ଗଂଜେଇ ମାମଲାରେ ୧୧ଜଣ ଦୋଷୀ ସାବ୍ୟସ୍ତ:୧୦ ବର୍ଷ ଜେଲ, ଲକ୍ଷେ ଜରିମାନା

ମାଲକାନଗିରି,: ମାଲକାନଗିରି ଅତିରିକ୍ତ ଜିଲ୍ଲାଜଜ୍‌ ଆଜି ଗ‌େଞ୍ଜଇ ଚୋର ଚାଲାଣ ମାମଲାର ଶୁଣାଣି କରି ୧୧ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ୧ଲକ୍ଷ ଟଂକା ଲେଖାଏଁ ଜୋରିମାନା ଆଦାୟ ନେଇ ନିର୍ଦେଶ ଦେଇଛନ୍ତି। ଟିଆର କେଶ ନମ୍ବର ୯/୨୦୧୮ ଅନୁଯାୟୀ ବିଭିନ୍ନ ସ୍ଥାନରେ ଗଂଜେଇ ଚାଲାଣ କରୁଥିବା ମୁଦୁଲିପଡା ଥାନା ଅନ୍ତର୍ଗତ ବନ୍ଧୁଗୁଡା ଗ୍ରାମର ମଙ୍ଗଳା ଶିଶା (୨୩), ଯୋଡାମ୍ବ ଥାନା ଅନ୍ତର୍ଗତ ଗୋରାସେତୁ ଗ୍ରାମର ମାଧବ ହନ୍ତାଳ (୨୨), କୋଟପାଡ ଥାନା ଅନ୍ତର୍ଗତ ସଙ୍କରଡା ଗ୍ରାମର ନରସିଂହ ନାୟକ (୨୮), ମୁଦୁଲିପଡା ଥାନା ଅନ୍ତର୍ଗତ ପଡିଗୁଡା ଗ୍ରାମର ସୋମନାଥ କିରସାନୀ (୩୬), କୋଟପା଼ଡ ଥାନା ଅନ୍ତର୍ଗତ ସଙ୍କରଡା ଗ୍ରାମର ରମେଶ ଚନ୍ଦ୍ର ସୁତା (୩୬), ଯଡାମ୍ବ ଥାନା ଅନ୍ତର୍ଗତ ସିନ୍ଧିପୁଲ ଗ୍ରାମର ବୁଦୁ ଆଲାଙ୍ଗ (୨୨), ବୈପାରିଗୁଡା ଥାନା ଅନ୍ତର୍ଗତ ଗୌଡସାହିର ଉମାଶଂକର ଭୁୟାଁ (୩୩), କୋଡପାଡ ଥାନା ଅନ୍ତର୍ଗତ ଦୁଲୁପୁର ଗ୍ରାମର ମହମ୍ମଦ ବିଲାଲ (୨୯), ଯଡାମ୍ବ ଥାନା ଅନ୍ତର୍ଗତ ଗୋରାସେତୁ ଗ୍ରାମର ଶ୍ୟାମସୁନ୍ଦର ଖରା (୨୧), ଯଡାମ୍ବ ଥାନା ଅନ୍ତର୍ଗତ ସିନ୍ଧିପୁଟ ଗ୍ରାମର ଧନୁର୍ଯ୍ୟୟ ଗଲୋରୀ(୨୭), କୋଡପାଡ ଥାନା ଅନ୍ତର୍ଗତ ସୁତିପଦର ଗ୍ରାମର ବସନ୍ତ କୁମାର ଉଯୋଗୀ(୩୮)ଙ୍କୁ ସାକ୍ଷ୍ୟ, ପ୍ରମାଣ ଆଧାରରେ ଆଜି ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହାପରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ ପ୍ରଜ୍ଞାନଳିନୀ ମିଶ୍ର ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧ ଲକ୍ଷ ଟଂକା ଲେଖାଏଁ ଜୋରିମାନା ଆଦାୟ ନେଇ ନିର୍ଦେଶ ଦେଇଛନ୍ତି। ଜୋରିମାନା ଅନାଦୟ ହେଲେ ପୁନଃ ୬ ମାସ ସଶ୍ରମ କାରାଦଣ୍ଡ ପାଇଁ ନିର୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ଭବାନୀ ଚରଣ ମିଶ୍ର ପରିଚାଳନା କରୁଥିଲେ। ପ୍ରକାଶ ଥାଉକି ଗତ ୨୦୧୮ ମସିହା ଜାନୁଆରି ୧୨ ତାରିଖ ଦିନ ଗୋବିନ୍ଦପାଲ୍ଲୀ ନିକଟରେ ପୁଲିସ ଏକ ସ୍କୋର୍ପିଓ ଗ‌ାଡ଼ି ଜବତ କରିବା ସହ ୧୧ ଜଣ ଗଂଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିଥିଲେ। ଏହି ସ୍କୋର୍ପିଓ ଗାଡିରୁ ୬୯୨ କିଲୋ ଗଂଜେଇ ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର