ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜୋରଦାର ଚାଲିଛି ବାରହା ଶିକାର। ବାରହାଙ୍କୁ ମାରିବା ପାଇଁ ପଡିଆ ବ୍ଲକର ବାପାନପଲ୍ଲୀ ଅଂଚଳରେ ଚାଲିଛି ଅବୈଧ ବାର୍ହା ଶିକାର। ତେବେ ଏନେଇ ବନ ବିଭାଗ ନିକଟରେ କୌଣସି ଖବର ନାହିଁ। ବିଦ୍ୟୁତ ତାର ବିଛାଇ ବାରହା ଶିକାର କରାଯାଉଛି। ବିଶେଷକରି ଜିଲ୍ଲାର ପଡିଆ ବ୍ଲକର ବାପନପାଲ୍ଲୀ ପଞ୍ଚାୟତର ରାଡନପାଲୀ, ସିଲାକୋଟା ଅଂଚଳରେ ଅବୈଧ ବାରହା ଶିକାର କରାଯାଉଛି।

Advertisment

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଗତକାଲି ରାତିରେ ଦୁଇଟି ବାରହାକୁ ଗ୍ରାମବାସୀ ବିଦ୍ୟୁତ ତାର ଖଞ୍ଜି ମାରିଥିବା ଜଣାପଡିଛି। ତେବେ ଏଥିରେ ବିଦ୍ୟୁତ ବିଭାଗର କର୍ମଚାରୀଙ୍କର ମଧ୍ୟ ହାତ ରହିଥିବା ଜଣାପଡିଛି। ୧୧ କେଭି ବିଦ୍ୟୁତ ତାର ଖଞ୍ଜି ଦୁବୃର୍ତ୍ତମାନେ ଏହି ବାର୍‌ହା ଶିକାର କରିଥିଲେ। ଏଥିରେ ବିଦ୍ୟୁତ ବିଭାଗର ଲୋକେ ସଂପୂର୍ଣ୍ଣ ସହଯୋଗ କରୁଛନ୍ତି। ଯେଉଁଥିପାଇଁ ସେମାନଙ୍କୁ ବାରହା ମାଂସର ଭାଗ ମିଳିଥାଏ ବୋଲି କୁହାଯାଇଛି। ଏହାର ବିହିତ ତଦନ୍ତ ହେଲେ ସବୁ ସତ୍ୟ ପଦାକୁ ଆସିବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଗତ କିଛି ଦିନ ହେଲା ଏହି ଅଂଚଳରେ ଲଗାତାର ବିରହା ଶିକାର ହେଉଛି।କେବଳ ପଡିଆ ବ୍ଲକ ନୁହେଁ କାଲିମେଳା,ଚିତ୍ରକୋଣ୍ଡା,ମାଥିଲି,ଖଇରପୁଟ ଭଳି ବ୍ଲକର ଦୁର୍ଗମ ଅଂଚଳରେ ବାରହା ଶିକାର ଜୋରସୋରରେ ଚାଲିଛି।ବର୍ତ୍ତମାନ ଧାନ ପାଚି ଆସିଲାଣି।ବାରହାମାନେ ଧାନ ଖାଇବାକୁ ଜମିକୁ ଆସୁଥିବା ବେଳେ ଲୋକେ ବାରହାଙ୍କୁ ଶିକାର କରି ତାର ମାଂସ ଭୋଜି କରୁଥିବା ଜଣାପଡିଛି।ଏହା ପ୍ରାୟ ପ୍ରତିବର୍ଷ ହୁଏ।ତେବେ ଏନେଇ ବନ ବିଭାଗ ନିକଟରେ କୌଣସି ଖବର ନାହିଁ।ତେବେ ଡିଏଫଓ ପ୍ରତାପ କତ୍ତାପାଲୀଙ୍କୁ ପଚାରିବାରୁ ସେ ଏ ସଂପର୍କରେ ଅବଗତ ନଥିବା କହିବା ସହ ଏହାର ବିହିତ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ।ତେବେ କିପରି ବିଦ୍ୟୁତ ବିଭାଗର କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି ,ଏହାର ମଧ୍ୟ ତଦନ୍ତ କରାଯିବା ପାଇଁ ଦାବି ହୋଇଛି। ତେବେ ବାରମ୍ବାର ବାରହା ଶିକାର ପାଇଁ ବିଦ୍ୟୁତ ତାର ଖଞ୍ଜୁଥିବାରୁ ବିଦ୍ୟୁତ ବିଭ୍ରାଟ ମଧ୍ୟ ଦେଖାଦେଉଥିବା ଅଭିଯୋଗ ହୋଇଛି।

ସିଲାକୋଟା ଅଂଚଳରେ ସବୁବେଳେ ବିଦ୍ୟୁତ ବିଭ୍ରାଟ ହେଉଛି ସେବଳ ବାରହା ଶିକାର ପାଇଁ ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି। ଯଦି ଏଭଳି ବେଆଇନ ଭାବେ ବାରହା ଶିକାର କରାଯାଏ ତେବେ ଜଂଗଲରୁ ବାରହା ବଂଶ ଲୋପ ପାଇବ ବୋଲି ବିଶେଷଜ୍ଞ ମତ ଦିଅନ୍ତି। ଜଂଗଲରେ ଖାଦ୍ୟର ଅଭାବରୁ ଜଙ୍ଗଲି ଜନ୍ତୁ ଏବେ ସହର ଏବଂ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି। ଏହାର ଫାଇଦା ଉଠାଉଛନ୍ତି ଦୁର୍ଗମ ଅଂଚଳର ଲୋକେ।ଜଂଗଲି ଜନ୍ତୁକୁ ଶିକାର କରି ତାର ମାଂସକୁ ବିକ୍ରି କରିବା ସହ ନିଜେ ଭକ୍ଷଣ କରୁଛନ୍ତି।ବାରହା ମାଂସର ଚାହିଦା ବେଶୀ ରହିଥିବାରୁ ବେଧଡକ ଏହାର ଶିକାର ଆରମ୍ଭ ହୋଇଛି।ତେବେ ପ୍ରତିଦିନ ଏହି ପଶୁର ଶିକାର କରାଯାଉଛି।କିନ୍ତୁ ଜଂଗଲ ବିଭାଗର ଅଧିକାରୀମାନେ ଟେର ପାଇପାରୁନାହାନ୍ତି।ନା ଜାଣି ଅଜଣା ବନୁଛନ୍ତି ଏହାର ତଦନ୍ତ ଆବଶ୍ୟକ ବୋଲି ଚର୍ଚ୍ଚା ହେଉଛି।ଡିଏଫଓ ଶ୍ରୀ କତ୍ତାପାଲୀ ଅବଗତ ହେବା ପରେ କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।