ମାଲକାନଗିରି: ପୁଲିସର ଘନଘନ ଅପରେସନରେ ନକ୍ସଲ ଏବେ ଛାନିଆ। ଗତ ଦୁଇ ଦିନ ତଳେ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ ଜଂଗଲରେ ଦୁଇ ସେଣ୍ଟ୍ରାଲ କମିଟିର ମେମ୍ବରଙ୍କର ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ବେଳେ ଲଗତାରା ୬ ଜଣ ସେଣ୍ଟ୍ରାଲ କମିଟି ସଦସ୍ୟଙ୍କର ମୃତ୍ୟୁ ହୋଇସାରିଲାଣି। ଏବେ ସଂଗଠନରେ ନେତୃତ୍ବ ନେବା ପାଇଁ କେହି ନାହାନ୍ତି। ଆଉ ଯେଉଁମାନେ ରହିଛନ୍ତି ସେମାନେ ନିଜର ଜୀବନକୁ ବଞ୍ଚାଇବାକୁ ଲୁଚି ବୁଲୁଛନ୍ତି।
ପୁଲିସର ଏହି ଚଢାଉ ପରେ ଆଜି ଦନ୍ତେୱାଡ଼ା ପୁଲିସ ନିକଟରେ ୭୧ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୩୦ ଜଣ ନାମରେ ୬୪ ଲକ୍ଷ ଟଂକାର ପୁରସ୍କାର ରହିଥିବା ବେଳେ ୨୧ ଜଣ ମହିଳା ନକ୍ସଲ ରହିଛନ୍ତି। ତେବେ ଆତ୍ମସମର୍ପଣ କରିଥିବା ନକ୍ସଲ ମଧ୍ୟରୁ ଡିଭିସିଏମ ବାମନ ମାଡକାମ ନାମରେ ୮ ଲକ୍ଷ ଟଂକାର ପୁରସ୍କାର ରହିଥିବା ବେଳେ ଏସିଏମ ସମାଲି କାବାସି ନାମରେ ୫ ଲକ୍ଷ ଟଂକା, ଏସିଏମ ଗାଙ୍ଗି ଅରଫ ରୋହନୀ ବାରସେ ନାମରେ ୫ ଲକ୍ଷ ଟଂକା, ଏସିଏମ ଦେବେ ଅରଫ କବିତା ମାଡବୀ ନାମରେ ୫ ଲକ୍ଷ ଟଂକା, ପାର୍ଟି ମେମ୍ବର ଜଗା ମାଡକାମ ନାମରେ ୨ ଲକ୍ଷ ଟଂକା ସମେତ ଅନ୍ୟ ମାଓବାଦୀ ନାମରେ ୧ ଲକ୍ଷ ଲେଖାଏଁ ରହିଥିବା କୁହାଯାଇଛି।
ଆଜି ସମସ୍ତ ନକ୍ସଲଙ୍କୁ ସରକାରଙ୍କ ତରଫରୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ସମସ୍ତଙ୍କୁ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।
ସଂଗଠନରେ ଆଉ ଶୀର୍ଷ ନେତା ନଥିବା ଏବଂ ଯେଉଁ ନେତା ରହିଛନ୍ତି ସେମାନଙ୍କ ଦ୍ବାରା ନିର୍ଯାତିତ ହେଉଥିବାରୁ ସଂଗଠନ ଛାଡୁଥିବା କହିଛନ୍ତି। ସରକାରଙ୍କର ଘରକୁ ଫେରିଆସ ଯୋଜନାରେ ଏମାନେ ପ୍ରଭାବିତ ହୋଇଥିବା ମଧ୍ୟ କହିଥିଲେ। ଆଗକୁ ଆହୁରି ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି କୁହାଯାଇଛି। ଟାର୍ଗେଟ ଯେତେ ପାଖେଇ ଆସୁଛି ନକ୍ସଲ ସେତେ କମୁଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଯଦି ନକ୍ସଲ ଆତ୍ମସମର୍ପଣ କରନ୍ତି ତେବେ ମାର୍ଚ୍ଚ ୨୦୨୬ ପୂର୍ବରୁ ନକ୍ସଲ ସଂଗଠନ ମୂଳପୋଛ ହେବ ବୋଲି କୁହାଯାଇଛି।
maoists
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/24/mkg-71-naxal-surrender-2-2025-09-24-18-51-58.jpg)