ଆଲବମ୍ ହିରୋ ସାଜି ଅଡୁଆରେ ଚିତ୍ରକୋଣ୍ଡା ବିଡିଓ ! ସରକାରୀ କ୍ଷମତାର ଅପବ୍ୟବହାର ଅଭିଯୋଗ

ମାଲକାନଗିରି:  ସ୍ୱାଭିମାନ ଅଂଚଳରୁ ଆସିଲା ସରକାରୀ ବାବୁଙ୍କ କ୍ଷମତାର ଅପବ୍ୟବହାରର ଚିତ୍ର । ଏକ ଭିଡିଓ ଆଲବମରେ ନାୟକ ଭାବେ ଅଭିନୟ କରି ଅଡୁଆରେ ଚିତ୍ରକୋଣ୍ଡା ବିଡିଓ ଲରିମନ ଖର୍ସେଲ । ଗତ ଅଗଷ୍ଟ ୨୦୧୮ରେ ଚିତ୍ରକୋଣ୍ଡା ବିଡିଓ ଭାବେ ଏହି  ଓଏଏସ ଅଧିକାରୀ ଜଣକ ଯୋଗ ଦେଇଥିଲେ।

ପୂର୍ବରୁ ଲରିମନ ଅନେକ ଭିଡିଓ ଆଲବମରେ ନାୟକ ଭାବେ ଅଭିନୟ କରିଛନ୍ତି, ତେବେ ତାହା ତାଙ୍କ ବ୍ୟକ୍ତିଗତ ଜୀବନର ଅଂଶ ହୋଇ ଥିବାରୁ କାହାର ସେଥିରେ ଅପତ୍ତି କିଛି ନାହିଁ । ତେବେ ସ୍ୱାଭିମାନ ଅଂଚଳରେ ତିଆରି ହୋଇଥିବା ଏହି ଭିଡିଓରେ ବିଡିଓ ଲରିମନ ଖର୍ସେଲ ନିଜ ସଉକ ପାଇଁ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ବିଡିଓଙ୍କ ସରକାରୀ ବାସଭବନରେ ନାୟିକାଙ୍କୁ ଆଣି ଭିଡିଓ ସୁଟିଂ କରିବା କେତେ ଯୁକ୍ତିଯୁକ୍ତ ତାକୁ ନେଇ ସାଧାରଣରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେହିପରି ସ୍ୱାଭିମାନ ଅଂଚଳବାସୀଙ୍କ ଯାତାୟାତ ଲାଗି ଆସି ଥିବା ମୋଟର ଲଂଚଗୁଡିକର ମଧ୍ୟ ଅପବ୍ୟବହାର କରି, ବାବୁ ଲରିମନ ଆକାଶ ମାର୍ଗରୁ ମନୋରମ ଚିତ୍ର ଉତ୍ତୋଳନ କରି ବେଶ ଚର୍ଚାରେ ଅଛନ୍ତି । ଯେତେବେଳେ ସାରା ବିଶ୍ୱ କୋରନା ମହାମାରି ସହ ଲଢେଇ ଜାରି ରଖିଥିଲା, ପଂଚାୟତ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଓ ରାଜ୍ୟସ୍ତରୀୟ ଅଧିକାରୀମାନେ କରୋନା ମହାମାରି ସହ ଲଢେଇ କରୁଥିଲେ, ଠିକ ସେହି ସମୟରେ ସ୍ୱାଭିମାନ ଅଂଚଳରେ ଚାଲୁ ଥିଲା ଜଣେ ଦାୟିତ୍ୱସମ୍ପନ୍ନ ଅଧିକାରୀଙ୍କ ଆଲବମ ସୁଟିଂ।

ଗୁରୁତ୍ୱପୁର୍ଣ କଥା ହେଉଛି, ସ୍ୱାଭିମାନ ଅଂଚଳରେ ବିକାଶ ଲାଗି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଦୃଷ୍ଟି ରହିଛି । ଖୋଦ ସଚିବଙ୍କ ଠାରୁ ଆରମ୍ଭ କରି ପୁଲିସର ବରିଷ୍ଠ ଅଧିକାରୀମାନେ ବାରମ୍ବାର ଅଂଚଳକୁ ଗସ୍ତ କରି ସ୍ୱାଭିମାନ ଅଂଚଳର ବିକାଶ ଲାଗି ଅହରହ ସଂଗ୍ରାମ କରୁଛନ୍ତି । ଏହାରି ଭିତରେ ପାଇଖାନା ଦୁର୍ନୀତିରେ କୋଟି କୋଟି ଟଙ୍କା ଚଳୁ ହୋଇ ଥିବା ନେଇ ବାରମ୍ବାର ଖବର ପ୍ରକାଶ ପାଉଛି । ଏପରି ସ୍ଥିତିରେ ଖୋଦ ବିଡିଓଙ୍କ ଏପରି ଆଲବମରେ  ହିରୋ ନିଶା କେଉଁ ଆଡେ ଇଶାରା କରୁଛି, ତାହା ଯେ କେହି ଅନୁମାନ କରି ପାରିବେ।

ସମ୍ବନ୍ଧିତ ଖବର