ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତ ୧୨ ତାରିଖ ଦିନ ହୋଇଥିବା ୱେବ୍‌ ସାମ୍ବାଦିକଙ୍କୁ ହତ୍ୟା ଘଟଣାର ପର୍ଦାଫାସ କରିଛି ପୁଲିସ। ଜିଲ୍ଲାରେ ଏହା ପ୍ରଥମ କରି ଘଟିଥିବାରୁ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ଅନ୍ୟଦିଗରେ ସମ୍ବାଦିକ ସଂଘ ପକ୍ଷରୁ ବାରମ୍ବାର ପୁଲିସ ଉପରେ ମଧ୍ୟ ଚାପ ପ୍ରୟୋଗ କରାଯାଉଥିଲା। ପୁଲିସ ଅତିରିକ୍ତ ଏସପି ରଶ୍ମିରଂଜନ ସେନାପତିଙ୍କ ନେତୃତ୍ବରେ ଡିଏସପି ଆର.ପ୍ରଧାନ, ମୋଟୁ ଆଇଆଇସି ଅର୍ଜୁନ କଅଁରକୁ ନେଇ ଏକ ସ୍ବତନ୍ତ୍ର ଟିମ ଗଠନ କରି ଏହାର ତଦନ୍ତ କରାଯାଉଥିଲା।

Advertisment

ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହି ତଦନ୍ତରୁ ଜଣାପଡିଥିଲା ଯେ ଅଭିଯୁକ୍ତମାନେ କେଉଁଠାକୁ ଯାଇ ଲୁଚିଛନ୍ତି। ସବୁ ଦିଗକୁ ତଦନ୍ତ କରିବା ପରେ ପୁଲିସ ଜାଣିପାରିଥିଲା ଯେ ଅଭିଯୁକ୍ତମାନେ ହାଇଦ୍ରାବାଦରେ ଯାଇ ଲୁଚିଛନ୍ତି। ତୁରନ୍ତ ଏହି ଟିମ ହାଇଦ୍ରାବାଦ ଯାଇ ଦୁଇ ହତ୍ୟାକାରୀଙ୍କୁ ଗିରଫ କରି ଆଣି ଆଜି କୋର୍ଟ ଚାଲାଣ କରିଥିବା ଏନେଇ ଏସପି ବିନୋଦ ପାଟିଲ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ହତ୍ୟାକାରୀ ଦୁଇ ଜଣ ହେଲେ ମୋଟୁ ଥାନା ଅଂଚଳର ଏମଭି-୭୫ ଗ୍ରାମର ସୁକୁମାର ରାୟ(୨୫) ଏବଂ ଏମପିଭି-୮୨ ଗ୍ରାମର କୋଙ୍କଣ ଜୋରଦାର(୨୧)। 

ସାମ୍ବାଦିକ ସମ୍ମିଳନୀରେ ପୁଲିସ କହିବା ଅନୁଯାୟୀ, ଗତ ୧୨ ତାରିଖ ଦିନ ମୋଟୁ ଥାନା ଠାରୁ ମାତ୍ର ୯ କିଲୋମିଟର ଦୁରରେ ରହିଥିବା ମୁରଲିଗୁଡାରେ ଦୁଇ ହତ୍ୟାକାରୀ ସୁକୁମାର ଓ କୋଙ୍କଣ ଆଗରୁ ଠିଆ ହୋଇଥିଲେ। ଯେତେବେଳେ ସିଏଚ. ନରେଶ ସମେତ ଅନ୍ୟ ଚାରି ଜଣ ସାମ୍ବାଦିକ ଖବର ସଂଗ୍ରହ ପାଇଁ ଯାଉଥିଲେ ସେତେବେଳେ ଗାଡିକୁ ଅଟକାଇ ଏମାନେ ଅତର୍କିତ ଆକ୍ରମଣ କରିଥିଲେ। ସିଏଚ ନରେଶଙ୍କ ବାମ ହାତରେ ଖଣ୍ଡା ବାଜିବା ଯୋଗୁଁ ସେ ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲେ।

ଅନ୍ୟ ଜଣେ ସାମ୍ବାଦିକ ତରୁଣ କୁମାର କାର ଚାବିଟିକୁ ଫିଙ୍ଗି ଦେଇ ଦୌଡି ପଳାଇଥିଲେ। ଅଭିଯୁକ୍ତମାନେ କାର ଚାବି ନେଇ ସେଠାରୁ କାରକୁ ନେଇଯାଇଥିଲେ। ପରେ ତରୁଣ ଆସି ନରେଶଙ୍କୁ ପ୍ରଥମେ ମୋଟୁ ମେଡିକାଲ ଓ ପରେ ମାଲକାନଗିରି ମେଡିକାଲକୁ ନେଇଥିଲେ। ଡାକ୍ତରଖାନାରେ ଡାକ୍ତର ନରେଶ ମୃତ ବୋଲି ଘୋଷଣା କରିଥିଲେ।

ତେବେ ଏହି ହତ୍ୟା ଘଟଣାର ପର୍ଦାଫାଶ ପୁଲିସ କରିଥିଲେ ମଧ୍ୟ ହତ୍ୟାର ପ୍ରକୃତ କାରଣକୁ ଲୁଚାଇଥିଲା। ଏନେଇ ପଚରାଯିବାରୁ ରିମାଣ୍ଡରେ ଆଣିବା ପରେ ହିଁ ପ୍ରକୃତ ତଥ୍ୟ ଜଣାପଡିବ ବୋଲି କହି ପ୍ରଶ୍ନକୁ ଟାଳି ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ଦୁଇ ଅଭିଯୁକ୍ତଙ୍କୁ ପ୍ରଦର୍ଶିତ କରାଯାଇନଥିବାରୁ ଏ ସଂପର୍କରେ ପଚାରିବାରୁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଥିଲା। ତେବେ ହତ୍ୟାର ପ୍ରକୃତ କାରଣ ଆଜି ବି ଅସ୍ପଷ୍ଟ ହୋଇ ରହିଗଲା।