ବିଜେପି ପ୍ରାର୍ଥୀ ରୀନା କବାସୀ ନିଖୋଜ ଘଟଣା: ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ୧୦ଲକ୍ଷ କାରବାର !

ଗୃହରକ୍ଷୀଙ୍କ ସଂପୃକ୍ତି ନେଇ ଅଭିଯୋଗ ଆସିଲା, କାଲିମେଳା ଥାନାରେ ଏତଲା ଦେଲା ବିଜେପି

କାଲିମେଳା : ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ହୋଇଥିଲା ୧୦ଲକ୍ଷ ଟଙ୍କାର ଡିଲ୍‌ ବା କାରବାର । କାଲିମେଳା ଜୋନ୍‌-୨ ବିଜେପି ପ୍ରାର୍ଥୀ ରୀନା କବାସୀଙ୍କ ନିଖୋଜ ଘଟଣାରେ ଏମିତି ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି। ଆଉ ଏହି ବୟାନ ଆଉ କେହି ନୁହନ୍ତି, ରୀନାଙ୍କ ନିଜ ସାନଭାଇ ଭୀମା କବାସୀ ଦେଇଛନ୍ତି। ତାଙ୍କ ପରିବାରକୁ କିଛି ନଗଦ ଟଙ୍କା ସହ ଚେକ୍‌ ଦିଆଯାଇଥିଲା। ଏହାପରେ ରୀନା ନିଖୋଜ ହୋଇ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ। ଭୀମା ଗଣମାଧ୍ୟମକୁ ଏହିଭଳି ଚାଞ୍ଚଲ୍ୟକର ସୂଚନା ଦେବା ସହିତ କାଲିମେଳା ଥାନାର ଜଣେ ଗୃହରକ୍ଷୀ ହିଁ ଏହି ଡିଲ୍‌ କରାଇଥିବା କହିଛନ୍ତି। ଏହାପରେ ବିଜେପି ଆକ୍ରମଣାତ୍ମକ ସ୍ଥିତିକୁ ଆସିଛି ଏବଂ ସଂପୃକ୍ତ ଗୃହରକ୍ଷୀଙ୍କ ବିରୋଧରେ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି।

ଭୀମା କହିଛନ୍ତି ଯେ ତାଙ୍କ ଭଉଣୀ ପ୍ରାର୍ଥିପତ୍ର ଦାଖଲ କରିବାପରେ କାଲିମେଳା ଥାନାର ଗୃହରକ୍ଷୀ ସୁଧୀର ସ୍ବାଇଁ ତାଙ୍କ ଘରକୁ ଆସିଥିଲେ। କଥାବାର୍ତ୍ତା କରିବା ପରେ ଚେକ୍‌ ଦେଇ ଚାଲି ଯାଇଥିଲେ। ଏହାପରେ ଭଉଣୀ କୋରାପୁଟରେ ରହିଥିବା ସେ ଜାଣିଛନ୍ତି। କିନ୍ତୁ ଏଥିପାଇଁ ପରିବାରକୁ ବଦନାମ ମୁଣ୍ଡେଇବାକୁ ପଡ଼ିଲା। ଏଭଳି କାମକୁ ସେ ଆଦୌ ସମର୍ଥନ କରୁନଥିବାରୁ ବାଧ୍ୟହୋଇ ମୁହଁ ଖୋଲିଥିବା ଭୀମା ପ୍ରକାଶ କରିଛନ୍ତି। ଏପରିକି ମୁହଁ ଖୋଲିବା ପରେ ବାପାଙ୍କ ସହ ଭୀମାଙ୍କ ମନାନ୍ତର ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ, ୧୦ଲକ୍ଷ ଟଙ୍କାର ଡିଲ୍‌କୁ ଅସ୍ବୀକାର କରିଛନ୍ତି ଭୀମା ତଥା ରୀନାଙ୍କ ବାପା କେନି କବାସୀ। ଝିଅ ରୀନା କବାସୀଙ୍କ ସହିତ କିଛି ଟଙ୍କା ଦେଣନେଣକୁ କେନ୍ଦ୍ରକରି ମତାନ୍ତର ହେବାରୁ ରାଗରେ ସେ ଘର ଛାଡ଼ି କେଉଁ ଆଡ଼େ ଚାଲିଯାଇଛି। ସେ କେଉଁଠି ଅଛି ଆମ ପାଖରେ ଖବର ନାହିଁ ବୋଲି କେନି ସଫେଇ ଦେଇଛନ୍ତି। ସେହିପରି ଗୃହରକ୍ଷୀ ସୁଧୀର ସ୍ବାଇଁଙ୍କୁ ବାରମ୍ବାର ଯୋଗାଯୋଗ ସତ୍ତ୍ବେ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ, ସଂପୃକ୍ତ ଗୃହରକ୍ଷୀଙ୍କ ସଂପର୍କରେ ଛାନଭିନ୍‌ କରିବାରୁ ସେ ପୂର୍ବରୁ ବିଜେପିର ସକ୍ରିୟ କର୍ମୀ ଥିଲେ ଏବଂ କିଛିବର୍ଷ ତଳେ ବିଜେଡିରେ ସାମିଲ ହୋଇଥିଲେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ, ରୀନା ନିଖୋଜ ନେଇ ପୂର୍ବରୁ ଥାନାରେ ଏତଲା ଦେଇଥିବା ବିଜେପି ନୂଆ ତଥ୍ୟ ମିଳିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଆଜି କାଲିମେଳା ମଣ୍ତଳ ବିଜେପି ସଭାପତି ରତ୍ନାକର ପାଣିଗ୍ରାହୀ, ବିଜେପି ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲ, ସାଧାରଣ ସଂପାଦକ ବିଶିକେଶନ ଦାଶ ପ୍ରମୁଖ ସ୍ଥାନୀୟ ଥାନାକୁ ଯାଇ ଗୃହରକ୍ଷୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଜିଲ୍ଲା ବିଜେପି ସଭାପତି ନିମାଇଁ ଚନ୍ଦ୍ର ପାଲ କହିଛନ୍ତି ଯେ, ସୁଧୀର ସ୍ବାଇଁ କାଲିମେଳା ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟରତ। ତଥାପି ସେ କିପରି ରାଜନୈତିକ ଦଳରେ ସକ୍ରିୟ ଭୂମିକା ନେଉଛନ୍ତି? ସେ ଏତେ ଟଙ୍କା କେଉଁଠୁ ଆଣିଲେ? ଏହାପଛରେ ବଡ଼ବଡ଼ିଆଙ୍କ ହାତ ରହିଥିବା ସଂଦେହ ହେଉଛି। ଏଥିପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଜିଲ୍ଲା ପରିଷଦ ଜୋନ୍‌-୨ ନିର୍ବାଚନକୁ ସ୍ଥଗିତ ରଖିବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର