ଗୁଣି ସନ୍ଦେହରେ ହତ୍ୟା, ଗଳିତ ଶବ ଉଦ୍ଧାର

କାଲିମେଳା : କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିବାଡ଼ା ପଞ୍ଚାୟତ ଅନ୍ତର୍ଗତ ବଦଲିଗୁଡ଼ା ଗ୍ରାମରେ ବୀଭତ୍ସ କାଣ୍ଡ ଘଟିଛି। ଗୁଣି ସନ୍ଦେହରେ ଗାଁର ଗଂଗା ପଡ଼ିଆମୀ(୪୦)ଙ୍କୁ ସେହି ଗ୍ରାମର ୪ଜଣ ନିର୍ମମ ଭାବେ ହତ୍ୟା କରି କେନାଲ ନିକଟରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ନେଇ ମୃତକଙ୍କ ପତ୍ନୀ ଯୋଗୀ ପଡିଆମୀ ଗତ ୧୮ତାରିଖ ଦିନ କାଲିମେଳା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଗତକାଲି ପୁଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସେହିପରି କେନାଲ ନିକଟସ୍ଥ ଜଙ୍ଗଲିଆ ସ୍ଥାନରୁ ହାତଗୋଡ ବନ୍ଧା ଗଙ୍ଗାଙ୍କ ଗଳିତ ଶବକୁ ଉଦ୍ଧାର କରାଯାଇଥିଲା। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଗତ ୮ତାରିଖ ଦିନ ସଂଧ୍ୟାରେ ବଦଲିଗୁଡା ଗାଁର ୪ଜଣ ଲୋକ ଗଙ୍ଗାଙ୍କ ଘରକୁ ଯାଇଥିଲେ। ଗାଁରେ କାହାକୁ ସାପ କାମୁଡି ଦେଇଥିବାରୁ ଝଡାଫୁଙ୍କା କରି ଭଲ କରିବା ପାଇଁ ସାଥିରେ ଡାକି ନେଇଥିଲେ। ଏହାପରେ ଗଙ୍ଗାକୁ ନିଖୋଜ ରହିଥିଲେ। ଭୟଭୀତ ଅବସ୍ଥାରେ ଥିବା ପରିବାର ଲୋକ ମୁହଁ ଖୋଲି ନଥିଲେ। ତେବେ ବାଧ୍ୟ ହୋଇ ଗତ ୧୮ତାରିଖ ଦିନ ପତ୍ନୀ ଯୋଗୀ ପଡିଆମୀ ଥାନାକୁ ଯାଇଥିଲେ। ଯାହାଫଳରେ ଘଟଣା ଉପରେ ପଡିଥିବା ପରଦା ଉଠିଥିଲା। ଗଂଗା ପଡ଼ିଆମୀ ସେହି ଗ୍ରାମରେ ଗୁଣି ଗାରେଡ଼ି କରୁଥିବାରୁ ଏଥିପାଇଁ ହିଁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ଥାନା ଅଧିକାରୀ ରାମପ୍ରସାଦ ନାଗ ସୂଚନା ଦେଇଛନ୍ତି। ଗତକାଲି ସଂଧ୍ୟାରେ ଶବକୁ କାଲିମେଳା ଅଣାଯାଇଥିଲା। ଆଜି ସକାଳେ ବ୍ୟବଚ୍ଛେଦ କରାଯାଇଛି। ଏନେଇ କାଲିମେଳା ଥାନାରେ କେସ ନଂ୮୩/୧୭ ଦଫା ୩୦୨, ୨୦୧, ୫୦୬, ୨୯୪, ୩୪ ଆଇପିସିରେ ଏକ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି। ସେହିପରି ହତ୍ୟାକାଣ୍ଡରେ ସଂପୃକ୍ତି ସନ୍ଦେହରେ ପୁଲିସ ଗଂଗା ମାଡ଼କାମୀ, ମାଡ଼କାମୀ ଗଂଗା, ଭୀମା ପଡ଼ିଆମୀ ଓ କୁଟା ପଡ଼ିଆମୀ ପ୍ରମୁଖଙ୍କୁ ଖୋଜିବା ଆରମ୍ଭ କରିଛି। ତେବେ ବଦଲିଗୁଡ଼ା ଗାଁ ମାଓବାଦୀ ପ୍ରବଣ ଅଞ୍ଚଳରେ ରହିଥିବାରୁ ପୁଲିସ ସେଠାକୁ ଯାଇ ଛାନଭିନ କରିବାକୁ ସାହାସ ଜୁଟାଇ ପାରୁନାହିଁ। ତଥାପି ଅତିଶୀଘ୍ର ଘଟଣାର ପର୍ଦ୍ଦାଫାସ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

ଅପରପକ୍ଷରେ ଗତକାଲି ସଂଧ୍ୟାରେ କାଲିମେଳା ଥାନା ଅନ୍ତର୍ଗତ ଏମଭି-୭୦ ଗ୍ରାମ ରାସ୍ତାରେ ମାଓବାଦୀ ଗୋଟିଏ ପୋଷ୍ଟର ଛାଡ଼ି ଯାଇଥିବା ଦେଖିବାକୁ ମିଳିଛି। ସେଥିରେ ପୁଲିସ ଇନଫର୍ମର କାମ ଛାଡ଼ିବାକୁ ଚେତାବନୀ ଦିଆଯାଇଥିଲା। ଏଥିସହିତ ଗୁଣିଗାରେଡ଼ି କାମ ଛାଡ଼ ନଚେତ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଗାଁର ମୁଖ୍ୟମାନେ ଗରିବ ଲୋକଙ୍କୁ ଭୟଭୀତ କରି ଜରିମାନା ଆଦାୟ କରି ନିଜ ପକେଟରେ ପୂରାଉଛନ୍ତି। ତେଣୁ ଯେଉଁ ମାନେ ଜରିମାନା ଆଦାୟ କରୁଛନ୍ତୁ ତୁରନ୍ତ ଲୋକଙ୍କୁ ଟଙ୍କା ଫେରାଇବାକୁ ନିର୍ଦେଶ ଦିଆଯାଇଛି। ପୋଲିସ କ୍ୟାମ୍ପକୁ ମଧ୍ୟ ମାଓବାଦୀ ବିରୋଧ କରିଛନ୍ତି। ପୋଷ୍ଟର ଶେଷରେ ସିପିଆଇ ମାଓବାଦୀ କାଲିମେଳା ଆଞ୍ଚଳିକ କମିଟି ବୋଲି ଲେଖାଯାଇଛି।

ସମ୍ବନ୍ଧିତ ଖବର