ମାଲକାନଗିରିରୁ ଉଡ଼ିବ ଏୟାର ଆମ୍ବୁଲାନ୍ସ, ଆରମ୍ଭ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା

ମାଲକାନଗିରି: ସାଧା‌ରଣ ଭାବେ ବଡ଼ ବଡ଼ ସହରରେ ଏୟାର ଆମ୍ବୁଲାନ୍ସ ସେବା ପ୍ରାପ୍ତ ହୋଇଥାଏ। ମାତ୍ର ରାଜ୍ୟ ସରକାର ଉପାନ୍ତ ସହର ମାଲକାନଗିରିରେ ଆରମ୍ଭ କରିବାକୁ ଯାଉଛନ୍ତି ଏୟାର ଆମ୍ବୁଲାନ୍ସ ସେବା । ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା ଅଧିନରେ ଏହା କାର୍ଯ୍ୟକାରୀ ହେବ। ଗୁରୁତର ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ବଡ଼ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ଏଥି ସହ  ବିଶେଷଜ୍ଞ ଡାକ୍ତରମାନେ ମଧ୍ୟ ଏୟାର ଆମ୍ବୁଲାନ୍ସରେ ଯାଇ ରୋଗୀଙ୍କ ଚିକିତ୍ସା କରିବେ ବୋଲି ଜଣାପଡ଼ିଛି । ଏ ନେଇ ମାଲକାନଗିରି ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଏକ ଉଚ୍ଚସ୍ତରୀୟ ଟିମ । ଟ୍ରମା ସେଂଟର, ଅତ୍ୟାଧୁନିକ ଅପରେସନ୍ ଥିଏଟର୍ ସହ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତି ଲାଗି ଅନୁଧ୍ୟାନ କରି ଫେରିଛି ଏହି ଟିମ୍ ।

ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ସମେତ କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡିରୁ ଏହି ଏୟାର ହେଲଥ ସର୍ଭିସ ଆରମ୍ଭ ହେବ ବୋଲି ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡ. ବିଜୟ ମହାପାତ୍ର, ଏସସିବି ମେଡିକାଲ କଲେଜର ଡିନ୍ ଡ. ଦତ୍ତେଶ୍ୱର ହୋତା, ଆସିଷ୍ଟାଣ୍ଟ ଡିଏମଇଟି ଡ. ଉମାକାନ୍ତ ଶତପଥି ପ୍ରମୁଖ ମାଲକାନଗିରି ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି ।

ସମ୍ବନ୍ଧିତ ଖବର