୭ ମହଲା ମେଡିକାଲ କୋଠାର ମାନକୁ ନେଇ ଉଠିଲା ପ୍ରଶ୍ନ

ପ୍ରଶାସନକୁ ରିପୋର୍ଟ ଦେଲେ ମେଡିକାଲ କର୍ତ୍ତୃପକ୍ଷ, ସନ୍ଦେହ ଘେରରେ ପୂର୍ତ୍ତ ବିଭାଗର କାର୍ଯ୍ୟ ଦକ୍ଷତା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାରେ ନିର୍ମିତ ୭ ମହଲା ବିଶିଷ୍ଟ ମେଡିକାଲ ନିର୍ମାଣ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି। ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ମେଡିକାଲ କର୍ତୃପକ୍ଷ ଜିଲ୍ଲା ପ୍ରଶାସନକୁ ୧୦ପୃଷ୍ଠା ସମ୍ବଳିତ ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ଉଦ୍‌ଘାଟନର ମାତ୍ର ୧୦ମାସ ମଧ୍ୟରେ ମେଡିକାଲର ଅବସ୍ଥା ଶୋଚନୀୟ ହୋଇଥିବାରୁ କୋଠା ନିର୍ମାଣ କରିଥିବା ପୂର୍ତ ବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।
ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଗତ ଜୁଲାଇ ମାସରେ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟରେ ୭ ମହଲା ବିଶିଷ୍ଟ ଏକ ମେଡିକାଲ ନିର୍ମାଣ କରାଯାଇଥିଲା। ନୂତନ ମେଡ଼ିକାଲ କୋଠା ନିର୍ମାଣ ହେବା ପରେ ଉପଯୁକ୍ତ ସେବା ପାଇଁ ଜିଲ୍ଲାବାସୀ ଆଶା ବାନ୍ଧିଥିଲେ। କିନ୍ତୁ ଉଦ୍‌ଘାଟନର ୧୦ ମାସ ନପୂରୁଣୁ ମେଡିକାଲର ଅବସ୍ଥା ଶୋଚନୀୟ ହୋଇପଡିଲାଣି। କୋଠା ନିର୍ମାଣ ଅତି ନିମ୍ନମାନର ହୋଇଥିବା ନେଇ ମେଡିକାଲ କର୍ତ୍ତୃପକ୍ଷ ପ୍ରଶାସନକୁ ୧୦ ପୃଷ୍ଠା ସମ୍ବଳିତ ଏକ ରପୋର୍ଟ ପ୍ରଦାନ କରିଥିବା ଜଣାପଡିଛି। ମେଡିକାଲ କର୍ତୃପକ୍ଷ ଏଭଳି ରିପୋର୍ଟ ଦେବା ପରେ କୋଠା ନିର୍ମାଣ କରିଥିବା ପୂର୍ତ୍ତ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି। ପାଣି, ବିଦ୍ୟୁତ ଓ ସିଭିଲ ଷ୍ଟ୍ରକ୍ଟରର ମାନ ଅତି ନିମ୍ନମାର ବୋଲି ରିପୋର୍ଟରେ ଉଲ୍ଲେଖ ଥିବା ବେଳେ ମେଡିକାଲରେ ବିଭିନ୍ନ ସମସ୍ୟା ରହିଥିବା ମେଡିକାଲ କର୍ତ୍ତୃପକ୍ଷ ପ୍ରଶାସନକୁ ଜଣାଇଛି। ମେଡିକାଲ କର୍ତ୍ତୃପକ୍ଷ ଦେଇଥିବା ରିପୋର୍ଟରେ ପୂର୍ତ୍ତ ବିଭାଗ କରିଥିବା କାର୍ଯ୍ୟ ନିମ୍ନମାନର ବୋଲି ସୂଚାଇ ଦେଉଛି। ମେଡିକାଲ ତଳରୁ ଉପର ପର୍ଯ୍ୟନ୍ତ ସବୁ ବିଭାଗରେ ରହିଥିବା ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ ରିପୋର୍ଟରେ କୁହାଯାଇଛି। ବିଶେଷ କରି ଜଳ ଯୋଗାଣ, ଜେନେରେଟର, ଲିଫ୍ଟ, ଫାଟକ, ଏସି, ଆକ୍ଵାଗାର୍ଡ ଭଳି ଅନେକ ସମସ୍ୟା ରହିବା ରିପୋର୍ଟରେ ଦର୍ଶାଯାଇଛି। ବିଦ୍ୟୁତ ସାମଗ୍ରୀ ଅତି ନିମ୍ନମାନର ଯୋଗୁଁ ଲେବର ରୁମ୍, ଏସଏନସିୟୁ, ଓଟିରେ ବିଭ୍ରାଟ ଦେଖା ଦେଇଛି। ଶୌଚାଳୟ ମଧ୍ୟ ମୁଖ୍ୟ ସମସ୍ୟା ରହିଛି। ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଡାକ୍ତରଙ୍କ ଅଭାବ ଯୋଗୁଁ ରୋଗୀ ବାଧ୍ୟ ହୋଇ ଜିଲ୍ଲା ବାହାରକୁ ଯାଉଛନ୍ତି। ଅନ୍ୟପଟେ ଅତି ତରବରିଆ ଭାବେ ମେଡିକାଲ କୋଠା ନିର୍ମାଣ କରାଯାଇଥିବାରୁ ନିମ୍ନମାନର କାମ ହୋଇଥିବା ନେଇ କଂଗ୍ରେସ ଗତ ଦିନରେ ଅଭିଯୋଗ କରିଥିଲା। ନିର୍ମାଣ ସମୟରେ ଠିକ ଭାବେ କ୍ୟୁରିଂ କରାଯାଇନଥିବାରୁ ମେଡିକାଲର ଉପରି ଭାଗରେ ଫାଟ ଦେଖିବାକୁ ମିଳିଥିଲା। ଏପରିକି ବିଭିନ୍ନ ସ୍ଥାନରେ ଭାଙ୍ଗି ଯାଇଥବା ଦେଖିବାକୁ ମିଳଛି। ଉଦ୍‌ଘାଟନ ହେବାର ବର୍ଷେ ନପୂରୁଣୁ କୋଠାଘରର ଟାଇଲ୍‌ ଗୁଡିକ ଖସିବାରେ ଲାଗିଲାଣି। ଅନ୍ୟପଟେ ବର୍ଷା ହେବା ମାତ୍ରେ ଭିତରେ ପାଣି ଗଳୁଥିବା ରୋଗୀ ଅଭିଯୋଗ କରି ଆସୁଛନ୍ତି। ୩ଶହ ଶଯ୍ୟା ବିଶିଷ୍ଟ ଏହି ମେଡିକାଲରେ ମାତ୍ର ୧୨୫ଟି ଶଯ୍ୟାରେ ଚିକିତ୍ସା ଚାଲିଥିବା ଜଣାପଡିଛି। ଯଦି ଅଧିକା ରୋଗୀ ହୁଅନ୍ତି ତେବେ ବାରଣ୍ଡାରେ ଶୁଆଇ ଚିକିତ୍ସା କରାଯାଉଛି। କାନ୍ଥରୁ ଟାଇଲ ଖସିବା ପରେ ମେଡିକାଲ କେତେ ସୁରକ୍ଷିତ ତାହା ରୋଗୀ ଏବଂ ଜନସାଧାରଣ ଜାଣିସାରିଲେଣି। ଡିଭାଇନ କନଷ୍ଟ୍ରକ୍ସନ ନାମକ କମ୍ପାନି ଏହି ମେଡିକାଲକୁ ୪୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିଥିବା ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ସାହୁ ପ୍ରକାଶ କରିଥିବା ବେଳେ କୋଠା ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ଦୁଇ ବର୍ଷ ପୂର୍ତ୍ତି ହୋଇଯାଇଥିବା କହିଛନ୍ତି। ତେଣୁ କୋଠାର ମରାମତି ଆବଶ୍ୟକ ପଡୁଥିବା ଶ୍ରୀ ସାହୁ କହିଛନ୍ତି। ଅନ୍ୟପଟେ ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଦ୍ବାରା ଏହି ମେଡିକାଲ ଅତି ନିମ୍ନମାନର ନିର୍ମାଣ ହୋଇଥିବା ଅଭିଯୋଗ ହୋଇଆସୁଛି। କୋଠା ନିର୍ମାଣ ସମୟରେ ବିଭାଗୀୟ ଯନ୍ତ୍ରୀ କିପରି କାମ ତଦାରଖ କରୁଥିଲେ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପାଣିର ସୁବିଧା ନଥିବା ସହ ଅଗ୍ନି ନିର୍ବାପକ ଯନ୍ତ୍ର ନଥିବା ସତ୍ତ୍ବେ ଠିକାଦାର ବିଭାଗକୁ କୋଠା ହସ୍ତାନ୍ତର କରିଦେଇଥିଲା।
ମାଲକାନଗିରିରେ ଏତେ ବଡ ମେଡିକାଲ ନିର୍ମାଣ ହେଲା ସତ କିନ୍ତୁ ଆଜି ପର୍ଯ୍ୟନ୍ତ ରୋଗୀଙ୍କ ପାଇଁ ଷ୍ଟ୍ରେଟର କିମ୍ବା ହ୍ବିଲ୍‌ ଚେୟାର ବ୍ୟବସ୍ଥା ହୋଇପାରିନି। ବିଦ୍ୟୁତ ନଥିବା ସମୟରେ ଲିଫ୍ କାମ କରୁନଥିବାରୁ ରୋଗୀଙ୍କୁ ତୃତୀୟ ଓ ଚତୁର୍ଥ ମହଲାକୁ ସିଡି ଚଢ଼ାଇ ନେବା ବେଳେ ସମସ୍ୟା ଦେଖାଦେଉଥିବା ସଂପର୍କୀୟ ମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ମେଡିକାଲରେ ୫୯ ଜଣ ଡାକ୍ତରଙ୍କ ଆବଶ୍ୟକ ଥିବା ବେଳେ ମାତ୍ର ୨୨ ଜଣ ଡାକ୍ତର ରହିଛନ୍ତି। ତେବେ କେତେ ଜଣ ଡାକ୍ତର ମେଡିକାଲରେ ରହୁଛନ୍ତି ତାହା କେହି ଜାଣି ପାରୁନାହାନ୍ତି। ବର୍ତମାନ ସୁଦ୍ଧା ନୂତନ ମେଡିକାଲକୁ ରକ୍ତ ଭଣ୍ଡାର, ଅକ୍ସିଜନ , ଆଇସିୟୁ ଏବଂ ଏସଏନସିୟୁ ବିଭାଗ ସ୍ଥାନାନ୍ତର ହୋଇପାରିନି। ଏଥିପାଇଁ ରୋଗୀ ୩କିଲୋମିଟର ଦୂରରେ ଥିବା ପୁରୁଣା ମେଡିକାଲକୁ ଅଟୋ ଭଡ଼ା କରି ଯାଉଛନ୍ତି। ଏନେଇ ବିଭାଗ ସବୁ ଜାଣିଥିଲେ ମଧ୍ୟ ନଜାଣିଲା ଭଳି ବ୍ୟବହାର କରୁଛି। ମେଡିକାଲ କୋଠା ନିମ୍ନମାନର ହୋଇଥିବାରୁ କୌଣସି ସମୟରେ ଅଘଟଣ ଘଟିବା ନେଇ ଲୋକେ ଆଶଙ୍କାରେ ରହିଛନ୍ତି। ତେଣୁ କାର୍ଯ୍ୟ କରିଥିବା କମ୍ପାନି ସହ ବିଭାଗୀୟ ଯନ୍ତ୍ରୀ ମାନଙ୍କ ବିରୋଧରେ ମଧ୍ୟ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି। ଗତ ଦିନରେ କଂଗ୍ରେସ ମେଡିକାଲର ବିଭିନ୍ନ ସମସ୍ୟା ସହିତ ମେଡିକାଲ କୋଠା ଅତି ନିମ୍ନମାନର ହୋଇଥିବା ନେଇ ପ୍ରଶ୍ନ କରିଥିଲେ ମଧ୍ୟ ଏହାର ଉତ୍ତର ପ୍ରଶାସନ ରଖିନଥିଲା। ପୂର୍ତ ବିଭାଗ ଦ୍ବାରା କେବଳ ଯେ ଏହି ମେଡିକାଲ ନିର୍ମାଣରେ ତ୍ରୁଟି ପରିଲକ୍ଷିତ ହୋଇନି ବରଂ ଗୁରୁପ୍ରିୟା ସେତୁ ନିର୍ମାଣ ବେଳେ କେତେ ଥର ପାଇଲ ଭାଙ୍ଗିଥିଲା ତାହା ଲୋକେ ଦେଖିଛନ୍ତି। ଗୁରୁପ୍ରିୟାର ନିର୍ମାଣ କାର୍ଯ୍ୟ ମଧ୍ୟ ଅତି ନିମ୍ନମାନର ହୋଇଥିବା ସାଧାରଣରେ ଅଭିଯୋଗ ହେଉଛି। ସେହିପରି କୋରୁକୋଣ୍ଡା ବ୍ରିଜ ମଧ୍ୟ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରୁନି। ପୂର୍ତ୍ତ ବିଭାଗର ଉଦାସୀନତା ଏବଂ ଖାମଖିଆଲି ମନୋଭାବ ଯୋଗୁଁ ଜିଲ୍ଲାରେ ହେଉଥିବା ବଡ଼ ବଡ଼ ପ୍ରକଳ୍ପ ଫେଲ ମାରୁଥିବା କୁହାଯାଇଛି। ତେଣୁ ପୂର୍ତ୍ତ ବିଭାଗ ଅଧୀନରେ କାମ ହେଉଥିବା କାମ ଗୁଡିକର ଯାଞ୍ଚ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର