ଆନ୍ଦୋଳନ ଧମକ ଦେଲା ଆଦିବାସୀ ମହାସଂଘ, ୩ ଦିନ ମଧ୍ୟରେ ଉତ୍ତର ଦିଆଯିବ: ଜିଲ୍ଲାପାଳ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଓ ସଦସ୍ୟଙ୍କ ମନୋନୟନକୁ ନେଇ ବିବାଦ ବଢିବାରେ ଲାଗିଛି। କୌଣସି ଆଲୋଚନା ନକରି ତରବରିଆ ଭାବେ ଅଧ୍ୟକ୍ଷ ମନୋନୟନ ସହ ୧୮ ଜଣିଆ କମିଟି ଗଠନ କରାଯିବାକୁ ଜିଲ୍ଲା ଆଦିବାସୀ ମହାସଂଘ ବିରୋଧ କରିଛି। ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବିପତ୍ର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ତେବେ ଜିଲ୍ଲାପାଳ ଆସନ୍ତା ୩ ଦିନ ମଧ୍ୟରେ ଏହାର ଉତ୍ତର ଦିଆଯିବ ବୋଲି କହିଥିଲେ। ଆସନ୍ତା ଶୁକ୍ରବାର ସୁଦ୍ଧା ସରକାର ଏହି ପରିଷଦକୁ ରଦ୍ଦ ନକଲେ ମହାସଂଘ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ସଭାପତି ଘେନୁ ମୁଦୁଲି ପ୍ରକାଶ କରିଛନ୍ତି।
ପ୍ରକାଶ ଥାଉକି ପରିଷଦ ଅଧ୍ୟକ୍ଷ ପଦବି ପାଇଁ ୫ ଜଣ ଆଶାୟୀ ରହିଥିଲେ। ମାଲକାନଗିରି ବିଧାୟକ ଜଣେ ଆଦିବାସୀ ନେତାଙ୍କୁ ଏହି ପଦବି ପାଇଁ ସୁପାରିଶ ମଧ୍ୟ କରିଥିଲେ। ଅନ୍ୟଦିଗରେ ଆଦିବାସୀ ମହାସଂଘ ମଧ୍ୟ ଜଣେ ଟାଣୁଆ ସଂଗଠକଙ୍କୁ ପରିଷଦର ଅଧ୍ୟକ୍ଷ କରିବା ପାଇଁ ଦାବି କରିଆସୁଥିଲା। ଶେଷରେ ଚକିତ କଲା ଭଳି ହଠାତ୍‌ ଆଡମା ରାବାଙ୍କୁ ଅଧ୍ୟକ୍ଷ ଘୋଷଣା କରିବା ଏବଂ ଗୋଟିଏ ନିର୍ବାଚନ ମଣ୍ଡିଳୀର ଲୋକଙ୍କୁ ହିଁ ସଦସ୍ୟ ରୂପେ ମନୋନୟନ କରିବାକୁ ନେଇ ମାହାସଂଘ ବିରୋଧ କରିଛି। ଜିଲ୍ଲାରେ ୧୩ଟି ଆଦିବାସୀ ସଂପ୍ରଦାୟର କୌଣସି ଜଣେ ବି ଲୋକ ଏହି ପରିଷଦରେ ସ୍ଥାନ ପାଇ ନାହାନ୍ତି। କେଉଁ ଆଧାରରେ ଏହା ଚୟନ କରାଗଲା ବୋଲି ମହାସଂଘ ପ୍ରଶ୍ନ କରିଛି।

ଅନ୍ୟଦିଗରେ ଆଡମା ରାବା କିଛି ବିବାଦ ନଥିବା କହିଛନ୍ତି। ସବୁ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି। ସେହିପରି ଆଶାୟୀ ପୁଣି ଏହି ପଦବି ହାସଲ କରିବା ପାଇଁ ସବୁ ପ୍ରକାର ଚେଷ୍ଟା ଚଳାଇଛନ୍ତି। ମହାସଂଘ ମଧ୍ୟ ସଂଗଠନର ଆଗଧାଡିର ନେତା ଘନଶ୍ୟାମ ମାଡକାମୀଙ୍କୁ ଏହି ପଦବିରେ ଦେଖିବାକୁ ଚାହୁଁଛି। ଯଦି ଆଦିବାସୀଙ୍କ ବିକାଶ କରିବାର ଅଛି ତେବେ ଉପଯୁକ୍ତ ଲୋକଙ୍କୁ ଦିଆଯାଉ ବୋଲି ସଂଘ ଦାବି କରିଛି। ସରକାର ଆଦିବାସୀଙ୍କ ବିକାଶ ଚାହୁଁଛନ୍ତି ନା ବିନାଶ ଚାହୁଁଛନ୍ତି ବୋଲି ଆଦିବାସୀ ସଂଘର ସଭାପତି ଘେନୁ ମୁଦୁଲି ପ୍ରକାଶ କରିଛନ୍ତି। ତେଣୁ ଏହି ଘଟଣା କେଉଁ ଦିଗକୁ ଯାଉଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର