ଆଡମା ରାବା ହେଲେ ସ୍ୱତନ୍ତ୍ର ଆଦିବାସୀ ପରିଷଦ ଅଧ୍ୟକ୍ଷ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ପରିଷଦର ଅଧ୍ୟକ୍ଷ ଭାବେ ଆଡମା ରାବା ମନୋନୀତ ହୋଇଛନ୍ତି। ଏହି ପଦବି ନିମନ୍ତେ ୫ଜଣ ଆଶାୟୀ ରହିଥିଲେ। ବିଧାୟକ ମାନସ ମାଡକାମୀ ପୂର୍ବତନ ପୌରଧ୍ୟକ୍ଷ ଧନୁର୍ଯ୍ୟୟ ମାଡକାମୀଙ୍କ ନାମକୁ ସୁପାରିଶ କରିଥିବା ବେଳେ ଆଦିବାସୀ ନେତା ତଥା ସଚେତକ ଘନଶ୍ୟାମ ମାଡକାମୀଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଥିଲା। ସେହିପରି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବଂଶୀ ମୁଦୁଲି ମଧ୍ୟ ଦୌଡରେ ଥିଲେ। ବିଜୁ ଯୁବ ଜନତା ଦଳର ଶ୍ରୀନିବାସ ମୁଦୁଲି ମଧ୍ୟ ଆଶାୟୀ ଥିଲେ। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ଅଧ୍ୟକ୍ଷ ଭାବେ ଆଡମା ପଦବି ପାଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କ ନାମରେ ମୋହର ଲଗାଇଛନ୍ତି। ଉପାଧ୍ୟକ୍ଷ ପଦବି ପାଇଁ ଲକ୍ଷ୍ମୀ ପୂଜାରୀ ମନୋନୀତ ହୋଇଥିବା ବେଳେ ସଦସ୍ୟ ଭାବେ ରୀନା ପଡିଆମି, ଭୀମ ନାୟକ, ହରିମୋହନ ଖିଲ, ସିଲି ଖୋରା, ଦେବ ବଡନାୟକ, ସାବିତ୍ରୀ କିରସାନୀ, ଗଗନ ଧୁରୁବ, ଶୁକ୍ରା ମୁଦୁଲି, ମହେଶ୍ୱର ସମର୍ଥ, ଚକ୍ରା ଖିଲ, ଡମ୍ବରୁ ପରମା, ଲକ୍ଷ୍ମଣ ମାଡକାମୀ, ଡମ୍ବରୁ କିରସାନି, ଜୟନ୍ତୀ ଜାନି, କୃଷ୍ଣ ବୁରୁଦା, ଭୀମ ପଡିଆମି, ଭାବଗ୍ରାହୀ ମୁଦୁଲି ରହିଛନ୍ତି। ବିଶେଷଜ୍ଞ ସଦସ୍ୟ ଭାବେ ନିତ୍ୟାନନ୍ଦ ପ୍ରଧାନ, ସୁବାସ ବାନାର୍ଜୀ ଏବଂ ରାଜେନ୍ଦ୍ର କୁମାର ପଣ୍ଡା ରହିଛନ୍ତି।
ଆଜି ନବୀନ ନିବାସରୁ ଏନେଇ ଘୋଷଣା ହେବାପରେ ଜିଲ୍ଲାରେ ସରଗରମ ହୋଇଛି ରାଜନୀତି। ଆଡମା ରାବାଙ୍କୁ ଏ ସଂପର୍କରେ ପଚାରିବାରୁ ସେ ଏନେଇ ଗଣମାଧ୍ୟମରୁ ଖବର ପାଇଥିବା କହିଥିଲେ। ତାଂକ ପାଖକୁ ବର୍ତ୍ତମାନ ସୁଦ୍ଧା କୌଣସି ଖବର ପହଞ୍ଚିନଥିବାରୁ ସେ ଜାଣିନଥିବା କହିଥିଲେ। ତେବେ ଯଦି ଏହା ସତ ତେବେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ଆଦିବାସୀ ବିକାଶ ଦିଗରେ କାମ କରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର