ମାଲକାନଗିରି: ଗୁରୁପ୍ରିୟା ସେତୁ ବିଚ୍ଛିନ୍ନାଞ୍ଚଳକୁ ଯୋଡ଼ିବା ପରେ ଧୀରେ ଧୀରେ ବିକାଶ ପହଞ୍ଚିବାରେ ଲାଗିଛି। ଏଥିସହ ଆରମ୍ଭ ହୋଇଛି ନକ୍ସଲ-ସୁରକ୍ଷା କର୍ମୀ ମଧ୍ୟରେ ଆରପାର ଲଢ଼େଇ। ଏମିତି ଛକାପଞ୍ଝା ମଧ୍ୟରେ ସରକାର ଏବଂ ପ୍ରଶାସନ ଉପରେ ଲୋକେ ଆସ୍ଥା ପ୍ରକଟ କରିଲେଣି। ତେଣୁ ସ୍ବାଭିମାନ ଅଞ୍ଚଳର ଯନ୍ତାପାଇ, ଯଡ଼ାମ୍ବ, ହନ୍ତାଳଗୁଡ଼ା ଭଳି ଅଞ୍ଚଳରେ ବିଏସ୍ଏଫ କ୍ୟାମ୍ପ ପ୍ରତିଷ୍ଠା ହୋଇ କମ୍ବିଂ ଅପରେସନ ଜୋରଦାର ହୋଇଛି। ପୁଣି ନକ୍ସଲଙ୍କ ଗଡ଼ କୁହାଯାଉଥିବା ଗୋରସେତୁ ଅଞ୍ଚଳକୁ ବି ନିଜ ଅକ୍ତିଆରକୁ ନେଇ ସାରିଲେଣି ସୁରକ୍ଷା କର୍ମୀ। ଏବେ ଗୋରାସେତୁରେ ବିଏସ୍ଏଫ କ୍ୟାମ୍ପ ହେବା ପରେ ଲୋକେ ନକ୍ସଲ ବିରୋଧୀ ସ୍ଲୋଗାନ ଦେଇଥିବା ଜଣାପଡ଼ିଛି।
ଶହ ଶହ ଲୋକ ଗୋରାସେତୁରେ ଏକତ୍ରିତ ହୋଇ ନକ୍ସଲଙ୍କୁ ସିଧାସଳଖ ବିରୋଧ କରିଛନ୍ତି। ନକ୍ସଲଙ୍କ ଯୋଗୁ ଏଠାରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଲୋକେ ଆତଙ୍କର ବାତାବରଣ ମଧ୍ୟରେ ରହୁଥିଲେ। ବିଏସ୍ଏଫ୍ ପହଞ୍ଚିବା ପରେ ଏହି ଅଞ୍ଚଳକୁ ଶାନ୍ତି ଫେରିଛି ବୋଲି ସଦ୍ୟତମ ପ୍ରଜାମେଳିରେ ଲୋକେ କହିଛନ୍ତି। ନିରୀହ ଲୋକଙ୍କୁ ଟାର୍ଗେଟ କରି ନକ୍ସଲ ପତିଆରା ଜମାଉଥିଲେ। ବିନା ଦୋଷରେ ପୁଲିସ ଇନଫର୍ମର ଦର୍ଶାଇ ନିସ୍ତୁକ ମାଡ଼ ସହ ହତ୍ୟା କରିବାକୁ ପଛାଉନଥିଲେ। ସ୍ବାଭିମାନ ଅଂଚଳର ଶହ ଶହ ଲୋକ ବିନା କାରଣରେ ପ୍ରାଣ ହରାଇଛନ୍ତି। ସେମାନଙ୍କ ପରିବାର ଆଜି ଧୂଳିସାତ ହୋଇଯାଇଛନ୍ତି। ଆଦିବାସୀଙ୍କ ପାଇଁ ଲଢ଼ୁଥିବା କହି ନକ୍ସଲ ଏଠାରେ ଦାଦାଗିରି କରୁଥିଲେ। ଗତ କିଛି ମାସ ହେଲା ସେମାନେ ନିର୍ଭୟରେ ବଞ୍ଚୁଛନ୍ତି। ଜୀବନ ଓ ଜୀବିକା ଧୀରେ ଧୀରେ ସ୍ବାଭାବିକ ହେଉଥିବାରୁ ଆଗକୁ ଆଉ ନକ୍ସଲଙ୍କୁ ସମର୍ଥନ କରିବେ ନାହିଁ ବୋଲି ରୋକ୍ଠୋକ୍ କହିଛନ୍ତି। ପୁଲିସକୁ ସହଯୋଗ କରି ନିଜ ପରିବାର ଏବଂ ଗ୍ରାମକୁ ସୁରକ୍ଷିତ ରଖିବେ ବୋଲି ଦୃଢ଼ତାର ସହ କହିଛନ୍ତି। ପ୍ରଶାସନର ବିକାଶ ଧାରାକୁ ଆଗେଇ ନେବା ପାଇଁ ସମସ୍ତେ ସହଯୋଗ କରିବେ। ଗୋରାସେତୁ ଅଞ୍ଚଳବାସୀ ଦୀର୍ଘ ୫୦ବର୍ଷ ପରେ ସ୍ବାଧୀନ ପାଇଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/f5h98sf798sf7h89sfhfhssfhfhssfh.jpg)