୧୦୮ କିଲୋ ଗଂଜେଇ ଜବତ, ୭ ଗିରଫ

ମାଲକାନଗିରି, ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଓର୍କେଲ ପୋଲିସକୁ ଗଂଜେଇ ଜବତ କରିବାରେ ମିଳିଛି ବଡ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ ଓର୍କେଲ ପୋଲିସ ଗଂଜେଇ ଚାଲାଣକାରୀଙ୍କ ଉପରେ ନଜର ରଖିଥିବା ବେଳେ ଗତକାଲି ରାତିରେ ତିନିଟି ଗାଡିକୁ ଅଟକାଇ ଯାଞ୍ଚ କରିବା ସମୟରେ ଗଂଜେଇ ରହିଥିବା ଦେଖିବାକୁ ପାଇଥିଲା। ଏହି ତିନିଟି କାରରୁ ୧୦୮ କିଲୋ ଗଂଜେଇ ଜବତ କରିବା ସହ ୭ ଜଣ ଆସାମୀକୁ ଗିରଫ କରାଯାଇଥିଲା। ତେବେ ଜବତ ଗଂଜେଇର ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପ୍ରକାଶ କରିଛି। ଗିରଫ ସାତ ଜଣ ଆସାମୀଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ସୂଚନା ଥାଉକି, ପୋଲିସ ଗଂଜେଇ ଚାଲାଣ ରୋକିବାରେ ସଫଳତା ପାଇବା ପରେ ରାଜ୍ୟ ଅବକାରୀ ବିଭାଗ ତରଫରୁ ୫ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ପାଇ ସାରିଛି। ବିଶେଷ କରି ଜିଲ୍ଲାର ଓର୍କେଲ ପୋଲିସ ସବୁଠାରୁ ବେଶୀ ଗଂଜେଇ ଜବତ କରିଥିଲା। ତେବେ ଏହି ଗଂଜେଇ ଚିତ୍ରକୋଣ୍ଡାରୁ ହରିୟାନାକୁ ଚାଲାଣ କରାଯାଉଥିବା ଜଣାପଡିଛି। ବାହାର ରାଜ୍ୟରେ ଗଂଜେଇର ମୂଲ୍ୟ ଆକାଶ ଛୁଆଁ ହୋଇଥିବା ଯୋଗୁଁ ମାଫିଆମାନେ ରାତାରାତି ଧନୀ ହେବା ଆଶାରେ ଗଂଜେଇ ଚାଲାଣ କରୁଛନ୍ତି। ତେବେ ଆଗାମୀ ଦିନରେ ମଧ୍ୟ ଗଂଜେଇ ଚାଲାଣ ରୋକିବାରେ ମାଲକାନଗିରି ପୋଲିସ ଚଢାଉ ଜାରି ରଖିବ ବୋଲି କହିଛି।

ସମ୍ବନ୍ଧିତ ଖବର