ମାଥିଲି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲ୍ଲୀ ଚେକ୍ ଗେଟ୍ ନିକଟରେ ଏକ ସରକାରୀ ବସ୍ରେ ଗଞ୍ଜେଇ ଚାଲାଣ କରୁଥିବା ୨ଜଣ ଯୁବକଙ୍କୁ ଅବକାରୀ ବିଭାଗ ଗିରଫ କରିବା ସହ ୨୬କିଲୋ ଗଞ୍ଜେଇ ଜବତ କରିଛି। ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ସରକାରୀ ବସ୍ରେ ୨ଜଣ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ନେଇ ଆଜି ମାଲକାନଗିରି ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିକଟରେ ଖବର ପହଞ୍ଚିଥିଲା। ପରେ ଅଧୀକ୍ଷକ ଅଶୋକ କୁମାର ସେଠ୍ଙ୍କ ନେତୃତ୍ୱରେ ମାଥିଲି ଅବକାରୀ ବିଭାଗ ଇନିସପେକ୍ଟର ବିମ୍ବାଧର ପଣ୍ଡା, ଏସ୍ଆଇ ଏଚ. ଜଗା ରାଓଙ୍କ ସମେତ ଜିଲ୍ଲା ମୋବାଇଲ କର୍ମଚାରୀ, ମାଥିଲି ଅବକାରୀ ବିଭାଗ କର୍ମଚାରୀ ମିଳିତ ଭାବେ ଗୋବିନ୍ଦପାଲ୍ଲୀ ଛକ ନିକଟରେ ଏହି ବସ୍କୁ ଅପେକ୍ଷା କରି ରହିଥିଲେ। ବସ୍ ପହଞ୍ଚିବା ପରେ ଭିତରେ ପଶି ଅବକାରୀ ବିଭାଗ କର୍ମଚାରୀ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ବସ୍ ଡିକିରେ ଥିବା ୨ଟି ଏୟାର ବ୍ୟାଗ୍ରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଥିଲା। ପରେ ଗଞ୍ଜେଇ ଚାଲାଣ କରୁଥିବା ମାଲକାନଗିରି ଜିଲ୍ଲା ଖଇରପୁଟ ଗ୍ରାମର ଶିଶିର ଦଳେଇ ଓ ବାଲିମେଳା ନୀଳାଦ୍ରିନଗରର ଶ୍ରୀନିବାସ ମହାପାତ୍ରଙ୍କୁ ବସ୍ ଭିତରୁ ଗିରଫ କରାଯିବା ସହ ଗଞ୍ଜେଇ ଜବତ କରାଯାଇଥିଲା। ଉଭୟ ଅଭିଯୁକ୍ତଙ୍କୁ ଆଜି ମାଲକାନଗିରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୨୬କିଲୋ ଗଞ୍ଜେଇ ଜବତ, ୨ଗିରଫ
/sambad/media/post_attachments/wp-content/uploads/2018/07/ganja-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)