ଏବେ ବି ଚାଲିଛି ଅଦଳ ବଦଳ ପ୍ରଥା:ମହୁଲ ବଦଳରେ ପରିବା :ଶାଳ ମଞ୍ଜି ବଦଳରେ ଲୁଣ

ମାଲକାନଗିରି: ମୁଦ୍ରା ବିନିମୟ ପୂର୍ବରୁ ବ୍ୟବସାୟର ପ୍ରମୁଖ ମାଧ୍ୟମ ଥିଲା ସାମଗ୍ରୀ ଅଦଳ ବଦଳ। କିନ୍ତୁ ସମୟ ସହ ବଦଳିଗଲା ବାଣିଜ୍ୟର ମାଧ୍ୟମ। ଧାତୁ ମୁଦ୍ରା ଯୋଗୁଁ ପ୍ରତ୍ୟେକ ସାମଗ୍ରୀର ମୂଲ୍ୟ ନିର୍ଧାରିତ ହେଲା। ବର୍ତମାନ ଆଧୁନିକତା ସବୁ ବିନିମୟର ପରିଭାଷାକୁ ସଂପୂର୍ଣ୍ଣ ବଦଳାଇ ଦେଇଛି। ମୁଦ୍ରା ବ୍ୟବହାର ପୂର୍ବ ଅପେକ୍ଷା କମିଥିବା ବେଳେ କାଁ ଭାଁ ହିଁ ସାମଗ୍ରୀ ଅଦଳ ବଦଳ ପ୍ରକିୟାରେ ବ୍ୟବସାୟ ଦେଖିବାକୁ ମିଳେ। ତେବେ ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ତଥା ଅନୁନ୍ନତ ଜିଲ୍ଲାରେ କିଛିକାଂଶରେ ଜିନିଷ ଅଦଳ ବଦଳ କରି ବ୍ୟବସାୟ ଚାଲିଥିବା ଦେଖିବାକୁ ମିଳୁଛି। ନିଜ ଜମିରୁ ଉତ୍ପାଦନ କରୁଥିବା ଧାନ, ମାଣ୍ଡିଆ, ସୁଆଁ, କାନ୍ଦୁଲ, ବିରି, ମୁଗ ଭଳି ଶସ୍ୟ ବଦଳରେ ଲୋକ ଘର କରଣା ଜିନିଷ ସଂଗ୍ରହ କରୁଛନ୍ତି। ଏଥିପାଇଁ ଦରକାର ପଡିଲେ ସେମାନେ ବଣ, ପାହାଡ, ନଦୀନାଳ ଡେଇଁ କୋଡିଏରୁ ପଚିଶି କିଲୋମିଟର ବାଟ ହାଟକୁ ଆସି ଅଦଳ ବଦଳ ମାଧ୍ୟମରେ ସପ୍ତାହକ ପାଇଁ ଜନିଷ ନେଉଛନ୍ତି। ଏଭଳି ଦୃଶ୍ୟ ମାଲକାନଗିରି ଜିଲ୍ଲାର ପ୍ରାୟ ସମସ୍ତ ହାଟରେ ଦେଖିବାକୁ ମିଳେ। ଖଇରପୁଟ ବ୍ଲକ ବଣ୍ଡା ଘାଟିରୁ ମହିଳାମାନେ ଦୀର୍ଘ ବାଟ ଚାଲି ଚାଲି ବିଭିନ୍ନ ହାଟକୁ ଯାଇ ସେମାନଙ୍କୁ ଦରକାର ପଡୁଥିବା ଜିନିଷକୁ ଅଦଳ ବଦଳ ମାଧ୍ୟମରେ ନେଉଥିବା ଦେଖିବାକୁ ମିଳେ।

ଜଂଗଲ ନିକଟରେ ରହୁଥିବା ଆଦିବାସୀ ଜଂଗଲଜାତ ଦ୍ରବ୍ୟ ସଂଗ୍ରହ କରି ହାଟ ବଜାରରେ ତାହାକୁ ନେଇ ନିଜର ଅତ୍ୟାବଶକ ଜିନିଷ ନେଉଛନ୍ତି। ଏବେ ମହୁଲ ଫୁଲ ସଂଗ୍ରହ ଋତୁ ଚାଲିଥିବାରୁ ଲୋକେ ମହୁଲ ଗୋଟାଇବାରେ ବ୍ୟସ୍ତ। ସଂଗୃହିତ ମହୁଲକୁ ଦିନେ ଦୁଇ ଦିନ ପର୍ଯ୍ୟନ୍ତ ଶୁଖାଇବା ପରେ ତାହାକୁ ନେଇ ହାଟରେ ବିକ୍ରି କରୁଛନ୍ତି। ହେଲେ ଏଥିପାଇଁ ସେମାନେ ଟଙ୍କା ଦାବି କରୁନାହାନ୍ତି। ଲୁଣ, ପନିପରିବା ଆଣୁଛନ୍ତି। ସେହିପରି ଶାଳ ମଂଜିକୁ ଓଜନ କରି ଦେବା ପରେ ବଦଳରେ ଲୁଣ କିମ୍ବା ଅନ୍ୟ ଜରୁରି ଜିନିଷ ନେଉଛନ୍ତି। ପ୍ରଚଣ୍ଡ ଖରାରେ ଜଂଗଲରେ ପଶି ବନ୍ୟଜନ୍ତୁଙ୍କୁ ଭୟ ନକରି ସାରା ଦିନ ମହୁଲ ଫୁଲ ଓ ଶାଳ ମଂଜି ସଂଗ୍ରହ କରିବାରେ ଯେଉଁ ପରିଶ୍ରମ ପଡିଥାଏ ତାହା ତୁଳନାରେ ଲୁଣର ମୂଲ୍ୟ କିଛି ନଥାଏ। ତଥାପି ଦୈନନ୍ଦିନ ଜୀବନରେ ଖାଦ୍ୟ ପାଇଁ ଲୁଣ ଆବଶ୍ୟକ ହୋଇଥିବାରୁ ସେମାନେ ଉଚ୍ଚା ଦରରେ ତାହାକୁ ନେଉଛନ୍ତି।

ଅଜ୍ଞତାର ସୁଯୋଗ ନେଇ ବ୍ୟବସାୟୀ ମଧ୍ୟ ବେଶ ଲାଭବାନ ହେଉଛନ୍ତି। କେବଳ ବଣ୍ଡା ନୁହନ୍ତି, ପାହାଡ ଘେରା ଜଂଗଲରେ ରହୁଥିବା ଅଧିକାଂଶ ଆଦିବାସୀ ଏମିତି ବ୍ୟବସାୟକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ବିଶେଷକରି ତେନ୍ତୁଳି ମଂଜି ବଦଳରେ ଲୁଣ ନେବା ଏକ ସାଧାରଣ କଥା। ପୁଣି ଚତୁର ବ୍ୟବସାୟୀ ଅଧିକ ଲାଭ ପାଇଁ ଗାଁ ଗାଁରେ ପହଞ୍ଚିଲେଣି। ଲୋକଙ୍କ ଠାରୁ ମହୁଲ, ଶାଳମଂଜି, ବିରି, ମୁଗ, କାନ୍ଦୁଲ ଆଦି ସଂଗ୍ରହ କରି ପ୍ରତିବଦଳରେ ଲୁଣି, ପନିପରିବା ସହ ଅନ୍ୟାନ୍ୟ ଜିନିଷ ଦେବା ଆରମ୍ଭ କରିଛନ୍ତି। ସଚେତନତା ଅଭାବରୁ ଆଦିବାସୀ ଯୁଗ ଯୁଗ ଧରି ଚଳି ଆସୁଥିବା ଏହି ଅଦଳ ବଦଳ ବ୍ୟବସ୍ଥାକୁ କାୟମ ରଖିଛନ୍ତି। ପରିଶ୍ରମର ଉଚିତ ମୂଲ୍ୟ ପାଉ ନଥିଲେ ହେଁ ସେମାନଙ୍କର କ୍ଷୋଭ ନାହିଁ। ତଥାପି ପ୍ରଶାସନ ପକ୍ଷରୁ ଏନେଇ ସଚେତନ କରାଯିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର