ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ମଣ୍ଡିରେ ଲାଗି ରହିଥିବା ଅବ୍ୟବସ୍ଥାକୁ ନେଇ ଗର୍ଜିଛି ବିଜେଡି। ଆଜି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ତଥା ବିଜେଡିର ଜାତୀୟ ପ୍ରବକ୍ତା ପ୍ରଦୀପ ମାଝି ମାଲକାନଗିରି ଜିଲ୍ଲାରେ ମଣ୍ଡି ଆରମ୍ଭରୁ ହିଁ ଅବ୍ୟବସ୍ଥାକୁ ନେଇ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଘେରିଛନ୍ତି। ଜିଲ୍ଲାରେ ୮୦ ଭାଗ ଧାନ ଚାଷ ଉପରେ ନିର୍ଭର କରାଯାଉଥିବା ବେଳେ ଏହି ଧାନକୁ ମଣ୍ଡିରେ ଚାଷୀ ବିକ୍ରି କରିନପାରି ଦଲାଲ ହାତରେ ଅତି କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଥିବା କହିଥିଲେ। ସରକାର ନିର୍ବାଚନ ବେଳେ ଚାଷୀଙ୍କୁ ଅତିରିକ୍ତ ସହାୟତା ରାଶି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯାହା ପାଣିର ଗାର ସଦୃଶ୍ୟ ପାଲଟିଛି। ଜିଲ୍ଲାରେ ପ୍ରଥମତଃ ୧୫ ଦିନ ବିଳମ୍ବରେ ମଣ୍ଡିକୁ ଖୋଲିଲେ ପୁଣି ମଣ୍ଡିରେ ଧାନ ଦେଇ ଚାଷୀ ୮ ଦିନ ବିତିଯାଇଥିଲେ ମଧ୍ୟ ସେମାନଙ୍କର ଧାନ ଉଠାଯାଉ ନାହିଁ।
ଏବେ ଅଦିନିଆ ବର୍ଷା ଲାଗି ରହିଥିବା ବେଳେ ଚାଷୀଙ୍କ ଧାନ ଘୋଡାଇବାକୁ ଆରଏମସି ତରଫରୁ ସେଭଳି କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଆଜି ଜିଲ୍ଲା ବିଜେଡି ବିଭିନ୍ନ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ଦୁଃଖ ବୁଝିଥିଲା। ଚାଷୀ ମଣ୍ଡିରେ ଧାନ ଦେବା ପରେ ସେମାନଙ୍କର ଆଖି ସ୍କାନ କରିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଭେଣ୍ଡର ରସିଦ ଦିଆଯାଉ ନାହିଁ। ଚାଷୀ ଭେଣ୍ଡର ରସିଦ ମାଗିଲେ ଲ୍ୟାମ୍ପସ,ଜିଲ୍ଲା ପ୍ରଶାସନ ତରଫରୁ ନୋଡାଲ ଅଫିସର ଦାୟୀତ୍ବରେ ରହିଥିବା ଅଧିକାରୀ,ମିଲର,ଆରଏମସି ଚାଷୀଙ୍କୁ ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି। ପୂର୍ବ ସରକାର ଡିସେମ୍ବର ୫ ପୂର୍ବରୁ ଧାନ ମଣ୍ଡି ଖୋଲି ଚାଷୀଙ୍କର ଧାନ ଉଠାଉଥିଲା। ବର୍ତ୍ତମାନର ସରକାର କେବଳ ଭାଷଣ ବାଜିରେ ହିଁ ସବୁ କାମ କରୁଛି। ଚାଷୀଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି। ଚାଷୀଙ୍କ ଧାନକୁ ତୁରନ୍ତ ଉଠାଯିବା ସହ ୪୮ ଘଣ୍ଟା ମଧ୍ୟରେ ଟଂକା ପ୍ରଦାନ ନେଇ ସରକାର ଯେଉଁ ବାହାସ୍ପଟ ମାରୁଥିଲେ ତାହା ଫାଙ୍କା ଗୁଳିଚାଳନା ଭଳି ହୋଇଛି। ମିଲର ଏବଂ ସରକାରଙ୍କ ଭିତରେ ତାଳମେଳ ରହୁନାହିଁ। ମିଲରଙ୍କୁ ସେମାନଙ୍କର ହକ୍ ପ୍ରଦାନ କରାଯାଉ ନାହିଁ।
ତେଣୁ ସେମାନେ ମଣ୍ଡିରୁ ଧାନ ଉଠାଇବା ନେଇ କୁନ୍ଥୁ କୁନ୍ଥୁ ହେଉଛନ୍ତି। ଏପରିକି ସରକାର କଟନି ଛଟନି କରାଯିବ ନାହିଁ ବୋଲି ଯେଉଁ ଯୁକ୍ତି ବାଢୁଥିଲେ, ମଣ୍ଡିରେ କିନ୍ତୁ ତାହାର ଓଲଟା ଦେଖିବାକୁ ମିଳିଥିଲା। ଜିଲ୍ଲାର ସମସ୍ତ ମଣ୍ଡିରେ ମିଲରମାନେ କ୍ବିଣ୍ଟାଲ ପିଛା ୩ରୁ ୪ କିଲୋ କାଟୁଥିବା ଦେଖିବାକୁ ମିଳିଥିବା ଶ୍ରୀ ମାଝି ଅଭିଯୋଗ କରିଥିଲେ। ଜଣେ ଚାଷୀ ଇର୍ମା ମାଢିଙ୍କ କ୍ଷେତ୍ରରେ ସେ ଗତ ୮ ଦିନ ହେଲା ମଣ୍ଡିରେ ଧାନ ଦେଇ ଭେଣ୍ଟର ରସିଦକୁ ଅପେକ୍ଷା କରି ରହିଥିଲେ। ତାଂକୁ ସମସ୍ତ ଅଧିକାରୀମାନେ ଅପେକ୍ଷା କରିବାକୁ ବାଧ୍ୟ କରୁଥିଲେ। କିନ୍ତୁ ବିଜେଡି ନେତାମାନେ ପହଞ୍ଚି କାହିଁକି ତୁରନ୍ତ ଭେଣ୍ଡର ରସିଦ ଦିଆଯିବ ନାହିଁ ବୋଲି ପ୍ରଶ୍ନ କରିବାରୁ ଲ୍ୟାମ୍ପସ ତରଫରୁ ତୁରନ୍ତ ଇର୍ମାଙ୍କୁ ଭେଣ୍ଡର ରସିଦ ପ୍ରଦାନ କରାଯାଇଥିଲା। ଏଥିରେ ଜିଲ୍ଲା ଯୋଗାଣ ଅଧିକାରୀ ,ଜିଲ୍ଲାପାଳ,ଲ୍ୟମ୍ପସ,ଆରଏମସି ଦାୟୀ ବୋଲି ଶ୍ରୀ ମାଝି ଅଭିଯୋଗ କରିଥିଲେ।
ପୁଣି ଚାଷୀଙ୍କୁ ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ଟୋକେନ ପ୍ରଦାନ କରାଯାଇଛି। ମାସକ ମଧ୍ୟରେ ଧାନ ନଉଠିଲେ ଧାନର ମାନ ଖରାପ ହେବା ସ୍ବାଭାବିକ। ତେବେ ଏହାର ଭରଣ କିଏ ଦେବ ବୋଲି ଶ୍ରୀ ମାଝି ପ୍ରଶ୍ନ କରିଥିଲେ। ଚାଷୀ ମାର୍ଚ୍ଚ ପର୍ଯ୍ୟନ୍ତ ଅପେକ୍ଷା କରି ଶେଷରେ ବାହାର ରାଜ୍ୟକୁ ଧାନ ବିକ୍ରି କରିବାକୁ ବାଧ୍ୟ ହେବ। ଜଣେ ଚାଷୀ ଆନନ୍ଦିତା ମଲ୍ଲିକଙ୍କର ୪୦ କ୍ବିଣ୍ଟାଲ ଧାନରୁ ୨ କ୍ବିଣ୍ଟାଲ ୩୩ କିଲୋ ଧାନ କଟାଯାଇଥିବା ବିଜେଡି କହିଥିଲା। ତାଂକର ୧୫ ହଜାର ଟଂକା କ୍ଷତି ହେଲା। ଏହା କିଏ ଦେବ ବୋଲି ବିଜେଡି ପୁଣି ପ୍ରଶ୍ନ କରିଥିଲା। ସରକାର ମିଲରମାନଙ୍କ ସହ ବୁଝାମଣା ନକରିବା ଦ୍ବାରା ମିଲରମାନେ ମଧ୍ୟ ମଣ୍ଡିରୁ ଧାନ ଉଠାଉନାହାନ୍ତି। ଯାହାଫଳରେ ଚାଷୀ ହଇରାଣରେ ପଡୁଛି। ବର୍ଷା ଲାଗି ରହିଥିବାରୁ ଚାଷୀ ନିଜ ଧାନକୁ ମଣ୍ଡିରେ ଗତ ୮ ଦିନ ହେଲା ଜଗି ରହିଛି। ସମସ୍ତ ମଣ୍ଡିରେ ଜିଲ୍ଲା ପ୍ରଶାସନ ତରଫରୁ ନୋଡାଲ ଅଫିସର ରହିଥିଲେ ମଧ୍ୟ ସେମାନେ ହିଁ ସବୁ ଅବ୍ୟବସ୍ଥାରେ ମୁଖ୍ୟ ପୁରୋଧା ପାଲଟିଥିବା ବିଜେଡି କହିଛି। ସରକାର ମନ୍ତ୍ରୀମାନେ ମଣ୍ଡିରେ ଚାଷୀ କିପରି ଧାନ ବିକ୍ରି କରିପାରିବେ ତଦାରଖ କରିବେ ବୋଲି କହିଥିଲେ।
କିନ୍ତୁ ଜିଲ୍ଲାର ଚାଷୀ ଅତି ଗରିବ ହୋଇଥିବା ବେଳେ ବର୍ଷ ତମାମ ନିଜର ଅମଳ ଧାନକୁ ମଣ୍ଡିରେ ବିକ୍ରି ଦିପଇସା ରୋଜଗାର କରି ନିଜର ପରିବାରର ପ୍ରତିପୋଷଣ କରିଥାଏ। କିନ୍ତୁ ବର୍ତ୍ତମାନର ସରକାର ମଣ୍ଡିରେ ହେଉଥିବା ଅବ୍ୟବସ୍ଥାକୁ ଦେଖିପାରୁ ନାହିଁ। ଜିଲ୍ଲାରେ ସଂପୂର୍ଣ୍ଣ ଅବ୍ୟବସ୍ଥା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସରକାର ଦାୟୀ ବୋଲି ବିଜେଡି ଯୁକ୍ତି ବାଢିଛି। ଆସନ୍ତା ଜାନୁଆରି ୧୦ ତାରିଖ ସୁଦ୍ଧା ମଣ୍ଡିରେ ସୁଧାର ନଆସିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହ ଜିଲ୍ଲାକୁ ଠପ୍ କରିଦିଆଯିବ ବୋଲି ଶ୍ରୀ ମାଝି ଚେତାବନୀ ଦେଇଥିଲେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ମାନସ ମାଡକାମୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲ,ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ,ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ,ଗୋପାଳ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।