ବିଜାପୁର ଜିଲ୍ଲାରେ ପୁଣି ଲାଲବାହିନୀର ଆତଙ୍କରାଜ, ୩ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଅପହରଣ କରି ନେଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ଲାଲବାହିନୀର ଆତଙ୍କରାଜ । ଯବାନଙ୍କୁ ଅପରହଣ ପରେ ମୁକ୍ତ କରିବାର ୨୪ ଘଣ୍ଟା ନପୁରୁଣୁ ପୁଣି ଆଉ ୩ ଜଣଙ୍କୁ ଅପହରଣ କରି ନେଇଛନ୍ତି ନକ୍ସଲ । ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ୩ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରି ନେଇଥିବା ସୂଚନା ମିଳିଛି ।

ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବିଜାପୁର ଜିଲ୍ଲା ଗାଙ୍ଗାଲୁର ଥାନା କମକାନାର ଅଞ୍ଚଳରେ ୨୦ରୁ ୨୫ଜଣ ସଶସ୍ତ୍ର ମାଓବାଦୀ ୩ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ହାଥ ବାନ୍ଧି ଅପହରଣ କରି ନେଇଛନ୍ତି । ୩ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ଜଣଙ୍କ ନାଁ ସାରଦା ଉଇକା ବୋଲି ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଗତ ଶନିବାର ଦିନ ନକ୍ସଲମାନଙ୍କ ଦ୍ବାରା ସିଆରପିଏଫ୍‌ର କୋବ୍ରା ବଟାଲିଅନର ଯବାନ ରାକେଶ୍ବର ସିଂ ମାନହାସ ଅପହୃତ ହୋଇଥିଲେ। ମାଓବାଦୀମାନେ ଦୀର୍ଘ ୫ ଦିନ ଯାଏ ତାଙ୍କୁ ବନ୍ଦୀ କରି ରଖିବା ପରେ ଯବାନ ରାକେଶ୍ବରଙ୍କୁ ଗତକାଲି ମୁକ୍ତ କରିଛନ୍ତି।  ରାକେଶ୍ବରଙ୍କୁ ଜଙ୍ଗଲ ନିକଟସ୍ଥ ଗ୍ରାମରେ ଆୟୋଜିତ ଏକ ପ୍ରଜାକୋର୍ଟରେ ହାଜର କରାଯାଇଥିଲା ଓ ଏହାପରେ ଶହ ଶହ ଗ୍ରାମବାସୀଙ୍କ ଉପସ୍ଥିତିରେ ତାଙ୍କୁ ଛଡ଼ାଯାଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର