ବାର ଆସୋସିଏସନର କାର୍ଯ୍ୟବନ୍ଦ ଆନ୍ଦୋଳନ :ବିଚାରାଧୀନ କଏଦିଙ୍କୁ ଜିଲ୍ଲାପାଳଙ୍କ ଅସହଯୋଗ ଅଭିଯୋଗ

ମାଲକାନଗିରି: ମାଲକାନଗିରି ସ୍ଥିତ ଜିଲ୍ଲା କୋର୍ଟକୁ ଆସୁଥିବା ବିଚାରଧୀନ କଏଦିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଉଥିବା ନେଇ ଗତ ଦୁଇ ଦିନ ତଳେ ବାର ଆସୋସିଏସନ ସାମ୍ବାଦିକ ସମ୍ମିଳନୀ ଡକାଇ ଅଭିଯୋଗ କରିଥିଲା। ଦାବି ପୂରଣ ନହେଲେ ଆସନ୍ତା ୨୬ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଧମକ ବି ଦେଇଥିଲେ। ତେବେ ଦାବି ପୂରଣ ହୋଇନଥିବାରୁ ଆଜି ବାର ଆସୋସିଏସନ ତରଫରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଥିଲା। ଜିଲ୍ଲା ଜଜ୍ ଏବଂ ବାର ଆସୋସିଏସନର କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଓକିଲ ମାନେ ଆସନ୍ତାକାଲି ଠାରୁ କାର୍ଯ୍ୟରେ ଯୋଗ ଦେବେ। କିନ୍ତୁ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଆଇନଗତ ଲଢେଇ ହେବ ବୋଲି ବାର ଆସୋସିଏସନ ସଭାପତି ନୃସିଂହ ଚରଣ ମହାନ୍ତି ପ୍ରକାଶ କରିଥିଲେ। ଆଜି କାର୍ଯ୍ୟ ବନ୍ଦ ରହିଥିବାରୁ ବହୁ ଲୋକ ହଇରାଣ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଏନେଇ ଜିଲ୍ଲାପାଳ କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା। ପ୍ରକାଶ ଥାଉକି ଗ୍ରୀଷ୍ଣର ଖରା ତାତିରେ କୋର୍ଟ ବାହାରେ ବିଚାରଧୀନ କଏଦି ମାନଙ୍କୁ ଗାଡିରେ ସକାଳ ସାତଟାରୁ ଦିନ ତିନିଟା ପର୍ଯ୍ୟନ୍ତ ବସି ରହିବାକୁ ପଡିଥାଏ। ଯାହା ଫଳରେ କଏଦିଙ୍କ ଅବସ୍ଥା ଅତି ସଂକଟାପନ୍ନ ହୋଇଯାଇଥାଏ। ଏହା ମାନବାଧିକାରର ଉଲଂଘନ ବୋଲି ବାର ଆସୋସିଏସନ ଅଭିଯୋଗ କରିଥିଲେ। କୋର୍ଟ ପରିସରରେ ଏକ କୋଠରୀର ସୁବିଧା କରିବା ସହ ସେମାନଙ୍କ ପାଇଁ ପାଣି, ପାଇଖାନା, କୁଲର ଇତ୍ୟାଦି ସୁବିଧା କରିବା ଦରକାର। ଏନେଇ ମାଲକାନଗିରି ଜିଲ୍ଲାପାଳଙ୍କୁ ଗତ ମାର୍ଚ୍ଚ ୨ ତାରିଖ, ୧୭ ତାରିଖ ଏବଂ ୨୨ ତାରିଖରେ ଅବଗତ କରାଇଥିଲୁ। କିନ୍ତୁ ଜିଲ୍ଲାପାଳ ବାର ଆସୋସିଏସନର ଦାବିକୁ ପୂରଣ ନକରି ଚୁପ ରହିଛନ୍ତି। ଯଦି କଏଦି ମାନଙ୍କର କୌଣସି ଅସୁବିଧା ହୁଏ ତେବେ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି କୁହାଯାଇଥିଲା। ଜିଲ୍ଲାପାଳଙ୍କୁ ବାରମ୍ବାର ଦରଖାସ୍ତ ଦେଇ ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି ସୁବିଧା ନକରିବାକୁ ନେଇ ବାର ଆସୋସିଏସନ ତରଫରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଥିଲା।

ସମ୍ବନ୍ଧିତ ଖବର