ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏମିତି ବହୁ ଗ୍ରାମ ରହିଛି ଯେଉଁଠି ସରକାରୀ ସୁବିଧା ସାତସପନ। ସ୍ବାଧୀନ ଭାରତରେ ଏହି ଗ୍ରାମବାସୀ ଆଜି ବି ପରାଧୀନ ଭଳି ବଞ୍ଚି ରହୁଛନ୍ତି ।ସରକାରଙ୍କ କୌଣସି ଯୋଜନା ଏଠାରେ ପହଞ୍ଚି ପାରୁନାହିଁ । ନିଜ ପାରଂପାରିକ ଚାଷ ଏବଂ ଜଂଗଲଜାତ ଦ୍ରବ୍ୟକୁ ନେଇ ଗ୍ରାମବାସୀ ବଞ୍ଚୁଛନ୍ତି । ଜିଲ୍ଲାର ସାତୋଟି ବ୍ଲକରେ ରହିଥିବା ଦୁର୍ଗମ ଗ୍ରାମ ଗୁଡିକର ଅବସ୍ଥା ଏବେ ବି ଅତି ଶୋଚନୀୟ। ସେଭଳି ଏକ ଗ୍ରାମ ହେଲା କାଲିମେଳା ବ୍ଲକ ପୁଶୁଗୁଡା ପଞ୍ଚାୟତର ଜିନେଇଗୁଡା ନିକଟସ୍ଥ କାମାରଗୁଡା ଗ୍ରାମ। ଏହି ଗ୍ରାମରେ ବାସ କରୁଥିବା ପ୍ରାୟ ୪୦ରୁ ଊର୍ଧ୍ବ ପରିବାର ଅତି ଦୟନୀୟ ଅବସ୍ଥାରେ ରହିଛନ୍ତି। ଏହି ଗ୍ରାମ ସଂପର୍କରେ ନା ସରକାରୀ ବାବୁଙ୍କୁ କିଛି ଜଣା ନା କୌଣସି ରାଜନୈତିକ ନେତା ଏହି ଗ୍ରାମରେ କେବେ ପାଦ ପକାଇଛନ୍ତି। ସ୍ବାଧୀନତାର ୭ ଦଶନ୍ଧି ପୂରଣ ହୋଇଥିଲେ ମଧ୍ୟ ଏହି ଗ୍ରାମକୁ ପକ୍କା ରାସ୍ତାଟିଏ ନାହିଁ। ପାଦଚଲା ରାସ୍ତା ହିଁ ଏକ ମାତ୍ର ବିକଳ୍ପ । ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟ ଜଳ ଭଳି ଗୁରୁତ୍ବପୂର୍ଣ୍ଣ ସମସ୍ୟା ଏଠାରେ ଭରି ରହିଛି। ଗ୍ରାମକୁ ଯିବାକୁ ହେଲେ ନାଳ, ପାହାଡ ଅତିକ୍ରମ କରି ଯିବାକୁ ପଡିଥାଏ। ରାସ୍ତା ନଥିବାରୁ ଗ୍ରାମର ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ମେଡିକାଲକୁ ନେବାକୁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ଏହି ଗ୍ରାମରୁ ରୋଗୀଙ୍କୁ ପ୍ରାୟତଃ ଏମଭି-୭୯ ମେଡିକାଲକୁ ନିଆଯାଇଥାଏ। ମେଡିକାଲକୁ ଯିବାକୁ ହେଲେ ପ୍ରଥମେ ରୋଗୀକୁ ଭାର କରି ୮ କିଲୋମିଟର ବାଚ ଚାଲି ଚାଲି ଏମଭି-୯୯ ଗ୍ରାମ ପର୍ଯ୍ୟନ୍ତ ଯିବାକୁ ପଡେ। ସେଠାରୁ ଆମ୍ବୁଲାନସ କିମ୍ବା କୌଣସି ଭଡା ଗାଡିରେ ମେଡିକାଲ ଯିବାକୁ ପଡିଥାଏ ବୋଲି ଗ୍ରାମବାସୀ କହିଛନ୍ତି । ପାନୀୟ ଜଳ ସବୁଠାରୁ ବଡ଼ ସମସ୍ୟା ଭାବେ ରହିଛି । ଗ୍ରାମରେ ଗୋଟିଏ ମାତ୍ର ନଳକୂପ ରହିଥିବା ବେଳେ ଏହା ବି ଦୀର୍ଘଦିନ ଧରି ଅଚଳ । ଗ୍ରାମର ଶେଷ ମୁଣ୍ଡରେ ଏକ ଚୁଆ ରହିଥିବାରୁ ପାନୀୟ ଜଳ ପାଇଁ ଏହା ହିଁ ଏକମାତ୍ର ଭରସା । ଚୁଆ ଶୁଖିଗଲେ ପ୍ରାୟ ଚାରି କିଲୋମିଟର ଦୂରରେ ଥିବା ନଦୀ ପାଣି ଉପରେ ଭରସା କରିଥାନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଥିଲେ ହେଁ ଏହା ଏଭଳି ଗ୍ରାମବାସୀଙ୍କ ନିକଟରେ ପହଞ୍ଚିପାରୁନାହିଁ । ଏହି ଗ୍ରାମରୁ ପ୍ରାୟ ୧୫ କିଲୋମିଟର ଦୂରକୁ ଗଲେ ଆସେ ପୁଶୁଗୁଡା ପଞ୍ଚାୟତ। ଗ୍ରାମବାସୀ ପିଡିଏସ ଚାଉଳ କିମ୍ବା ଭତ୍ତା ପାଇଁ ୧୫ କିଲୋମିଟର ବାଟ ନାଳ, ପାହାଡ ଦେଇ ଯାଉଥିବା କହିଛନ୍ତି । ଗାଡି ମୋଟର ନଥିବାରୁ ଭାରରେ ପିଡିଏସ ଚାଉଳ କିମ୍ବା କିରାସିନି ଆଣୁଥିବା ଗ୍ରାମବାସୀ କହିଛନ୍ତି । ଗ୍ରାମର ବୁଢ଼ାବୁଢ଼ୀ ଏତେ ଦୂର ଯାଇ ଭତ୍ତା ଆଣିବା କଷ୍ଟକର ହୋଇପଡୁଛି ବୋଲି କହିଛନ୍ତି । ବଂଚିବା ପାଇଁ ଗ୍ରାମବାସୀ ପ୍ରତିଦିନ ସଂଗ୍ରାମ କରୁଥିବା ବେଳେ ପ୍ରଶାସନିକ ବାବୁ ମାନେ ସାମାନ୍ୟତମ ଆହା କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । କାମଧନ୍ଦା ଅଭାବ ଯୋଗୁଁ ଗ୍ରାମର ଯୁବକ ମାନେ ବାଧ୍ୟ ହୋଇ ଦାଦନ ଖଟିବାକୁ ଚାଲିଯାଉଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଲୋକଙ୍କୁ ଯେଭଳି ମୌଳିକ ସୁବିଧାସୁଯୋଗ ଦିଆଯାଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।
ମୌଳିକ ସୁବିଧାରୁ ବଂଚିତ କାମାରଗୁଡା ଗ୍ରାମବାସୀ
ସ୍ବାଧୀନ ଦେଶର ପରାଧୀନ ଗାଁ
/sambad/media/post_attachments/wp-content/uploads/2019/07/malk.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)