ଜଙ୍ଗଲ ମଝିରେ ପ୍ରସୂତୀ ମହିଳାଙ୍କୁ ଗୁଣିଆଙ୍କ ଝଡାଫୁଙ୍କା, ସମାଜସେବୀଙ୍କ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି

ମାଲକାନଗିରି : ମାଲକାନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା।ଏଠାରେ ଅଶୀ ପ୍ରତିଶତ ଲୋକେ ଆଦିବାସୀ ସଂପ୍ରଦାୟର।ଏମାନେ ଡାକ୍ତରଖାନା ଅପେକ୍ଷା ନିଜର ପାରଂପାରିକ ଚିକିତ୍ସା ଉପରେ ବିଶ୍ବାସ କରିଥାନ୍ତି।ଗୁଣି ଗାରେଡିକୁ ନେଇ ଏମାନଙ୍କର ବିଶ୍ବାସ ପ୍ରବଳ ରହିଛି।ଯାହାର ପରିଣାମ ସ୍ବରୂପ ବହୁ ଜୀବନ ଅକାଳରେ ଚାଲିଯାଉଛି । ଜିଲ୍ଲାର ସବୁଠାରୁ ଦୁର୍ଗମ ଏବଂ ନକ୍ସଲ ପ୍ରବଣ ଜିଲ୍ଲା ଭାବେ ଚିତ୍ରକୋଣ୍ଡାର ସ୍ବାଭିମାନ ଅଂଚଳ ସର୍ବାଗ୍ରେ । ଏହି ସ୍ବାଭିମାନ ଅଂଚଳରେ ରହିଥିବା ୧୫୧ଟି ଗ୍ରାମର ଲୋକେ ଅତି ଦୟନୀୟ ଜୀବନଯାପନ କରୁଛନ୍ତି । ସରକାରୀ ଯୋଜନା ଏଠାରେ ଅପହଞ୍ଚ।ସ୍ବାସ୍ଥ୍ୟ,ଗମନାଗମନ ଏବଂ ପାନୀୟ ଜଳ ଭଳି ମୌଳିକ ସୁବିଧା ଆଜି ବି ଏଠାରେ ସରକାର ଯୋଗାଇବାରେ ବିଫଳ ହୋଇଛନ୍ତି।ଲୋକେ ଭଗବାନଙ୍କୁ ଆଦରି ପଡି ରହିଛନ୍ତି।

ସ୍ବାଭିମାନ ଅଂଚଳରେ ଜନନୀ ଯନ୍ତ୍ରଣା ସବୁଠାରେ ବେଶୀ।ଏଠାରେ ଅକାଳରେ ଗର୍ଭବତୀ ମହିଳାଙ୍କ ଜୀବନ ଚାଲିଯାଉଛି।ଗର୍ଭବତୀଙ୍କୁ ପ୍ରସବ କରାଇବା ପାଇଁ ଏଠାରେ କୌଣସି ଡାକ୍ତରଖାନା ନଥିବା ବେଳେ ଲୋକେ ଗୁଣିଆ ଡିସାରୀ ଉପରେ ବିଶ୍ବାସ କରି ଚଳୁଛନ୍ତି । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି।ସ୍ବାଭିମାନ ଅଂଚଳର ପଣସପୁଟ ପଞ୍ଚାୟତର ଘନବେଡା ଗ୍ରାମର ବିଶ୍ବନାଥ ହନ୍ତାଳଙ୍କ ପତ୍ନୀ ପୂର୍ଣ୍ଣିମା ହନ୍ତାଳ ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିଲେ।ତେବେ ପରିବାର ଲୋକେ ଯଡାମ୍ବସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ପୂର୍ଣ୍ଣିମାକୁ ନେଇଥିଲେ।ତେବେ ସେଠାରେ ପୂର୍ଣ୍ଣିମାର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।କିନ୍ତୁ ମାଆ ପୂର୍ଣ୍ଣିମା ପ୍ରସବ ପରେ ଅଚେତ ହୋଇପଡିଥିଲେ।ପୂର୍ଣ୍ଣିମା ଗୁରୁତର ଥିବା ଦେଖି ସେଠାରେ ଥିବା ମେଡିକାଲ କର୍ମଚାରୀ ତୁରନ୍ତ ମାଲକାନଗିରି ମେଡିକାଲକୁ ନେବାକୁ ପରାମର୍ଶ ଦେଇଥିଲେ।ପରିବାର ଲୋକେ ମେଡିକାଲ ନେବା ବଦଳରେ ଘରେ ଆମି ରଖିଲେ ଏବଂ ଗୁଣିଆ ସହ ସଂପର୍କ କରି ଚିକିତ୍ସା ପାଇଁ ଅନୁରୋଧ କରିଥିଲେ।

ଦୁଇ ଦିନ ଧରି ପୂର୍ଣ୍ଣିମା ଅଚେତ ରହିଥିଲେ ମଧ୍ୟ ପରିବାର ଲୋକେ ଡାକ୍ତରଖାନା ବଦଳରେ ଗୁଣିଆ ଉପରେ ବିଶ୍ବାସ କରିଥିଲେ।ଗୁଣିଆ ମଧ୍ୟ ପୂର୍ଣ୍ଣିମାକୁ ଜଂଗଲ ମଝିରେ ଡକାଇଥିଲା।ସେଠାରେ ଗୁଣିଆ ଝଡାଫୁଙ୍କା କରିବା ସହ ପୂର୍ଣ୍ଣିମାକୁ ଧୁଆଁ ଦେଇଥିଲା।ପୂର୍ଣିମା ଭଲ ହେବା ବଦଳରେ ଗୁରୁତର ହେବାକୁ ବସିଥିଲା।ଏହି ଦୃଶ୍ୟ ସମାଜସେବୀ ସଂତୋଷ ନାଗ ଦେଖିବା ପରେ ତୁରନ୍ତ ପରିବାର ଲୋକଙ୍କୁ ମେଡିକାଲ ନେବା ପାଇଁ ଅନୁରୋଧ କରିଥିଲେ।ଜନ୍ମ ହେବା ଠାରୁ ପିଲା ତାର ମାଆ ପାଖକୁ ଯାଇନଥିଲା।ତେବେ ସଂତୋଷଙ୍କ ସହଯୋଗରେ ତାଂକୁ ବହୁ କଷ୍ଟରେ ଚାରି ଘଣ୍ଟାର ଜଳଯାତ୍ରା କରାଇ ତାଂକୁ ମାଲକାନଗିରି ମେଡିକାଲକୁ ଅଣାଯାଇଥିଲା।ପୂର୍ଣ୍ଣିମାର ସ୍ବାସ୍ଥ୍ୟବସ୍ଥା ଦେଖି ଡାକ୍ତରମାନେ ଏକ ପ୍ରକାର ଡରିଯାଇଥିଲେ।ପୂର୍ଣିମା ଏବେ ବି ଗୁରୁତର ଥିବା ଡାକ୍ତର କହୁଛନ୍ତି।ପୂର୍ଣ୍ଣିମାଙ୍କୁ ଗୁଣିଆ ଡିସାରି ନକରି ଯଦି ତୁରନ୍ତ ସେହି ଦିନ ହିଁ ମାଲକାନଗିରି ଆଣିଥିଲେ ହୁଏତ ଏଠାରେ ହିଁ ତାଂକର ଉଚିତ ଚିକିତ୍ସା ହୋଇପାରିଥାନ୍ତା ବୋଲି କୁହାଯାଇଥିଲା।ତେବେ ଦୁଇ ଦିନ ଧରି ଗୁଣିଆର ସହାୟତା ନିଆଯିବା ପରେ ପୂର୍ଣ୍ଣିମା ଗୁରତର ହୋଇଥିଲେ।

ସ୍ବାଭିମାନ ଅଂଚଳରେ ସରକାର ଶହେ କୋଟି ଟଂକାର ପ୍ୟାକେଜ ଗୋଷଣା କଲେ ସତ କିନ୍ତୁ ଏହା କେତେ ଦୁର କାର୍ଯ୍ୟରେ ପରିଣତ ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।ଶିଶୁ ଓ ମାତୃ ପାଇଁ ସରକାର କୋଟି କୋଟି ଟଂକା ଖର୍ଚ୍ଚ କରୁଛନ୍ତି।ଶିଶୁ ମୃତ୍ୟୁହାର ଏବଂ ମାତୃ ମୃତ୍ୟୁହାର କମାଇବା ପାଇଁ ସରକାର ନାହିଁ ନଥିବା ଯୋଜନା ପ୍ରଣୟନ କରୁଛନ୍ତି।କିନ୍ତୁ ମାଲକାନଗିରି ଭଳି ଉପାନ୍ତ ଅଂଚଳରେ ଏହା କେତେ ଦୁର ସଫଳ ହୋଇଛି ତାହା ତଦନ୍ତ ସାପେକ୍ଷ।ସ୍ବାଭିମାନ ଅଂଚଳରେ ଜନନୀ ଯନ୍ତ୍ରଣା ବଳି ଯାଇଛି।ଲୋକେ ମେଡିକାଲକୁ ଆସିବା ପାଇଁ ଦୁଇ ଦିନ ସମୟ ଲାଗୁଥିବା ବେଳେ ମେଡିକାଲ ବଦଳରେ ଡିସାରୀ ଉପରେ ବିଶ୍ବାସ ରଘୁଛନ୍ତି।ପୁଣି ଡିସାରୀଙ୍କ ସହ କ୍ବାକମାନେ ମଧ୍ୟ ସ୍ବାଭିମାନ ଅଂଚଳରେ ନିଜର ପତିଆରା ବଜାୟୀ ରଖିଛନ୍ତି।ସ୍ବାସ୍ଥ୍ୟ କର୍ମୀଙ୍କ କାଁ ଭାଁ ଦେଖା ମିଳୁଥିବାରୁ ଲୋକେ ମେଡିକାଲ ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗକୁ ହାତେଇ ପାରୁନାହାନ୍ତି।ଆର୍ଥିକ ଅନାଟନରେ ବଂଚୁଥିବା ଗରିବ ଲୋକେ ବାଧ୍ୟ ହୋଇ ଗୁଣିଆ ଡିସାରୀଙ୍କ ଉପରେ ନିର୍ଭର କରୁଛନ୍ତି।କମ୍ ଟଂକା କିମ୍ବା ମଦ ଓ କୁକୁଡା ଦେଲେ ଗୁଣିଆ ଚିକିତ୍ସା କରିଦେଇଥାଏ।କିନ୍ତୁ ମେଡିକାଲକୁ ଆସିବାକୁ ହେଲେ ପାଖରେ ବହୁ ଟଂକା ଥିବା ଦରକାର ବୋଲି ଏମାନେ କହିଥିଲେ।

ସମ୍ବନ୍ଧିତ ଖବର