ଗୋବିନ୍ଦପାଲ୍ଲୀ: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ପଞ୍ଚାୟତର ଅନ୍ଧାରି ଗ୍ରାମରେ ମାତ୍ର ୧୩ଦିନର ଶିଶୁପୁତ୍ରର ପେଟରେ ଦିଆଯାଇଛି ଚେଙ୍କ। ଶିଶୁଟିର ମଳଦ୍ବାର ନଥିବାରୁ ଉନ୍ନତ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ଅର୍ଥାଭାବ ଯୋଗୁଁ ପରିବାର ଲୋକ ଶିଶୁକୁ କଟକ ନନେଇ ଗାଁର ଜଣେ ଗୁଣିଆଙ୍କ ପରାମର୍ଶ କ୍ରମେ ପେଟରେ ଚେଙ୍କ ଦେଇଛନ୍ତି। ଚେଙ୍କ ଦେବା ପରେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ଜିଲ୍ଲା ପ୍ରଶାସନ ନିକଟରେ ଖବର ପହଞ୍ଚିବା ପରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଶିଶୁଟିକୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଶିଶୁଟି ସୁସ୍ଥ ହେବା ପରେ ଆଜି ଅନ୍ଧାରି ଗାଁକୁ ପଠାଇ ଦିଆଯାଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଅନ୍ଧାରି ଗ୍ରାମର ମଦନ ପଡାଲଙ୍କ ପତ୍ନୀ ଭାନୁ ପଡାଲ ପ୍ରସବ ବେଦନା ଅନୁଭବ କରିବାରୁ ୧୩ଦିନ ତଳେ ତାଙ୍କୁ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ସେହିଦିନ ହିଁ ଭାନୁ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। କିନ୍ତୁ ନବଜାତ ଶିଶୁର ମଳଦ୍ବାର ନଥିବା ଜାଣିବା ପରେ ପରିବାର ଲୋକ ଚିନ୍ତାରେ ପଡିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ଶିଶୁଟିକୁ ମାଲକାନଗିରି ଓ ପରେ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କୋରାପୁଟରେ ଶିଶୁର ଚିକିତ୍ସା ସମ୍ଭବ ନଥିବାରୁ କଟକ ବଡ ମେଡ଼ିକାଲ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ କଟକ ନେବାକୁ ପାଖରେ ଟଙ୍କା ନଥିବାରୁ ପରିବାର ଲୋକ ଶିଶୁଟିକୁ ନିଜ ଘରକୁ ନେଇ ଆସିଥିଲେ। ଅନ୍ୟପଟେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ୪ଦିନ ତଳେ ମଦନ ଓ ପତ୍ନୀ ଭାନୁ ଶିଶୁଟିକୁ ଗାଁର ଜଣେ ଗୁଣିଆକୁ ଦେଖାଇଥିଲେ। ପରେ ଗୁଣିଆର ପରାମର୍ଶ କ୍ରମେ ମଦନ ଓ ଭାନୁ ନିଜ ଶିଶୁର ପେଟରେ ଚେଙ୍କ ଦେଇଥିଲେ। ଚେଙ୍କ ଦେବା ପରେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରିବର୍ତେ ବିଗିଡିବାରେ ଲାଗିଥିଲା। ଏନେଇ ଜିଲ୍ଲା ପ୍ରଶାସନ ନିକଟରେ ଖବର ପହଞ୍ଚିଥିଲା। ପରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନିର୍ଦେଶ କ୍ରମେ ଶିଶୁଟିକୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ଆଜି ଶିଶୁଟିକୁ ନିଜ ଗାଁକୁ ପଠାଇ ଦିଆଯାଇଥିବା ସୂଚନା ମିଳଛି। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେଲେ ଶିଶୁଙ୍କୁ ଚେଙ୍କ ନଦେଇ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। କିନ୍ତୁ ବର୍ତମାନ ବି ଅନେକ ଅଞ୍ଚଳରେ ଲୋକେ ଅନ୍ଧବିଶ୍ବାସର ବଶବର୍ତୀ ହୋଇ ଶିଶୁ ମାନଙ୍କୁ ଚେଙ୍କ ଦେଉଥିବା ନଜିର ରହିଛି।
ଚିକିତ୍ସା ପାଇଁ ଅର୍ଥାଭାବ, ୧୩ ଦିନର ଶିଶୁକୁ ଚେଙ୍କ
/sambad/media/post_attachments/wp-content/uploads/2018/03/child.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)