ଶିଶୁ କନ୍ୟାକୁ ଅନାଦର…ଜଙ୍ଗଲରେ ଫିଙ୍ଗି ଦେଲେ ଜନ୍ମିତ ଶିଶୁ କନ୍ୟାକୁ

ମାଲକାନଗିରି : ଏବେ ବି ଲୋକଙ୍କ ମାନସିକତା ବଦଳି ନାହିଁ । କନ୍ୟା ସନ୍ତାନ ଜନ୍ମ ହେଲେ ଘରର ବଂଶ ପରଂପରାକୁ ରକ୍ଷା କରିପାରିବ ନାହିଁ କହି ତାକୁ ହତ୍ୟା କିମ୍ବା ଫୋପାଡି ଦିଆଯାଉଛି । ଏପରିକି କନ୍ୟା ଭ୍ରୁଣ ହତ୍ୟା ଏବେ ବି ଚାଲିଛି । ମାଲକାନଗିରି ଜିଲ୍ଲାରେ ଏଭଳି ବହୁ ଘଟଣା ଘଟିଛି ଯେ କନ୍ୟା ଜନ୍ମ ହେବା ପରେ କେତେ ବେଳେ ତ ଖତ ଗଦାରେ ଫିଙ୍ଗି ଦିଆଯାଉଛି ତ ଆଉ କେତେବେଳେ ମାରି ଦିଆଯାଉଛି।ଏହି କ୍ରମରେ ମାଲକାନଗିରି ଠାରୁ ମାତ୍ର ୮ କିଲୋମିଟର ଦୁରରେ ତଣ୍ଡାପାଲୀ ଛକ ନିକଟରେ ରହିଥିବା ଏକ ଜଂଗଲରେ ଜନ୍ମିତ ଶିଶୁ କନ୍ୟାକୁ ଫୋପାଡି ଦେଇ କେହି ଚାଲିଯାଇଥିବା ଦେଖିବାକୁ ମିଳିଥିଲା।ଏହି ଜଂଗଲରେ ଗାଈ ଚରାଉଥିବା ପିଲାମାନେ ପିଲାର କାନ୍ଦ ଶୁଣି ନିକଟସ୍ଥ ଘରର ମାଲିକ ଭୀମା ମାଡକାମୀ ଏବଂ ତାଂକ ପତ୍ନୀ ସ୍ପାଇକେ ମାଡକାମୀଙ୍କୁ ଜଣାଇଥିଲେ।ତୁରନ୍ତ ଏହି ଦମ୍ପତ୍ତି ଜଂଗଲକୁ ଯାଇ ଶିଶୁ କନ୍ୟାକୁ ଉଦ୍ଧାର କରି ଘରକୁ ଆଣିଥିଲେ। କନ୍ୟାଟିକୁ ଗୋଧୋଇ ଦେବା ସହ ଖାଇବାକୁ ଦେଇଥିଲେ।ତେବେ ଶିଶୁ କନ୍ୟାଟି ଜନ୍ମ ହେବାର ଦିନେ କିମ୍ବା ଦୁଇ ଦିନ ହୋଇଛି । ଭୋକରେ ଜଂଗଲରେ ଶିଶୁ କନ୍ୟାଟି ବିକଳରେ କାନ୍ଦୁଥିଲା ବୋଲି ସ୍ପାଇକେ ମାଡକାମୀ କହନ୍ତି।କନ୍ୟା ସନ୍ତାନ ଜନ୍ମ ହେବାରୁ ହୁଏତ କେହି ଜଂଗଲରେ ଫିଙ୍ଗି ଦେଇ ଚାଲିଯାଇଥାଇପାରେ ବୋଲି କୁହାଯାଇଛି। ନଚେତ ଅବୈଧ୍ୟ ସଂପର୍କରେ ହୁଏତ ଏହି ଶିଶୁ କନ୍ୟା ଜନ୍ମ ହୋଇଥାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି।ତେବେ ଜଂଗଲରେ ଶୀତ କାକରରେ ପଡିଥିବା ଏହି ଶିଶୁଟିର ଦେହରେ କ୍ଷତ ଚିହ୍ନ ରହିଛି।ତୁରନ୍ତ ଶିଶୁଟିକୁ ଏହି ଦମ୍ପତ୍ତି ମାଲକାନଗିରି ମେଡିକାଲକୁ ନେଇ ଚିକିତ୍ସା କରାଉଥିବା ପ୍ରକାଶ କରିଛନ୍ତି।ଜିଲ୍ଲାରେ ଏଭଳି ବହୁ ଘଟଣା ଘଟୁଥିଲେ ମଧ୍ୟ ନଜରକୁ ଆସୁନଥିବା ଜଣାପଡିଛି।ତେବେ ପ୍ରଶାସନ ତରଫରୁ ଏନେଇ ଶିଶୁ କନ୍ୟାଟିକୁ ଫିଙ୍ଗିଥିବା ଦମ୍ପତ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।ଏହି ଜଂଗଲ ନିକଟରେ ଏମଭି-୭ ନମ୍ବର ଗ୍ରାମ,ଏମଭି-୧୫ ନମ୍ବର ଗ୍ରାମ ଏବଂ ତଣ୍ଡାପାଲୀ ଗ୍ରାମ ଲାଗି ରହିଛି।ତେବେ ଏହି ଶିଶୁ କନ୍ୟାଟି ଏହି ତିନି ଗ୍ରାମର ନା ଅନ୍ୟ କୌଣସି ଗ୍ରାମର ଲୋକେ ଏଠି କନ୍ୟାଟିକୁ ଫିଙ୍ଗି ଦେଇ ଚାଲିଯାଇଛନ୍ତି ତାହା ତଦନ୍ତ ସାପେକ୍ଷ।ଏନେଇ ଆଶାକର୍ମୀମାନଙ୍କୁ ପଚରାଉଚରା କରାଗଲେ ହୁଏତ ଏହାର ପିତାମାତାଙ୍କ ବିଷୟରେ ଜଣାପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର