ବାବାଙ୍କ ଘରେ ରୋଗୀଙ୍କ ଧାଡ଼ି:ଅନ୍ଧ ବିଶ୍ୱାସର ଅର୍ଗଳି

କାଲିମେଳା: ମଣିଷ ଚନ୍ଦ୍ର ପୃଷ୍ଠରେ ପହଞ୍ଚି ସାରିଥିବା ବେଳେ ଅନ୍ୟ ଗ୍ରହରେ ଘର କରିବାକୁ ଯୋଜନା କଲାଣି। କିନ୍ତୁ ଆଦିବାସୀ ଆଧ୍ୟୁଷିତ ଅଞ୍ଚଳରେ ଲୋକଙ୍କ ଭିତରୁ ଅନ୍ଧବିଶ୍ୱାସ ଏପର୍ଯ୍ୟନ୍ତ ଦୂର ହୋଇପାରି ନାହିଁ। ଯାହାର ସଦ୍ୟତମ ନମୁନା କାଲିମେଳା ବ୍ଲକ ଟିଗଲ ପଞ୍ଚାୟତ ଅନ୍ତର୍ଗତ ଏମପିଭି-୭୬ ଗ୍ରାମରେ ଦେଖିବାକୁ ମିଳିଛି। ଗତ ୯ଦିନ ତଳେ ଏହି ଗାଁରେ ଜଣେ ବାପାଙ୍କ ଆବିର୍ଭାବ ହୋଇଛି। ବାବା ସ୍ୱପ୍ନାଦେଶ ପାଇ ରୋଗୀଙ୍କୁ ଭଲ କରି ଦେଉଥିବା କଥା ଚାରିଆଡେ ପ୍ରଚାର ହେଲାଣି। ତେଣୁ ଦୈନିକ ଶହଶହ ରୋଗୀଙ୍କ ଭିଡ଼ ଏଠାରେ ହେଉଛି। ଏପରିକି ବହୁ ଦୂରରୁ ରୋଗୀ ଆସି ବାବାଙ୍କ ଘର ଆଗରେ ଥିବା ଅସ୍ଥାୟୀ ଟେଣ୍ଟରେ ନିଜ ପାଳିକୁ ଅପେକ୍ଷା କରୁଥିବା ଦେଖାଯାଇଛି।
ସୂଚନା ଅନୁଯାୟୀ, ଏମପିଭି-୭୬ ଗ୍ରାମର କିନୁରାମ ମଣ୍ଡଳଙ୍କ ପୁଅ ପତିତ ମଣ୍ଡଳଙ୍କ ପୂର୍ବରୁ ମାନସିକ ବିକୃତି ରହିଥିଲା। ୯ଦିନ ତଳେ ଏକ ବିସ୍ମୟକର ଘଟଣା ଘଟିଲା। ହଠାତ୍‌ ମଶାଣିଚଣ୍ଡୀ ଆବିର୍ଭାବ ହୋଇ ତାଙ୍କୁ ସ୍ୱପ୍ନାଦେଶ ହୋଇଥିଲା। ସ୍ୱପ୍ନାଦେଶ ଅନୁସାରେ ପତିତ ମଣ୍ଡଳ ଗାଁ ନିକଟ ମଶାଣିକୁ ଯାଇ ପୂଜାପାଠ କରିଥିଲେ। ମା’ଙ୍କ କୃପାରୁ ସେଠାରୁ କିଛି ତେଲ ଜିନିଷ ପାଇଥିଲା। ସେଇ ତେଲକୁ ଯେକୌଣସି ରୋଗୀ ଦେହରେ ଲଗାଇଲେ ସବୁ ରୋଗ ଦୂର ହେଇଯାଉଛି ବୋଲି ବାବା କେତେକ ଲୋକଙ୍କୁ କହିଥିଲେ। ଏଥିରେ କିଛି ଲୋକ ପ୍ରଥମେ ପ୍ରଥମେ ରାଜି ହୋଇନଥିଲେ। ତେବେ ବାବା ଜୋରଜବରଦସ୍ତି କିଛି ଗ୍ରାମବାସୀଙ୍କୁ ସେହି ମନ୍ତୁରା ତେଲ ଦେବାରୁ କିଛି ଲୋକ ସୁସ୍ଥ ହୋଇ ଯାଇଥିବା ପ୍ରଚାର ହୋଇଗଲା। ଗାଁ ଗାଁରେ ଏହି କଥା ପ୍ରଚାର ହୋଇଯିବାରୁ ବର୍ତମାନ ୩ଶହରୁ ୪ଶହ ରୋଗୀ ଦୈନିକ ରୁଣ୍ଡ ହେଉଛନ୍ତି। ବାବା କୌଣସି ଅର୍ଥ ଦାବି କରୁନଥିବା କୁହାଯାଉଥିବା ବେଳେ ରୋଗୀ ସ୍ୱଇଚ୍ଛାରେ ଯାହା କିଛି ଦାନ କରୁଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

ଏହି ଖବରପାଇ ଆଜି ବାବାଙ୍କ ଘରକୁ ଗଲା ବେଳେ ଶହଶହ ଲୋକ ଘର ଆଗରେ ଜମା ହୋଇଥିଲେ। ଗୋଟିଏ ଥାଳିରେ ହଜାର ହଜାର ଟଙ୍କା ରଖାଯାଇଥିବା ଦେଖିବାକୁ ମିଳିଥିଲା। ବାବା ଅର୍ଥ ଦାବି କରୁନଥିବା କୁହଯାଉଥିଲେ ମଧ୍ୟ ଦୈନିକ ହଜାର ହଜାର ଟଙ୍କା ରୋଜଗାର ହେଉଥିବା ଜଣାପଡ଼ିଥିଲା। ବାବା କିଛି ମହିଳା ରୋଗୀଙ୍କୁ ଭଲ କରିବା ବାହାନାରେ ସେମାନଙ୍କ ଅନାବୃତ ଶରୀରକୁ ସ୍ପର୍ଶର୍ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ କେହି ବି ପ୍ରତିବାଦ ନକରି ସମସ୍ତେ ବାବାଙ୍କ କାର୍ଯ୍ୟକଳାପକୁ ଦେଖୁଥିଲେ। ଗତକାଲି ଏମଭି-୭୨ ଗ୍ରାମର ହରିପଦ ମଣ୍ଡଳ ନାମକ ଜଣେ ୧୮ବର୍ଷର ଯୁବକକୁ ବାବା ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି। ଉକ୍ତ ଯୁବକ ଜଣଙ୍କ ପିଲା ଦିନରୁ ଆଦୌ କଥା କହିପାରୁନଥିବାରୁ ପରିବାର ବାବାଙ୍କ ନିକଟକୁ ନେଇଥିଲେ।

କିନ୍ତୁ ବାବା ଜଣଙ୍କ ଉକ୍ତ ଯୁବକଙ୍କୁ ସେହି ମନ୍ତୁରା ତେଲ ଲଗାଇଥିଲେ ମଧ୍ୟ ସେ ଆଦୌ କଥା କହିନଥିଲା। ତେବେ ବାବା ଭଲ କରିଦେବା ବାହାନାରେ ସେହି ଯୁବକଙ୍କୁ ନିସ୍ତୁକ ପିଟିଥିବାରୁ ତାର ଶରୀର ସାରା ଆଘାତ ଚିହ୍ନ ରହିଥିବାର ଶୁଣିବାକୁ ମିଳିଛି। କିନ୍ତୁ ଏ ସଂପର୍କରେ ଯୁବକଙ୍କ ପରିବାର ଲୋକ ପୁଲିସ ନିକଟରେ ଅଭିଯୋଗ କରିନାହାଁନ୍ତି। ତେବେ ବାବାଙ୍କ ନିକଟରୁ ତେଲ ନେଇ ଏମଭି-୭୨ ଗ୍ରାମର ସହଦେବ ରାୟ(୬୦) ଓ ବିମଲ ବିଶ୍ୱାସ ନାମକ ୨ଜଣ ଲୋକ ବ୍ୟବହାର କରି ଗୋଡ ବ୍ୟଥାରୁ ମୁକ୍ତି ପାଇଥିବା କହିଛନ୍ତି। ତେଣୁ ବାବାଙ୍କର କିଛି ଅଲୌଲିକ ଶକ୍ତି ରହିଥିବା ଅନ୍ୟ କିଛି ରୋଗୀ ବିଶ୍ୱାସ କରୁଛନ୍ତି।

ସମ୍ବନ୍ଧିତ ଖବର