ସ୍ବପ୍ନାଦେଶ ପରେ ଶନିଶ୍ଚରଙ୍କ ଆବିର୍ଭାବ

ମାଲକାନଗିରି: ମାଲକାନଗିରି ସଦର ମହକୁମାରେ ଏକ ଆଲୌକିକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ରିକ୍ଲେମେସନ କଲୋନିର ଚକ୍ରଧର ନାୟକଙ୍କ ପୁଅ କୌରବ ନାୟକ (ଋତୁ)ଙ୍କୁ ସ୍ବପ୍ନାଦେଶ ହେବାପରେ ଶନିଶ୍ଚରଙ୍କ ଆବିର୍ଭାବ ଲୋକଙ୍କୁ ଚକିତ କରିଛି। କୌରବଙ୍କ କହିବା ହେଲା ଶନିବାର ଦିନ ରାତିରେ ସେ ଶନିଶ୍ଚରଙ୍କୁ ସ୍ବପ୍ନରେ ଦେଖିଥିଲେ। ଗୋଟିଏ ସ୍ଥାନରେ ପୋତି ହୋଇ ରହିବାରୁ ତୁରନ୍ତ ବାହାର କରିବାକୁ ବି ଆଦେଶ ହୋଇଥିଲା। କିନ୍ତୁ ଏହାକୁ ସେ ସେତେଟା ଗୁରୁତ୍ବ ଦେଇ ନଥିଲେ। ହେଲେ କ୍ରମାଗତ ଭାବେ ୩ଟି ଶନିବାରରେ ଏମିତି ସ୍ବପ୍ନ ଦେଖିବାରୁ ମନରେ କୌତୂହଳ ସୃଷ୍ଟି ହୋଇଥିଲା। ତେଣୁ ଉକ୍ତ ସ୍ଥାନକୁ ଯାଇ ମାଟି ଖୋଳିବାରୁ ଗୋଟିଏ କଳା ପଥର ବାହାରିଥିଲା। ଶନିଙ୍କ ନିର୍ଦେଶକ୍ରମେ ଏହି ପଥରଟି ବାହାରିବାରୁ କୌରବ ତାହାକୁ ପରିଷ୍କାର କରି ଗୋଟିଏ ବରଗଛ ମୂଳରେ ରଖି ପୂଜାର୍ଚ୍ଚନା କ‌ଲା। ପରବର୍ତୀ ସମୟରେ ପିଲାଟିର ଏମିତି ନିଷ୍ଠା ଏବଂ ଭକ୍ତି ଗ୍ରାମବାସୀଙ୍କୁ ପ୍ରଭାବିତ କରିଥିଲା।

ସ୍ବପ୍ନାଦେଶ ପରେ ପିଲାଟି ପୂଜାର୍ଚ୍ଚନା କରୁଥିବା ନେଇ ଶୁଣିବା ପରେ ଗ୍ରାମବାସୀ ବି ଏଠାରେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ଆଜି ଶନିବାର ଥିବାରୁ ବୈଦିକ ରୀତିରେ ପୂଜାର୍ଚ୍ଚନା ଚାଲିଥିବା ଦେଖିବାକୁ ମିଳିଥିଲା। ଆସନ୍ତାକାଲି ମଧ୍ୟ ଗଛ ମୂଳରେ ପୂଜା ହେବ ବୋଲି ଗ୍ରାମବାସୀ କହିଛନ୍ତି। ୧୨ ବର୍ଷର ବାଳକ ଦେଖିଥିବା ସ୍ବପ୍ନ ଓ କଳା ପଥର ଉଦ୍ଧାର ଘଟଣାକୁ ଲୋକ ଆଲୌକିକ ବୋଲି କହୁଛନ୍ତି। ପ୍ରକାଶ ଥାଉକି ଯେଉଁଠି ଶନିଶ୍ଚର ଦେବଙ୍କୁ ରଖି ପୂଜା କରାଯାଉଛି ସେଠାରୁ ମାତ୍ର ୧୦୦ ମିଟର ଦୂରରେ ଆଉ ଏକ ଶନିଶ୍ଚର ମନ୍ଦିର ରହିଛି। ଏବେ ଦେଖିବାକୁ ବାକି ରହିଲା ଲୋକେ କେଉଁଠିକୁ ପୂଜା କରିବାକୁ ଯିବେ।

ସମ୍ବନ୍ଧିତ ଖବର