ବାଲିମେଳା: ଦୀର୍ଘ ୪୮ବର୍ଷ ହେଲା ନଦୀ ଉପରେ ପୋଲ ନିର୍ମାଣ ହୋଇପାରୁନଥିବାରୁ ୨ଟି ପଞ୍ଚାୟତବାସୀଙ୍କ ଯାତାୟାତର ମାଧ୍ୟମ ସାଜିଛି ଦେଶୀ ଡଙ୍ଗା। ବିପଦସଂକୁଳ ଭାବେ ଦେଶୀ ଡଙ୍ଗାରେ ନଦୀ ପାର ହେବା ସମୟରେ ଅନେକ ଧନଜୀବନ କ୍ଷତି ହୋଇଥିବା ନଜିର ରହିଛି। ତେବେ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଜୀବନକୁ ବାଜି ଲଗାଇ ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳବାସୀ ସେହି ଦେଶୀ ଡଙ୍ଗାରେ ହିଁ ନଦୀ ପାର ହେଉଛନ୍ତି। ଆଜି କିଛି ଛାତ୍ରଛାତ୍ରୀ ଦେଶୀ ଡଙ୍ଗା ଯୋଗେ ନଦୀ ପାର ହେବା ସମୟରେ ପ୍ରବଳ ସ୍ରୋତରେ ଡଙ୍ଗାଟି ଭାସିଯାଇ ନିର୍ମାଣାଧୀନ ପୋଲର କଂକ୍ରିଟରେ ପିଟି ହୋଇଯାଇଥିଲା। ନଦୀକୁ ଗାଧୋଇ ଆସିଥିବା ଜଣେ ଯୁବକ ନଦୀକୁ ଡେଇଁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବାରୁ ସମସ୍ତେ ଅଳ୍ପକେ ବର୍ତି ଯାଇଥିଲେ। ଏଭଳି ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର ପୋଟ୍ରେଲ ଓ କାମବେଡା ପଞ୍ଚାୟତବାସୀ।
କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ସହର ନିକଟରେ ବୋହି ଯାଇଛି ଚିତାପାରୀ ନଦୀ।
ନଦୀରେ ଗୋଟିଏ ପଟେ ବାଲିମେଳା ଓ ଅନ୍ୟପଟେ ଚିତାପାରି, ପୁୁରୁଣା ଚିତାପାରି, ଏମଭି-୫୧, କଡେଇଗୁଡା, ପାଡଲପୁଟ, ଦଳପତିଗୁଡା, ଏମଭି-୩୪, ପୋଟ୍ରେଲ, ପୁରୁଣା ଓର୍କେଲ, କାମବେଡା ଭଳି ଅନେକ ଗ୍ରାମ ରହିଛି। ୧୯୭୦ ମସିହାରେ ସୋଲକୋଣ୍ଡାରେ ବ୍ୟାରେଜ ନିର୍ମାଣ କରାଯାଇଥିଲା। ବ୍ୟାରେଜରୁ ଦୁଇଟି କେନାଲ ଯୋଗେ ଜଳସେଚନ ବ୍ୟବସ୍ଥା କରାଯାଇଥିବାରୁ ଚିତାପାରି ନଦୀରେ ସର୍ବଦା ପାଣି ପ୍ରବାହିତ ହୋଇଥାଏ। ତେବେ ଏହି ନଦୀ ଉପରେ ପୋଲ ନିର୍ମାଣ ହୋଇନଥିବାରୁ ଅଞ୍ଚଳବାସୀ ଦୀର୍ଘ ବର୍ଷ ହେଲା ବିପଦସଂକୁଳ ଭାବେ ଦେଶୀ ଡଙ୍ଗା ଦ୍ୱାରା ନଦୀ ପାର ହେଉଛନ୍ତି। ଗତ ଦିନରେ ଡଙ୍ଗାରେ ନଦୀ ପାର ହେବା ସମୟରେ ଅଘଟଣ ଘଟିଛି। କିନ୍ତୁ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଲୋକେ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି। ଏହି ନଦୀ ଦେଇ ବାଲିମେଳାରୁ ଜୟପୁର ଓ ଚିତ୍ରକୋଣ୍ଡା ଯିବାକୁ ପଡିଥାଏ। ଏପରିକି ପୋଟ୍ରେଲ ଓ କାମବେଡା ପଞ୍ଚାୟତର ଅନେକ ଛାତ୍ରଛାତ୍ରୀ ବିପଦସଂକୁଳ ଭାବେ ଦେଶୀ ଡଙ୍ଗାରେ ନଦୀ ପାର ହୋଇ ବାଲିମେଳା ସ୍କୁଲ ଓ କଲେଜ ଯିବା ଆସିବା କରୁଛନ୍ତି। ଗତବର୍ଷ ଏହି ନଦୀ ଉପରେ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ନଦୀରେ ସର୍ବଦା ପାଣି ପ୍ରବାହିତ ହେଉଥିବାରୁ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଆଜି ସକାଳେ କିଛି ଛାତ୍ରଛାତ୍ରୀ ଦେଶୀ ଡଙ୍ଗାରେ ନଦୀ ପାର ହୋଇ ସ୍କୁଲ ଯାଉଥିଲେ। ତେବେ ନଦୀର ପ୍ରବଳ ସ୍ରୋତରେ ଏହି ଦେଶୀ ଡଙ୍ଗା ହଠାତ୍ ଭାସିଯାଇ ନିର୍ମାଣାଧୀନ ପୋଲର କଂକ୍ରିଟରେ ପିଟି ହୋଇଯାଇଥିଲା। ନଦୀକୁ ଗାଧୋଇ ଆସିଥିବା ଜଣେ ଯୁବକ ଏହା ଦେଖିବା ପରେ ନଦୀ ଭିତରକୁ ଡେଇଁ ଡଙ୍ଗାର ଦଉଡି ଧରି ବହୁ କଷ୍ଟରେ ଛାତ୍ରଛାତ୍ରୀଙ୍କୁ କୂଳକୁ ଆଣିଥିଲେ। ଏହି ଯୁବକଙ୍କ ଉଦ୍ୟମ ଯୋଗୁଁ ୧୨ଜଣ ଛାତ୍ରଛାତ୍ରୀ ଅଳ୍ପକେ ବର୍ତି ଯାଇଥିଲେ। ବିଭିନ୍ନ ସ୍ଥାନରେ ଡଙ୍ଗା ବୁଡି ଅନେକ ଧନଜବୀନ କ୍ଷତି ହେଉଥିଲେ ହେଁ ପ୍ରଶାସନ ଏଦିଗରେ ତତ୍ପରତା ପ୍ରକାଶ ନକରିବା ପରିତାପର ବିଷୟ ବୋଲି ଅଞ୍ଚଳବାସୀ କହିଛନ୍ତି। ଆଗକୁ ଆହୁରି ବର୍ଷା ଥିବାରୁ ପ୍ରଶାସନ ପକ୍ଷରୁ ଯନ୍ତ୍ର ଚାଳିତ ଡଙ୍ଗା ଯୋଗାଇ ଦେବାକୁ ଦାବି ହୋଇଛି। ନଚେତ୍ ଦେଶୀ ଡଙ୍ଗାରେ ଯାତାୟାତ ସମୟରେ ଧନଜୀବନ କ୍ଷତି ହେବାର ଆଶଙ୍କା ରହିଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି।