ଗରିବ ମହିଳାଙ୍କୁ ମିଳିଲା ଭତ୍ତା

ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ ବାଟପାଲି ଗ୍ରାମର ଗରିବ ବିଧବା ଜୟନ୍ତୀ କର ଓ ଅନ୍ନପୂର୍ଣ୍ଣା ସରକାର ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଆସି ଭତ୍ତା ପାଇଁ ଆବେଦନ କରିବା ସତ୍ୱେ ସେମାନଙ୍କୁ ସେଥିରୁ ବଞ୍ଚିତ ହୋଇଥିଲେ। ଶେଷରେ ସେମାନେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଦ୍ୱାରସ୍ଥ ହୋଇ ନ୍ୟାୟ ପାଇବା ପାଇଁ ଦରଖାସ୍ତ ପ୍ରଦାନ କରିଥିଲେ। ଅସୁବିଧାକୁ ଅନୁଧ୍ୟାନ କରି ଜିଲ୍ଲାଜଜ୍‌ ତଥା ଅଧ୍ୟକ୍ଷ ମାନସ କୁମାର ମିଶ୍ର ତୁରନ୍ତ ଏହାର ସମାଧାନ କରିବା ପାଇଁ ସଚିବ ଅମିତ ସ୍ୱରୂପ କୁମାର ସେଠଙ୍କୁ ନିର୍ଦେଶ ଦେଇଥିଲେ। ଏହାପରେ ସଚିବ ଶ୍ରୀ ସେଠ ବିଡିଓଙ୍କ ସହ ଯୋଗାଯୋଗ କରି ଉଭୟଙ୍କୁ କିପରି ବାର୍ଦ୍ଧକ୍ୟ ଭତ୍ତା ମିଳିବ ସେନେଇ ଆଲୋଚନା କରିଥିଲେ। ଯାହାଫଳରେ ବିଡିଓ ଆବେଦନକୁ ତ୍ୱରାନ୍ଵିତ କରି ଭତ୍ତା ଦେବା ବ୍ୟବସ୍ଥା କରିଛନ୍ତି। ସେହିପରି ଉପରୋକ୍ତ ଗ୍ରାମର ବିଧବା ରଂଜିତା ଦାସ ସ୍ୱାମୀଙ୍କ ଦେହାନ୍ତ ପରେ ବ୍ଲକ କାର୍ଯ୍ୟାଳୟକୁ ଯାଇ ଭତ୍ତା, ଜାତୀୟ ପରିବାର କଲ୍ୟାଣ ଯୋଜନାରେ ସହାୟତା ଏବଂ ଘର ଖଣ୍ଡିଏ ପାଇଁ ଦରଖାସ୍ତ ପ୍ରଦାନ କରିଥିଲେ। ଏନେଇ ବାରମ୍ବାର ଦୌଡିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିଲେ। ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କ ନିର୍ଦେଶକ୍ରମେ ସଚିବ ଶ୍ରୀ ସେଠ ବିଡିଓଙ୍କ ସହ ଯୋଗାଯୋଗ କରି ରଂଜିତାଙ୍କୁ ବିଧବା ଭତ୍ତା ପ୍ରଦାନ କରାଇଥିଲେ। ଏଥିସହ ଗୃହ ମଧ୍ୟ ମିଳିବା ପାଇଁ ସବୁ ପ୍ରକାର ଆଲୋଚନା ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର