୧୫ଟି ବୁଥରେ ମତଦାନ ନୋହିଲା:୪ ମୋଟର ଲଞ୍ଚକୁ ଅଟକାଇଲେ ନକ୍ସଲ

ମାଲକାନଗିରି: ଯାହା ପୂର୍ବରୁ ଅନୁମାନ କରାଯାଉଥିଲା ଆଜି ତାହା ହିଁ ହେଲା। ନକ୍ସଲଙ୍କ ଭୟରେ ମାଲକାନଗିରି ଜିଲ୍ଲାର ୫୪୦ଟି ବୁଥ ମଧ୍ୟରୁ ୧୫ଟି ବୁଥରେ ଆଦୌ ମତଦାନ ହୋଇନାହିଁ। ଦୁର୍ଗମ ଅଞ୍ଚଳର ବୁଥ୍ ଗୁଡ଼ିକରେ କେତେ କ’ଣ ମତଦାନ ହୋଇଛି ତାହା ସଠିକ୍ ସୂଚନା ମିଳିନଥିବାରୁ ଆଦୌ ମତଦାନ ଓ ସ୍ବଳ୍ପ ମତଦାନ କେନ୍ଦ୍ର ସଂଖ୍ୟା ବଢ଼ିବ ବୋଲି ଅନୁମାନ କରାଯାଉଛି। ନକ୍ସଲଙ୍କ ବାରମ୍ବାର ଧମକ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇ କୁହାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ମାଥିଲି ବ୍ଲକର ଟେମରୁପାଲ୍ଲୀ ସ୍ଥିତ ୬ ନମ୍ବର ଏବଂ ୮ ନମ୍ବର ବୁଥରେ ଜଣେ ବି ଭୋଟ ଦେବାକୁ ଯାଇ ନଥିଲେ। ପୋଲିଂ ପାର୍ଟି ନିର୍ଧାରିତ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ଫେରିଛନ୍ତି। ସେହିପରି ଚିତ୍ରକୋଣ୍ଡା ଅଂଚଳର କୁନ୍ତରପଦର ଠାରେ ଗୋଟିଏ ସ୍ଥାନରେ ଅସ୍ଥାୟୀ ରୂପେ କରାଯାଇଥିବା ୧୨ଟି ବୁଥରେ ମଧ୍ୟ ଆଦୌ ମତଦାନ ହୋଇ ନାହିଁ। ଏହି ସ୍ଥାନ ଗୁଡିକରେ ନକ୍ସଲ ଭୋଟ ବର୍ଜନ କରିବା ପାଇଁ ପୂର୍ବରୁ ବାରମ୍ବାର ଧମକ ଦେଇ ଆସୁଥିଲେ। ପୋଷ୍ଟର ଏବଂ ବ୍ୟାନର ଲଗାଇ ସୀମାନ୍ତ ଗ୍ରାମବାସୀଙ୍କୁ ଭୟଭୀତ କରିବା ସହ ନକ୍ସଲଙ୍କ ଚଳପ୍ରଚଳ ଏହି ଅଞ୍ଚଳରେ ଲାଗି ରହିଥିଲା। ତେଣୁ ଲୋକେ ସୁରକ୍ଷା କାରଣରୁ ଘରୁ ବାହାରି ନଥିଲେ। ଏପରିକି ଟେମରୁପାଲ୍ଲୀ ଅଞ୍ଚଳ ସଂପୂର୍ଣ୍ଣ ନକ୍ସଲ ପ୍ରବଣ ହୋଇଥିବାରୁ କୌଣସି ଦଳର ଏଜେଣ୍ଟ ବୁଥ ନିକଟକୁ ଆସିନଥିଲେ। ପୋଲିଂ ପାର୍ଟି ଦିନ ସାରା ଭୋଟରଙ୍କୁ ଅପେକ୍ଷା କରିବା ପରେ ଇଭିଏମ ଗୁଡ଼ିକ ନିର୍ଧାରିତ ସମୟରେ ସିଲ୍ କରି ଫେରିଥିଲେ।
ବଡ଼କଥା ହେଲା ବିଚ୍ଛିନ୍ନାଞ୍ଚଳର କୁନ୍ତରପଦର ଠାରେ ୪ଟି ପଞ୍ଚାୟତର ୧୨ଟି ବୁଥ ଗୋଟିଏ ସ୍ଥାନରେ କରାଯାଇଥିଲା। ବିଏସଏଫ ଯବାନ ଏହି ୧୨ଟି ବୁଥକୁ କଡା ସୁରକ୍ଷା ପ୍ରଦାନ କରିଥିଲେ। ଏତେ ସୁରକ୍ଷା ସତ୍ତ୍ବେ ଲୋକେ ଭରସା କରିପାରି ନଥିଲେ। ଭୟ ରହିଥିଲା ଯେ, ଯଦି ଭୋଟ ଦେବାକୁ ଯିବେ ଆଗକୁ ନକ୍ସଲ ଗାଁକୁ ଆସି ମାରପିଟ୍ କରିପାରନ୍ତି। ପୁଣି ଶୁଣିବାକୁ ମିଳୁଛି ଯେ କିଛି ଗାଁରୁ ଲୋକେ ଭୋଟ ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ। ସେମାନେ ଜଳପଥରେ ବୁଥକୁ ଯିବା ପାଇଁ ଯୋଜନା କରିଥିଲେ। ଏନେଇ ନକ୍ସଲ କୌଣସି ସୂତ୍ରରୁ ସୂଚନା ପାଇ ପ୍ରାୟ ୪ଟି ମୋଟର ଲଞ୍ଚକୁ ଅଟକାଇ ରଖିଥିବା ସୂଚନା ମିଳିଛି। ଏଥିପାଇଁ ଆଦୌ ଭୋଟ ନଦେବା ପାଇଁ ଲୋକେ ନିଷ୍ପତ୍ତି ନେଇଥିଲେ। ସେହିପରି ମାଥିଲି ବ୍ଲକର କାରାପାଲ୍ଲୀ ଠାରେ ବୁଥ କରାଯାଇ ନଥିବାରୁ ଗ୍ରାମବାସୀ ଭୋଟ ବର୍ଜନ କରିଥିଲେ। ତେଣୁ ଏହି ବୁଥରେ ମଧ୍ୟ ଭୋଟ ଗ୍ରହଣ ହୋଇନଥିବା ଜଣାପଡିଛି। ଦୁର୍ଗମ ଅଂଚଳକୁ ଯୋଗାଯୋଗ ହୋଇପାରୁ ନଥିବା ସହ ପୋଲିଂ ପାର୍ଟି ଫେରି ନଥିବାରୁ ସ୍ଥିତି କ’ଣ ରହିଥିବା ତାହାର ପ୍ରକୃତ ତଥ୍ୟ ମିଳିପାରି ନାହିଁ। ମାଲକାନଗିରି ସମେତ ଆଖପାଖ ଅଞ୍ଚଳର ଇଭିଏମ ଗୁଡ଼ିକ ଷ୍ଟ୍ରଙ୍ଗରୁମ୍‌କୁ ଫେରିବା ଆରମ୍ଭ ହୋଇଛି। ରାତି ୮ଟା ପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର