ଅନିତା ସର୍ଦାର ହତ୍ୟା ମାମଲା:ଅସହାୟ ଅବସ୍ଥାରେ ୨ବର୍ଷର ଝିଅ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମଭି-୭୯ ଥାନା ଅନ୍ତର୍ଗତ ଏମପିଭି-୬୫ ଗ୍ରାମର ଅନିତା ସର୍ଦାରଙ୍କୁ ହତ୍ୟା ପରେ ସ୍ୱାମୀ ସୁଜିତ ସର୍ଦାର ଫେରାର ଅଛନ୍ତି। ପୁଲିସ ତାଙ୍କୁ ସନ୍ଧାନ କରୁଥିବା କହୁଛି। ତେବେ ମା’ର ମୃତ୍ୟୁ ଓ ବାପାଙ୍କ ପତ୍ତା ମିଳୁନଥିବା ବେଳେ ଅସହାୟ ଅବସ୍ଥାରେ ରହିଛି  ୨ବର୍ଷର କୁନି ଝିଅ। ସଂପୂର୍ଣ୍ଣ ଏକୁଟିଆ ହୋଇଯାଇଥିବା ଏହି କୁନି ଝିଅ ଏବେ ମା’ କୋଳ ଖୋଜୁଛି। ଦୁନିଆକୁ ଭଲ ରୂପେ ଜାଣିବା ପୂର୍ବରୁ ତା’ ଜୀବନରେ ଏମିତି ଏକ ବୀଭତ୍ସ ଘଟଣା ଘଟିଲା ଯେ ସେ କେଉଁ କୂଳର ହେବ ତାହାକୁ ନେଇ ସଂପର୍କୀୟ ଚିନ୍ତାରେ ରହିଛନ୍ତି। ହସିବା, ଖେଳିବା ବୟସରେ ମା’ର ମମତାରୁ ବଞ୍ଚିତ ହୋଇ ଗୁମ୍‌ ହୋଇ ରହୁଛି। ତେଣୁ ଆଜି ତାକୁ ମାଲକାନଗିରି ନେଇ ଆସିଥିଲେ ଆଈ। ମା’ ଘର ସଦସ୍ୟାଙ୍କୁ ଭେଟି କୁନି ନାତୁଣୀର ଭବିଷ୍ୟତ ପାଇଁ ସହଯୋଗ ଲୋଡିଥିଲେ। ଯଥାସାଧ୍ୟ ସମସ୍ତ ସହଯୋଗ କରିବେ ବୋଲି ମା’ ଘର ସଦସ୍ୟା କହିଥିଲେ।

ଏନେଇ ମା’ ଘର ସଭାପତି ପ୍ରଶାନ୍ତିଲତା ବିଷୋୟୀଙ୍କୁ ପଚାରିବାରୁ ଶିଶୁ ଗୃହରେ କୁନି ଝିଅକୁ ରଖିବା ପାଇଁ ପ୍ରଶାସନକୁ ଅନୁରୋଧ କରାଯିବ। ପରବର୍ତୀ ସମୟରେ କୌଣସି ହଷ୍ଟେଲରେ ରହି ପାଠ ପଢିବା ବ୍ୟବସ୍ଥା କରିବାକୁ ପ୍ରଶାସନକୁ ନିବେଦନ କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ସ୍ୱାମୀଙ୍କ ହରାଇଥିବା ଅନିତାଙ୍କ ମା’ ଏବେ ନାତୁଣୀ ପାଇଁ ଚିନ୍ତାଗ୍ରସ୍ତ। ଏକୁଟିଆ ବହୁ କଷ୍ଟରେ ବଞ୍ଚୁଛନ୍ତି। ଅସହାୟ ଅବସ୍ଥାରେ ନିଜେ ରହିଥିବାରୁ ନାତୁଣୀକୁ କେମିତି ପାଳିପୋଷି ବଡ କରିବେ ଜାଣିପାରୁ ନାହାନ୍ତି। ତେଣୁ ନାତୁଣୀର ଭବିଷ୍ୟତ ପାଇଁ ସେ ମା’ଘର ଆଶ୍ରୟ ନେଇଛନ୍ତି। ସୂଚନାଯୋଗ୍ୟ, ଅନିତାଙ୍କୁ ହତ୍ୟା ପରେ ତାଙ୍କ ଶେଷକୃତ୍ୟ ପାଇଁ କେହି ଆଗକୁ ଆସି ନଥିଲେ। ଏକ ପ୍ରକାର ବାସନ୍ଦ ହୋଇ ଯାଇଥିବା ଅନିତାଙ୍କ ଶବ। ଏଭଳି ପରିସ୍ଥିତିରେ ମାଲକାନଗିରି ମା’ଘର ସଦସ୍ୟା ଏମପିଭି-୬୫ ଗ୍ରାମରେ ପହଞ୍ଚି ପୁଲିସ ସହାୟତାରେ ଶବ ସତ୍କାର କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର