ ୧୦ଜଣ ନକ୍ସଲ ନିହତ ହୋଇଥିଲେ। ଏଥିରେ ୫ମହିଳା ଓ ୫ପୁରୁଷ ନକ୍ସଲ ରହିଥିବା ବେଳେ ୩ଜଣଙ୍କୁ ଚିହ୍ନଟ କରାଯାଇ ନାହିଁ। ପୁରୁଣା ରେକର୍ଡ ଏବଂ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ଦ୍ବାରା ଆଉ ୭ଜଣ ନକ୍ସଲଙ୍କୁ ଚିହ୍ନଟ କରାଯାଇଛି ସେମାନେ ହେଲେ ମଙ୍ଗତୁ ପଜ୍ଜା, କୁମାଟି ପଡିଆମି, ଜୁକ୍କା ବୋଟେ, ଶାନ୍ତି ତାତି, ମୁକ୍କୁ ପଜ୍ଜା, ପୋଲ ଅଡି ଓରଫ ହିଡମା ଓ ଫୁଲମତି ପଜ୍ଜା। ଆଜି ଘଟଣା ସଂପର୍କରେ ଅଧିକ ସୂଚନା ଦେଇ ବିଜାପୁର ଏସପି ମୋହିନ ଗର୍ଗ କହିଛନ୍ତି ଯେ ଘଟଣା ସ୍ଥଳରୁ ନକ୍ସଲଙ୍କ ଶବ ଏବଂ ଜବତ ସାମଗ୍ରୀ ପୁଲିସ ମୁଖ୍ୟାଳୟକୁ ଅଣାଯାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଯୋଗାଯୋଗ କରାଯାଇଛି। ପରିବାର ସଦସ୍ୟ ଆସିଲେ ଶବ ଦିଆଯିବ ନଚେତ ପୁଲିସ ପକ୍ଷରୁ ଶେଷକୃତ୍ୟ କରାଯିବ।
ଚଳିତ ବର୍ଷର ଏହା ଥିଲା ସବୁଠାରୁ ବଡ଼ ଅପରେସନ। ପୁଲିସକୁ ‌ଯେଉଁ ବିଶ୍ବସ୍ତ ସୂତ୍ରରୁ ଯେଉଁ ସୂଚନା ମିଳିଥିଲା ତାହାକୁ ଗୁଇନ୍ଦା ବିଭାଗ ପକ୍କା କରିଥିଲା। ଏହାପରେ ଅଳ୍ପ ଅଳ୍ପ କରି ଯବାନଙ୍କୁ ଘଟଣା ସ୍ଥଳକୁ ପଠାଯାଇଥିଲା। ଏଥିପାଇଁ ଅଧିକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଏହାର ଟେର୍ ପାଇ ନଥିଲେ ନକ୍ସଲ। ଘଟଣା ସ୍ଥଳରୁ ୧୦ଟି ଶବ ମିଳିଥିବା ବେଳେ ୧୨ଟି ବନ୍ଧୁକ ମିଳିଛି। ତେଣୁ ଆହୁରି କିଛି ନକ୍ସଲ ନିହତ ହୋଇଥିବା ଅନୁମାନ କରାଯାଉଛି। ତେବେ ଘଟଣା ସ୍ଥଳରୁ ସାଥୀ ନକ୍ସଲ ସେମାନଙ୍କ ଶବ ନିଆଯାଇଥିବା ଏସପି କହିଛନ୍ତି। ଯବାନଙ୍କ କହିବା ହେଲା ଅଟୋମେଟିକ ବନ୍ଧୁକରୁ ନକ୍ସଲ ଗୁଳି ଚଳାଉଥିଲେ। ଯାହାଫଳରେ ଦୀର୍ଘ ସମୟ ଧରି ଅପରେସନ ଚାଲିଥିଲା। କିନ୍ତୁ ସର୍ଚ ଅପରେସନ ସମୟରେ ଏହି ବନ୍ଧୁକ ମିଳିନଥିବାରୁ ନକ୍ସଲ ନେଇ ଚାଲି ଯାଇଥିବା ଏସପି ପ୍ରକାଶ କରିଛନ୍ତି।
ବିଜାପୁର ପୁଲିସ ପାଇଁ ଏହା ବଡ ସଫଳତା। ଆହତ ନକ୍ସଲମାନେ ନିକଟସ୍ଥ ଡାକ୍ତରଖାନା କିମ୍ବା ଗାଁ ଗୁଡିକରେ ଚିକିତ୍ସିତ ହେଉଥିବା ଅନୁମାନ କରାଯାଉଛି। ଏଥିପାଇଁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ଗୁଇନ୍ଦା ବିଭାଗକୁ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖିବାକୁ କୁହାଯାଇଛି। ସମ୍ଭାବିତ ସ୍ଥାନରେ ନକ୍ସଲଙ୍କ ଚଳପ୍ରଚଳ ଜଣାପଡ଼ିଲେ ପୁଣି ଅପରେସନ ହେବ ବୋଲି ପୁଲିସ ଆଜି ପ୍ରକାଶ କରିଛି। ଗତକାଲିର ଗୁଳି ବର୍ଷଣର ତରିକା ଏବଂ ପ୍ରାୟ ସମସ୍ତ ନକ୍ସଲ ବନ୍ଧୁକ ଧରିଥିବାରୁ ବହୁ ସଂଖ୍ୟାରେ ଆଗଧାଡ଼ିର ନକ୍ସଲ କ୍ୟାମ୍ପ କରିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ବଡ଼ କଥା ହେଲା ଏତେବଡ଼ ଅପରେସନ ସତ୍ତ୍ବେ ବିନା ଅଘଟଣରେ ଯବାନମାନେ ସୁରକ୍ଷିତ ଭାବେ କ୍ୟାମ୍ପକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର