ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ଗଣପତିଗୁଡାରେ ଅଭାବନୀୟ ଘଟଣା ଘଟିଛି। ଗୁହାଳ ଭିତରେ ବିଦ୍ୟୁତ ଆଘାତରେ ୬ ଗାଈଗୋରୁଙ୍କ ମୃତ୍ୟୁ ହୋଇଛି। ଅଳ୍ପକେ ବର୍ତ୍ତିଯାଇଥିଲେ ମାଲିକ। ଘଟଣା ଅନୁଯାୟୀ, ଖଇରପୁଟ ବ୍ଲକ ପାରକାନମାଲା ପଞ୍ଚାୟତ ଅନ୍ତର୍ଗତ ଗଣପତିଗୁଡା ଗ୍ରାମର ସାହେବ ମୁଦିଲି ଗତକାଲି ସଂଧ୍ୟାରେ ଗାଈଗୁଡିକ ଘରକୁ ଫେରିବା ପରେ ସମସ୍ତ ଗାଈଙ୍କୁ ବାନ୍ଧିବା ପାଇଁ ଗୁହାଳ ଭିତରକୁ ପଶାଇଥିଲେ। ତେବେ ସେ ଜାଣିନଥିଲେ ଯେ ଗୁହାଳ ବିଦ୍ୟୁତ ଲାଗି ଚାର୍ଜ ହୋଇଯାଇଛି ବୋଲି। ଦେଖୁ ଦେଖୁ ସମସ୍ତ ଗାଈ ତଳେ ପଡି ଛଟପଟ ହୋଇ ମୃତ୍ୟୁବରଣ କଲେ। ସେ ମଧ୍ୟ ବିଦ୍ୟୁତ ଆଘାତ ପାଇ ଛିଟିକି ପଡିଥିଲେ। ଖବର ପାଇ ଗ୍ରାମବାସୀ ସେଠାରେ ପହଞ୍ଚି ବିଦ୍ୟୁତ କାଟିଥିଲେ। ତେବେ ଏହା କିପରି ହେଲା କେହି ଜାଣିପାରିନଥିଲେ। ଗାଈମାନଙ୍କ ପାଇଁ ଗୁହାଳରେ ବିଦ୍ୟୁତ ବ୍ୟବସ୍ଥା କରାଯାଇଥିଲା। ହୁଏତ ସେହି ବିଦ୍ୟୁତ ସଟସର୍କିଟ ହୋଇ ସାରା ଗୁହାଳ ବ୍ୟାପିଯାଇଥିଲା। ଯାହାଫଳରେ ଗାଈଗୁଡିକ ଗୁହାଳ ଭିତରେ ପଶିବା ପରେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିଲେ। ସାହେବ ଅତି ଗରିବ ହୋଇଥିବାରୁ ଗାଈ ପାଳି କ୍ଷୀର ବ୍ୟବସାୟ କରୁଥିଲେ। ଏବେ ୬ଟି ଗାଈର ମୃତ୍ୟୁରେ ସେ ଅସହାୟ ହୋଇପଡିଛନ୍ତି। ପ୍ରଶାସନ ତରଫରୁ ସାହେବକୁ ସହାୟତା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।