ମାଲକାନଗିରି: ଜିଲ୍ଲାରେ ଏବେ ମଣ୍ଡି ଜୋରସୋରରେ ଚାଲିଛି। ଏଫଏକ୍ୟୁ ଧାନ ଖରିଦ ନେଇ ସରକାର ନିର୍ଦେଶ ଦେଇଥିବା ବେଳେ କିଛି ଚାଷୀକୁ ଛାଡିଦେଲେ କେହି ମଧ୍ୟ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣୁନଥିବା ଦେଖିବାକୁ ମିଳିଛି। ତେବେ ଏଥିରେ ଚାଷୀ ବାଧ୍ୟ ହୋଇ ମିଲରମାନଙ୍କ ସହ ସଲାସୁତରା ହୋଇ କଟନି ଛଟନି କରିବାକୁ ବାଧ୍ୟ ହୋଇଛି। ତେବେ ତତ୍କାଳୀନ ସରକାର କିନ୍ତୁ ପ୍ରତ୍ୟେକ ନିୟନ୍ତ୍ରିତ ବଜାର କମିଟିକୁ ଦୁଇଟି କିମ୍ବା ତିନୋଟି ଲେଖାଏଁ ପେଡି କ୍ଲିନର ଖରିଦ କରିବାକୁ ନିର୍ଦେଶ ଦେଇଥିଲେ।
ଏବେ ନୂଆ ସରକାର ଆରଏମସିକୁ ଏହି ପେଡି କ୍ଲିନର କ୍ରୟ କରିବା ପାଇଁ ବାଧ୍ୟ କରିଥିଲା। ଯାହାଫଳରେ ମାଲକାନଗିରି ନିୟନ୍ତ୍ରିତ ବଜାର କମିଟି ତରଫରୁ ଦୁଇଟି ପେଡି କ୍ଲିନର ଖରିଦ କରାଯାଇଛି। ଏହାର କାମ ହେଲା ମଣ୍ଡିଗୁଡିକରେ ପହଞ୍ଚି ଧାନକୁ ସଫା କରି ଏଫଏସକ୍ୟୁ ମାନର ଧାନ ବାହାର କରିବା। ଏହାପରେ ଏହାକୁ ମଣ୍ଡିରେ ବିକ୍ରି ପାଇଁ ପଠାଇବା। ତେବେ ଏହାକୁ ବିଭାଗ ତରଫରୁ କୌଣସି ମଣ୍ଡିକୁ ପଠାନଯାଇ ସେମିତି ଜିଲ୍ଲା କାର୍ଯ୍ୟାଳୟରେ ପକାଇ ରଖାଯାଇଛି। ପ୍ରାୟ ଗୋଟିଏ ଗୋଟିଏ ୨୭ ଲକ୍ଷ ଟଂକାର ହୋଇଥିବା ବେଳେ ୫୪ ଲକ୍ଷ ଟଂକାର ପେଡି କ୍ଲିନର ଏବେ ଖତ ଖାଉଛି।
ଗ୍ରେଇନ ଏନାଲାଇଜର ମେସିନ ମଧ୍ୟ ଆରଏମସିକୁ ପ୍ରଦାନ କରାଯାଇଥିବା ବେଳେ ଏହା କୌଣସି ମଣ୍ଡିକୁ ପଠାଯାଉ ନାହିଁ। ଏହି ମେସି ଧାନ,ମୁଗ,ମାଣ୍ଡିଆ ଇତ୍ୟାଦି ଶସ୍ୟରେ ଥିବା ଖରାପ ଜିନିଷ କେତେ ଭଲ ଜିନିଷ କେତେ ଅଛି ଦର୍ଶାଇଥାଏ। ଏହି ଗ୍ରେଇନ ଏନାଲାଇଜରର ଦାମ ହେଲା ଗୋଟିଏ ପିଛା ୧୪ ଲକ୍ଷ ଟଂକା। ମାଲକାନଗିରି ଆରଏମସି କାର୍ଯ୍ୟାଳୟରେ ୩ଟି ମେସିନ ଏଭଳି ଖତ ଖାଉଛି। ତେବେ ମଣ୍ଡିକୁ ନେଇ ଚାଷୀ ଆଣିଥିବ ଧାନର ମାନ ସିଧା ସଳଖ ରିପୋର୍ଟ ପ୍ରଦାନ କରୁଥିବାରୁ ଏହାକୁ ବିଭାଗ ମଣ୍ଡିକୁ ନେଉନଥିବା ଦେଖିବାକୁ ମିଳିଛି।
ସେହିପରି ପେଡି କ୍ଲିନର ମଧ୍ୟ ମଣ୍ଡିରେ ଗଲେ ଚାଷୀଙ୍କର କ୍ଷତି ହେବାର ସମ୍ଭାବନା ରହିଥିବାରୁ ଏହାକୁ ପଠାଯାଉନଥିବା ଜଣାପଡିଛି। ତେବେ ମାଲକାନଗିରି ଆରଏମସିର ସେକ୍ରେଟାରୀ ଦେବୀନାଥ ତ୍ରିପାଠୀଙ୍କୁ ପଚାରିବାରୁ ସେ ଏହାକୁ ଏସଏଚଜିମାନେ ନେଇ ବିଭିନ୍ନ ମଣ୍ଡିରେ ଧାନ ସଫା କରିବା କଥା। ପୁଣି କେହି ଏହାକୁ ମାଗୁ ନଥିବାରୁ ଏଠାରେ ପଡି ରହିଥିବା କହିଥିଲେ। ତେବେ କାହିଁକି ଆରଏମସି ତରଫରୁ ଏତେ ଟଂକା ଦେଇ ଏହି ମେସିନକୁ ଖରିଦ କରାଗଲା ବୋଲି କୁହାଯାଇଛି। ମଣ୍ଡରେ ଯଦି ଏହି ଦୁଇଟି ମେସିନକୁ ବ୍ୟବହାର କରାନଯିବ ତେବେ କାହିଁକି ଏହାକୁ ଅଣାଯାଇଛି ବୋଲି ପ୍ରଶ୍ନ ଉଠିଛି। ଲକ୍ଷାଧିକ ଟଂକା ପାଣିରେ ପଡିଲା ବୋଲି କୁହାଯାଇଛି। ଏହା ଖରିଦ ପଛରେ ଏକ ବଡ ସ୍କାମ ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହାର ବିଧିବଦ୍ଦ ତଦନ୍ତ ହେଲେ ସବୁ ପଦାକୁ ଆସିବ ବୋଲି କୁହାଯାଇଛି।